ନୂଆଦିଲ୍ଲୀ,୭।୯: ମାର୍କ ଜୁକରବର୍ଗଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି 'ମାର୍କ ଜୁକରବର୍ଗ'। ଏହା ଶୁଣିବାକୁ ଖୁବ୍ ଅଜବ ଲାଗିପାରେ, କିନ୍ତୁ ଏମାନେ ଦୁଇଜଣ ଭିନ୍ନ ବ୍ୟକ୍ତି। ଜଣେ ଓକିଲ ଏବଂ ଅନ୍ୟ ଜଣେ ଟେକ୍ ଜଗତର ଜଣେ ମହାନ ବ୍ୟକ୍ତି। ଆମେରିକାର ଇଣ୍ଡିଆନା ରାଜ୍ୟରେ ରହୁଥିବା ଆମେରିକୀୟ ଓକିଲ ମାର୍କ ଜୁକରବର୍ଗ ମେଟା ବିରୋଧରେ ମାମଲା ରୁଜୁ କରିଛନ୍ତି। ଓକିଲଙ୍କ ପୂରା ନାମ ମାର୍କ ଏସ୍ ଜୁକରବର୍ଗ। ଆସନ୍ତୁ ଜାଣିବା କାହିଁକି ଓକିଲ ମାର୍କ ଜୁକରବର୍ଗ ମେଟା ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି?
ମାର୍କ ଏସ୍ ଜୁକରବର୍ଗଙ୍କ କହିବା ଅନୁସାରେ, ଫେସବୁକ୍ ଗତ ୮ ବର୍ଷରେ ୫ ଥର ତାଙ୍କ ଆକାଉଣ୍ଟକୁ ବ୍ଲକ କରିଛି। ଫେସବୁକ୍ ଆକାଉଣ୍ଟ ବ୍ଲକ କରିବା ପଛରେ ଏହି ତର୍କ ଦିଆଯାଇଛି ଆପଣ ଆଉ କାହାର ନାଁ ବ୍ୟବହାର କରିପାରନ୍ତି। ମାର୍କ ଏସ୍ ଦାବି ଯେ, ଫେସବୁକ୍ ଦ୍ବାରା ବାରମ୍ବାର ଆକାଉଣ୍ଟ ବ୍ଲକ କରିବା ଯୋଗୁଁ ତାଙ୍କ ପେଶାକୁ ମଧ୍ୟ କ୍ଷତି ହୋଇଛି। ହଜାର ଡଲାର ଆୟ କରି ମଧ୍ୟ ବୁଡି ଗଲା।
ମାର୍କ ଏସ୍ ଜୁକରବର୍ଗ କହିଛନ୍ତି ,ଫେସବୁକ୍ ତାଙ୍କ ଆକାଉଣ୍ଟକୁ ଥରେ ନୁହେଁ ବରଂ ଅନେକ ଥର ସସପେଣ୍ଡ କରିଛି। ଏହା ତାଙ୍କ ବୃତ୍ତିଗତ ଜୀବନ ଉପରେ ଖରାପ ପ୍ରଭାବ ପକାଇଛି। ସେ କହିଛନ୍ତି ଯେ ମେଟା ତାଙ୍କର ୧୧,୦୦୦ ଡଲାର ଅର୍ଥାତ୍ ପ୍ରାୟ ୮.୨ ଲକ୍ଷ ଟଙ୍କା ମୂଲ୍ୟର ବିଜ୍ଞାପନ ହଟାଇ ଦେଇଛି। ସେ ତାଙ୍କ ଆଇନଗତ ବୃତ୍ତି ସହିତ ଜଡିତ ବିଜ୍ଞାପନ ଦେଇଥିଲେ। ଓକିଲ ଟିଭି ଚ୍ୟାନେଲ WTHRକୁ କହିଛନ୍ତି ଯେ ଏହା ଏପରି ଯେପରି ଆପଣ ରାଜପଥରେ ହୋର୍ଡିଂ ଲଗାଇବା ପାଇଁ ଟଙ୍କା ଦିଅନ୍ତି ଏବଂ ତା'ପରେ କେହି ଏହାକୁ କମ୍ବଳରେ ଘୋଡ଼ାଇ ଦିଅନ୍ତି। ଆପଣ ଯେଉଁ ଲାଭ ପାଇଁ ଦେୟ ଦେଇଛନ୍ତି ତାହା ଆପଣଙ୍କୁ ମିଳେ ନାହିଁ।
ଓକିଲ ଜଣକ କହିଛନ୍ତି, ସେ ନିଜର ପ୍ରକୃତ ପରିଚୟ ପ୍ରମାଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ। ସେ ଫେସବୁକ୍କୁ ନିଜର ଫଟୋ, ଆଇଡି, କ୍ରେଡିଟ୍ କାର୍ଡ ଓ ଅନ୍ୟ ଫଟୋ ପଠାଇଛନ୍ତି। ସେ କହିଛନ୍ତି, ମୋ ନାଁ ସବୁବେଳେ ମାର୍କ ହିଁ ଥିଲା, ଫେସବୁକ୍ର ସଂସ୍ଥାପକ ମାର୍କ ଜୁକରବର୍ଗ ପ୍ରସିଦ୍ଧ ହେବା ପୂର୍ବରୁ ମଧ୍ୟ ଏହି ନାଁ ଥିଲା। ଏହାପରେ ମଧ୍ୟ ଫେସବୁକ୍କୁ ମୋ କଥା ଉପରେ ଭରସା ନାହିଁ। ମେଟା ଏହି ମାମଲାରେ ନିଜର ଭୁଲ ସ୍ବୀକାର କରିଛି। କମ୍ପାନୀ କହିଛି ମାର୍କଙ୍କ ଆକାଉଣ୍ଟ ଭୁଲରେ ବ୍ଲକ କରି ଦିଆଯାଇଥିଲା। ଏଥିପାଇଁ ମେଟା କ୍ଷମା ମାଗିଛି। ଏବେ ଏହାକୁ ପୁନଃ ସ୍ଥାପିତ କରି ଦିଆଯାଇଛି। ମେଟା କହିଛି, ଆମେ ମାର୍କ ଜୁକରବର୍ଗଙ୍କ ଧର୍ଯ୍ୟକୁ ପ୍ରଶଂସା କରୁଛୁ ଓ ଭବିଷ୍ୟତରେ ଏଭଳି ଯେପରି ଭୁଲ ନହେଉ,ଏଥିପାଇଁ କାମ କରୁଛୁ।