ପୁରୀ,୨୪/୦୩: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଠାରୁ କୋଣାର୍କ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ୮୦ କିଲୋମିଟର ବେଳାଭୂମିରେ ଭରି ରହିଛି ରେୟାର ଆର୍ଥ ବା ବିରଳ ମୃତ୍ତିକା । ସରକାରୀ ତଥ୍ୟ ମୁତାବକ, ଗଞ୍ଜାମ, ପୁରୀ ଓ ଜଗତସିଂପୁର ଜିଲ୍ଲାର ବେଳାଭୂମିରେ ୪୦୭.୭୨୨ ନିୟୁତ ଟନ ବିରଳ ମୃତ୍ତିକା ଗଚ୍ଛିତ ରହିଥିବା ଆକାଳନ କରାଯାଇଛି । ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା, ଏମ୍ଇସିଏଲ୍, ଓଡ଼ିଶା ଖଣି ନିଗମ, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପ୍ରମୁଖ ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥା ଏହି ଅନୁସନ୍ଧାନ କରିଛନ୍ତି । ପୁରୀର ଗଞ୍ଜାମ ସୀମାବର୍ତ୍ତୀ ତଥା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ପାଇକରାୟପୁର ଠାରୁ ମାଲୁଦ ପଞ୍ଚାୟତର ହୁଣ୍ଡା ପର୍ଯ୍ୟନ୍ତ ୧୭.୬୪ କିଲୋମିଟର ବେଳାଭୂମିରେ ୨୮.୯୨୩ ମିଲିୟନ ଟନ୍ ହେବି ମିନିରାଲ ରହିଛି ।
ସେହିପରି ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ୩୦ କିଲୋମିଟର ବେଳାଭୂମିରେ ୧୧୭.୪ ମିଲିୟନ ଟନ୍, ପୁରୀ ପୌରାଞ୍ଚଳ ଅନ୍ତର୍ଗତ ୨ କିଲୋମିଟର ବେଳାଭୂମିରେ ୭.୧୮୭ ମିଲିୟନ ଟନ୍, ପୁରୀ ସଦର ବ୍ଲକ ଅନ୍ତର୍ଗତ ତଥା ପୁରୀ ସହର ନିକଟ ନୂଆନଈ ମୁହାଣଠାରୁ କାଦୁଆ ସେକ୍ଟର ପର୍ଯ୍ୟନ୍ତ ୨୮.୩୦ କିଲୋମିଟର ବେଳାଭୂମିରେ ୬.୪୭ ମିଲିୟନ ଟନ୍, କୋଣାର୍କର ୨.୨୦ କିଲୋମିଟର ବେଳାଭୂମିରେ ୫.୨୮ ମିଲିୟନ ଟନ୍ ବିରଳ ମୃତ୍ତିକା ଗଚ୍ଛିତ ରହିଛି । ପୁରୀ ବରିଷ୍ଠ ଆଇନଜୀବୀ ଦୁର୍ଗା ରଥ କହିଛନ୍ତି, ପୁରୀ ସହରାଞ୍ଚଳ ଅନ୍ତର୍ଗତ ବେଳାଭୂମିରେ ପୂର୍ବରୁ ଦୁର୍ମୂଲ୍ୟ ବିଭିନ୍ନ ରତ୍ନ ଓ ବସ୍ତୁ ଥିବା ପ୍ରଶାସନିକ ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହି ବେଳାଭୂମି ସହ ଜିଲ୍ଲାର ବିଶାଳ ବେଳାଭୂମିରେ ଦୁର୍ଲଭ ଧାତୁ ଥିବା ମୂର୍ତ୍ତିକା ଠାବ ହୋଇଛି ।
ଅଧିକ ପଢ଼ନ୍ତୁ :- ଶ୍ରୀମନ୍ଦିର ଚାରିପାଖରେ ଲୁଚିଛି ମୂଲ୍ୟବାନ ଧାତୁ, ଏମାର ମଠ ପାର୍ଶ୍ୱ ଅଞ୍ଚଳରେ ସର୍ବାଧିକ ଭଗ୍ନାବଶେଷ
ଏହା ବିଶେଷ ଭାବେ ଇଭି ବ୍ୟାଟେରୀ ଓ ପରମାଣୁ କାର୍ଯ୍ୟ ନିର୍ମାଣ ନିମନ୍ତେ ବ୍ୟବହାର ହୋଇପାରିବ । ପ୍ରତିଦିନ ଏହାର ଚୋରା ଚାଲାଣ ହେଉଛି । ଏହା ଉପରେ ବେଆଇନ କୋଠାବାଡ଼ି ନିର୍ମାଣ ହେଉଛି । ତେଣୁ ଏହି ବିରଳ ମୃତ୍ତିକାର ଅପବ୍ୟବହାର ରୋକିବା ନିମନ୍ତେ ପ୍ରଶାସନ ଠୋସ୍ ପଦକ୍ଷେପ ନେବା କଥା । ପୁରୀର ଏହି ବିସ୍ତୀର୍ଣ୍ଣ ବେଳାଭୂମି ଉପରେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ । ଏହି ବିରଳ ମୃତ୍ତିକାକୁ ବ୍ୟବହାର କରି ଗଞ୍ଜାମରେ ପ୍ରୋସେସିଂ ପ୍ଲାଣ୍ଟ ହୋଇଛି । ତେଣୁ ପୁରୀ ଜିଲ୍ଲାରେ ମଧ୍ୟ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚିତ୍ ପଦକ୍ଷେପ ନିଆଯିବା ଉଚିତ୍ ବୋଲି ଶ୍ରୀ ରଥ କହିଛନ୍ତି।