ମୁମ୍ୱାଇ, ୪।୬: ଦେଶର ଏମିତି ଏକ ଗାଁ, ଯେଉଁଠି ସବୁ ଘରେ ଚାଲୁଛି ଏସି-କୁଲର୍, କିନ୍ତୁ ବିଜୁଳି ବିଲ୍ 'ଜିରୋ' ! ଆଜିର ଆଧୁନିକ ଯୁଗରେ ବିଜୁଳି କାଟ୍ ଏବଂ ଆକାଶଛୁଆଁ ବିଜୁଳି ବିଲ୍‌ କୁ ନେଇ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ । ଗ୍ରୀଷ୍ମ ଋତୁ ଆସିଲେ ଏସି ଏବଂ କୁଲର୍ ଚଲାଇବା ପୂର୍ବରୁ ଲୋକଙ୍କୁ ଶହେ ଥର ଭାବିବାକୁ ପଡ଼େ । କିନ୍ତୁ କଳ୍ପନା କରନ୍ତୁ ଏମିତି ଗୋଟିଏ ଗାଁ ଯେଉଁଠି ପ୍ରତିଟି ଘରେ ଏସି, କୁଲର୍, ଟିଭି, ଫ୍ରିଜ୍ ଭଳି ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ୨୪ ଘଣ୍ଟା ଧରି ଚାଲୁଛି, ହେଲେ ମାସ ଶେଷରେ ବିଜୁଳି ବିଲ୍ ଆସୁଛି ବିଲକୁଲ୍ ଶୂନ୍ ଅର୍ଥାତ୍ ଜିରୋ ! ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ । ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଥିବା ଏକ ଛୋଟ ଗାଁ 'ମାନ୍ୟାଚୀୱାଡ଼ି' ଆଜି ସାରା ଦେଶ ପାଇଁ ଏକ ଉଦାହରଣ ସାଜିଛି । ଏହା ହେଉଛି ମହାରାଷ୍ଟ୍ରର ପ୍ରଥମ ୧୦୦ ପ୍ରତିଶତ ସୋଲାର ପାୱାର୍ଡ ବା ସୌରଶକ୍ତି ଚାଳିତ ଗାଁ । ସୋଲାର ଏନର୍ଜି ବଦଳାଇଦେଲା ଗାଁର ଭାଗ୍ୟ ।

ପାଟନ ତହସିଲ୍ ଅନ୍ତର୍ଗତ ଏହି ଛୋଟ ଗାଁର ଜନସଂଖ୍ୟା ମାତ୍ର ୪୨୦ ଏବଂ ଏଠାରେ ମୋଟ୍ ୧୦୨ଟି ଘର ରହିଛି । ଆଉ ସବୁଠାରୁ ବଡ଼ କଥା ହେଲା, ପ୍ରତ୍ୟେକ ଘରର ଛାତ ଉପରେ ଶୋଭା ପାଉଛି ରୁଫ୍‌ ଟପ୍ ସୋଲାର ପ୍ୟାନେଲ୍ । କେବଳ ଲୋକଙ୍କ ଘର ନୁହେଁ, ବରଂ ଗାଁର ସ୍କୁଲ୍, ଗ୍ରାମ ପଞ୍ଚାୟତ ଅଫିସ୍, ଅଙ୍ଗନୱାଡ଼ି, ଷ୍ଟ୍ରିଟ୍ ଲାଇଟ୍, ପାଣି ସପ୍ଲାଇ ଏବଂ ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଚାଲୁଛି ଏହି ସୌରଶକ୍ତିରେ । ଏଠି ମନରେ ପ୍ରଶ୍ନ ଆସୁଥିବ ଯେ ଏହି ବଡ଼ ପରିବର୍ତ୍ତନ ଆସିଲା କେମିତି ? ଏହା ପଛରେ ରହିଛି ଗାଁର ମହିଳା ଶକ୍ତିର ଏକ ବଡ଼ ଅବଦାନ । ଦିନେ ବିଜୁଳି କାଟରେ ଅତିଷ୍ଠ ହୋଇ ଗାଁର