ଭୁବନେଶ୍ୱର,୦୧/୦୭:  ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର  ପ୍ରକଳ୍ପରୁ ଆସିଥିବା ୩ ବର୍ଷୀୟା ଚୁଲବୁଲି ଜିନ୍ନତ ଏବେ ଗର୍ଭବତୀ । ୩  ରାଜ୍ୟର ୭ ଜଙ୍ଗଲ ଘୂରିକି ଫେରିଥିବା ଏହି ମରାଠା ବାଘୁଣୀ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ  ‘ଟି-୧୨’ ସହ ସହବାସ ହୋଇଛି ।   

ବନବିଭାଗ ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ  ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ । ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି । ଏହାପରେ ବାଘୁଣୀଟି ଯମୁନାଗଡ଼ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି । ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ  ମୁହାଁ ହୋଇନାହିଁ । କି ଅନ୍ୟ ରାଜ୍ୟ  ସୀମା ଡେଇଁନାହିଁ । ଲାଗୁଛି, ଏହି ୨୫- ୩୦ ବର୍ଗକିମି ଇଲାକାକୁ ଜିନ୍ନତ ନିଜର ଟେରିଟୋରି ଭାବେ ବାଛି ନେଇଛି ।   

‘ଟି-୧୨’ ହେଉଛି ମେଲାନିଷ୍ଟିକ୍‌  ପ୍ରଜାତିର ମହାବଳ । ବୟସ ପାଖାପାଖି  ୧୧ ବର୍ଷ ହେବ । ଜଙ୍ଗଲର କିଛି ମାଈ  ବାଘ ସହ ସହବାସ ହୋଇଛି ।  ମହାବଳଟିର ପିଲାପିଲି ସଂଖ୍ୟା ୮  ଟପିଯିବ । ଗତବର୍ଷ ଅକ୍ଟୋବରରେ  ମହାରାଷ୍ଟ୍ରରୁ ଆସିଥିବା ଅନ୍ୟ ଏକ  ବାଘୁଣୀ ଯମୁନା ପ୍ରେମରେ ପଡି଼ଥିଲା  ଟି-୧୨ । ଯମୁନାକୁ ରଖାଯାଇଥିବା  କବାଟଘାଇ ସେକ୍ସନର ଯମୁନାଗଡ଼  ଏନ୍‌କ୍ଲୋଜର ଚାରିପାଖେ ଢେର କିଛି  ଦିନ ଘୁରି ବୁଲିଥିଲା ।   

ସାଥୀ ସନ୍ଧାନରେ ଥିବା ‘ଟି-୧୨’  ଗଲାମାସରେ ଶିମିଳିପାଳର ଅଧା  ଜଙ୍ଗଲ ପାର୍‌ ହୋଇ ଯମୁନାଗଡ଼ରେ  ପହଞ୍ଚିଥିଲା । ସେଠାରେ ମରାଠା  ବାଘୁଣୀ ଜିନ୍ନତ ସହ ତା’ର  ଭେଟଘାଟ ହୋଇଥିଲା । ହୃଷ୍ଟପୁଷ୍ଟ  ଚେହେରା ଭରା ଜିନ୍ନତର ଯୌବନ  ଦେଖି ବାଉଳା ହୋଇଗଲା ଟି୧୨ । ଉଭୟେ ୨ ସପ୍ତାହେରୁ ଅଧିକ  ସମୟ ଏକାଠି ଘୁରି ବୁଲିଥିଲେ ।  ଯମୁନାଗଡ଼ଠାରୁ ଗୁଡୁଗୁଡି଼ଆ ଭିତରେ  ଖଞ୍ଜାଯାଇଥିବା ଟ୍ରାପ୍‌ କ୍ୟାମେରାରେ  ଉଭୟଙ୍କ ଫୁଟେଜ୍‌ କଏଦ୍‌ ହୋଇଛି ।  ଉଭୟଙ୍କ ଭିତରେ ସହବାସ ପରେ  ଏବେ ଜିନ୍ନତ ଗର୍ଭବତୀ ଥିବା  ଜଣାପଡି଼ଛି । ତା’ ଉପରେ ସ୍ୱତନ୍ତ୍ର  ନଜର ରଖିବା ପାଇଁ ଏକ ଡାକ୍ତରୀ  ଦଳ ନିୟୋଜିତ ହୋଇଛନ୍ତି ।   

ଅନ୍ୟପଟେ ଯମୁନା ଏବେ ବାଲେଶ୍ୱର  ଜିଲ୍ଲା କୂଳଡି଼ହ ବନଖଣ୍ଡରେ ଘୁରି  ବୁଲୁଛି । ବେଳେବେଳେ ଶିମିଳିପାଳ  କୋର ଏରିଆକୁ ଯାଉଛି । ପୁଣି  ଫେରିଯାଉଛି । ହେଲେ ଏଯାବତ୍‌  ବାଘୁଣୀର କାହା ସହ ସହବାସ  ହୋଇନଥିବା ବନ ବିଭାଗ ସୂତ୍ରରୁ  ପ୍ରକାଶ ପାଇଛି । ସୂଚନାଯୋଗ୍ୟ,  ଜିନ୍ନତକୁ ଗତବର୍ଷ ନଭେମ୍ବର  ୨୪ରେ ଶିମିଳିପାଳର ଚହଲା  କୋର ଏରିଆରେ ଛଡ଼ା ଯାଇଥିଲା ।  ଡିସେମ୍ବର ୧୦ ତାରିଖରେ  ବାଘୁଣୀଟି ହଠାତ୍‌ ଝାଡ଼ଖଣ୍ଡ ମୁହାଁ  ହୋଇଥିଲା । ଝାଡ଼ଖଣ୍ଡର ଚାଇଁବାସା,  ଚାକୁଳିଆ ରେଞ୍ଜ୍‌ର ରାଜବାସା ଦେଇ ପଶ୍ଚିମବଙ୍ଗରେ ପଶିଥିଲା । ୫୦ କିମି  ପାର୍‌ ହୋଇ ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍‌  ଜଙ୍ଗଲକୁ ଯାଇଥିଲେ । ପ୍ରାୟ ମାସେ  ଧରି ଜିନତ୍‌ ମନଖୁସିରେ ୩ ରାଜ୍ୟର ୭ଟି ଜଙ୍ଗଲ ଘୁରି ବୁଲିବା ପରେ  ବାଘୁଣୀକୁ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲା  ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ  କରାଯାଇଥିଲା ।