ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ସଚିବାଳୟର ଏକ ପ୍ରମୁଖ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅନେକ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି।  ଅଧିକାରୀ ମାନେ ସନ୍ଦେହ କରୁଛନ୍ତି ଯେ, ଏହି କୋଠାରେ ଜାଣି ଶୁଣି ନିଆଁ ଲଗାଯାଇଛି । ତେଣୁ ସେମାନେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଚେଷ୍ଟା କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଏକ ସାତ ଜଣିଆ କମିଟି ଗଠନ କରାଯାଇଛି । ବାଂଲାଦେଶ ସଚିବାଳୟର କୋଠା ନମ୍ବର ୭ ରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୬ ଘଣ୍ଟା ପରେ ଏହାକୁ ନିୟନ୍ତ୍ରଣକୁ ନିଆଯାଇଛି । ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ କୌଣସି ଆହତଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ।

ଅଗ୍ନିଶମ ସେବା ମୁଖ୍ୟ ବ୍ରିଗେଡିୟର୍ ଜେନେରାଲ ଜାହିଦ କମଲ କହିଛନ୍ତି ଯେ, ଗତକାଲି ମଧ୍ୟରାତ୍ରି ପରେ ତିନୋଟି ସ୍ଥାନରେ (ବିଲ୍ଡିଂର) ଏକାସାଙ୍ଗରେ ନିଆଁ ଲାଗିଯାଇଥିଲା । ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ ବିଫଳତା ଘଟିଛି, ଯେଉଁଥିପାଇଁ ଅନ୍ୟ ମନ୍ତ୍ରଣାଳୟକୁ ମଧ୍ୟ ସେମାନଙ୍କ କାର୍ଯ୍ୟ ବନ୍ଦ କରିବାକୁ ପଡିଛି। ଅଗ୍ନିକାଣ୍ଡ ଯୋଗୁଁ ସୁରକ୍ଷା ଏଜେନ୍ସିମାନେ କମ୍ପ୍ଲେକ୍ସ ଭିତରେ ପ୍ରବେଶକୁ ବାରଣ କରିଥିଲେ। ସେ କହିଛନ୍ତି ଯେ ବିଲଡିଂ ୭ ର ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ମହଲାର ଅଧିକାଂଶ କୋଠରୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆସବାବ ପତ୍ର ସହିତ ଅନେକ ଦଲିଲ ମଧ୍ୟ ଜଳିଯାଇଛି । ଏହା ବ୍ୟତୀତ ନିଆଁ ଲିଭାଇବା ପାଇଁ ବ୍ୟବହୃତ ଜଳ ଦ୍ୱାରା ଅନେକ ଦଲିଲ ମଧ୍ୟ ନଷ୍ଟ ହୋଇଯାଇଥିଲା।

ଷଡଯନ୍ତ୍ରକାରୀ ମାନେ ସେମାନଙ୍କ କାର୍ଯ୍ୟକଳାପ ବନ୍ଦ କରି ନାହାଁନ୍ତି ବୋଲି ସ୍ଥାନୀୟ ସରକାରୀ ପରାମର୍ଶଦାତା ଆସିଫ ମହମୁଦ ସାଜିବ ଭୁୟାନ କହିଛନ୍ତି। ସେ କହିଛନ୍ତି ଯେ କ୍ଷତିଗ୍ରସ୍ତ ହୋଇଥିବା ଦଲିଲ ଗୁଡ଼ିକରେ କାଗଜପତ୍ର ଏବଂ ଆୱାମୀ ଲିଗ୍ ଶାସନ ସମୟରେ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଦୁର୍ନୀତିର ଅନ୍ୟ ପ୍ରମାଣ ରହିଛି । ଆସିଫ ମହମୁଦ ସାଜିବ ଭୁୟାନ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅପରାଧରେ ଜଡିତ ଥିବା ଲୋକଙ୍କୁ ରକ୍ଷା କରାଯିବ ନାହିଁ । ଘଟଣାର ତଦନ୍ତ ପାଇଁ ଅଧିକାରୀମାନେ ଏକ ସାତ ଜଣିଆ କମିଟି ଗଠନ କରିଛନ୍ତି।