ମହିଳାମାନେ ଏହାକୁ ବଦଳାଇବାକୁ ସଙ୍କଳ୍ପ ନେଇଥିଲେ । ଗ୍ରାମ ପଞ୍ଚାୟତର ସହଯୋଗ ଏବଂ କେନ୍ଦ୍ର ସରକାରଙ୍କ 'ପିଏମ୍ ସୂର୍ଯ୍ୟ ଘର ଯୋଜନା' ମାଧ୍ୟମରେ ଆଜି ଏହି ଗାଁ ଆତ୍ମନିର୍ଭରଶୀଳ ହୋଇପାରିଛି । ଗାଁର ଏହି ସଫଳତାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି ।

ବିଶେଷ କଥା ହେଉଛି, ମାନ୍ୟାଚୀୱାଡ଼ି କେବଳ ବିଜୁଳି କ୍ଷେତ୍ରରେ ନୁହେଁ, ବରଂ ସବୁ କ୍ଷେତ୍ରରେ ବିକାଶ ପାଇଁ ଜଣାଶୁଣା । ୨୦୦୧ ମସିହାରେ ଗ୍ରାମ ପଞ୍ଚାୟତ ଗଠନ ହେବା ପରେ ଏହି ଗାଁକୁ ଏପର୍ଯ୍ୟନ୍ତ ୭୬ରୁ ଅଧିକ ପୁରସ୍କାର ମିଳିସାରିଲାଣି । ଏହି ସ୍ମାର୍ଟ ଭିଲେଜରେ ଏଭଳି କିଛି ସୁବିଧା ଅଛି, ଯାହା ବଡ଼ ବଡ଼ ସହରରେ ବି ଦେଖିବାକୁ ମିଳେନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ପଶୁମାନଙ୍କ ପାଇଁ ରହିଛି ବ୍ୟୁଟି ପାର୍ଲର । ଗୋରୁଗାଈଙ୍କ ସଫାସୁତୁରା ଓ ଯତ୍ନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ରାସ୍ତାଘାଟକୁ ସଫା ରଖିବାକୁ ଏବଂ ଗୁଟଖା ଛେପ ଫୋପାଡ଼ିବା ଲାଗି ସ୍ୱତନ୍ତ୍ର ସ୍ଥାନରେ ୱାଶ୍ ବେସିନ୍ ଲଗାଯାଇଛି । ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ସଚେତନତା ପାଇଁ ସ୍କୁଲ୍ ଏବଂ ସାର୍ବଜନୀନ ସ୍ଥାନରେ ସାନିଟାରୀ ପ୍ୟାଡ୍ ଭେଣ୍ଡିଂ ମେସିନର ବ୍ୟବସ୍ଥା କରାଯାଇଛି । ଏହା ସହିତ ସ୍କୁଲରେ ସୁନ୍ଦର ପାର୍କ, ସାଇଣ୍ଟିଫିକ୍ ୱେଷ୍ଟ ମ୍ୟାନେଜମେଣ୍ଟ ଏବଂ ୨୪ ଘଣ୍ଟା ସ୍ୱଚ୍ଛ ପିଇବା ପାଣିର ସୁବିଧା ରହିଛି । ବାସ୍ତବରେ, ମାନ୍ୟାଚୀୱାଡ଼ି ଗାଁ ପ୍ରମାଣ କରିଦେଇଛି ଯେ ଯଦି ଇଚ୍ଛାଶକ୍ତି ଥାଏ, ତେବେ ଗୋଟିଏ ସାଧାରଣ ଗାଁ ବି ସାରା ବିଶ୍ୱ ପାଇଁ ପ୍ରେରଣା ସାଜିପାରେ । ସୋଲାର ଏନର୍ଜି ଆପଣାଇ ଗ୍ରୀନ୍ ଏନର୍ଜିକୁ ପ୍ରୋତ୍ସାହନ ଦେବାରେ ଏହି ଗାଁ ଆଜି ଦେଶର ନମ୍ବର ୱାନ୍ ଗାଁ ପାଲଟିଛି । ଏଠାକାର ମହିଳାମାନେ ବଦଳାଇଛନ୍ତି ମାନ୍ୟାଚୀୱାଡ଼ି' ଗାଁର ଭାଗ୍ୟ ।