ପୁରୀ,୨୪/୦୩: ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଲୁଚିରହିଛି ଅନେକ ମୂଲ୍ୟବାନ ଧାତୁ । ମାଟି ତଳେ ଦବି ଯାଇଛି ଅନେକ କୀର୍ତ୍ତିରାଜି । ଦେଢ଼ଶହରୁ ଊଦ୍ଧ୍ୱର୍ ପୁରାତନ ଭଗ୍ନାବଶେଷ ଶ୍ରୀମନ୍ଦିରର ୭୫ ମିଟର ପରିସୀମା ମଧ୍ୟରେ ରହିଛି । ସର୍ବାଧିକ ଭଗ୍ନାବଶେଷ ଓ ଧାତୁ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଦକ୍ଷିଣଦ୍ୱାର ମଧ୍ୟରେ ରହିଛି । ଏହାସହ ଲୁଚିଯାଇଛି ଅନେକ ପୁରାତନ ସୁଡ଼ଙ୍ଗ, କୋଠରୀ, ଜଳ ନିଷ୍କାସନ ପଥ, ପ୍ରାଚୀନ ମୂର୍ତ୍ତି ଓ ଅନେକ କୀର୍ତ୍ତି । ୪ ବର୍ଷ ତଳେ ଆଇଆଇଟି ଗାନ୍ଧିନଗର ପକ୍ଷରୁ ହୋଇଥିବା ସର୍ଭେରେ ଏସବୁ ଜଣାପଡ଼ିଥିଲା। ହେଲେ ସେ ସମୟରେ ଚପେଇ ଦେଇଥିଲେ ଏହି ରିପୋର୍ଟ । ଯାହା ସହିତ ଦବିଯାଇଛି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ନେଇ ଅନେକ ଅକୁହା ଐତିହ୍ୟ ।
ଆଇଆଇଟି ଗାନ୍ଧିନଗର ପକ୍ଷରୁ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳକୁ ୯ ଭାଗ କରି ଜିପିଆର୍ (ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର୍) ସର୍ଭେ କରାଯାଇଥିଲା । ସେଥିମଧ୍ୟରୁ ଏମାର ପାଠ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ତଳୁ ସର୍ବାଧିକ ୪୩ଟି ଐତିହାସିକ ଭଗ୍ନାବଶେଷ ମିଳିଛି । ଏହା ସବୁ ଭୂମିର ୦.୬ ମିଟରଠାରୁ ଆରମ୍ଭ କରି ୪.୮ ମିଟର ମଧ୍ୟରେ ରହିଛି । ୦.୮ ମିଟରର ୧.୬ ମିଟର ମଧ୍ୟରେ କିଛି ଧାତୁ ଜାତୀୟ ସାମଗ୍ରୀ ଥିବା ମଧ୍ୟ ଜିପିଆର୍ ରିପୋର୍ଟରୁ ଜଣାପଡ଼ିଛି । ଯାହା କୌଣସି ମୂଲ୍ୟବାନ ଅଳଙ୍କାର ହୋଇଥାଏପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବୁଢ଼ିମା ମନ୍ଦିର ନିକଟବର୍ତ୍ତୀ ସ୍ଥାନ ଯାହା ଏବେ ପାର୍କିଂ ନିମନ୍ତେ ବ୍ୟବହୃତ ହେଉଛି ସେଠାରୁ ମାଟି ତଳେ ୯.୬ ମିଟର ଲମ୍ବ ଓ ୮.୪ ମିଟର ଚଉଡ଼ାର ଏକ ଚାରିକୋଣିଆ ଧ୍ୱଂସାବଶେଷ ଠାବ ହୋଇଛି ।
ଏହା କ’ଣ ସ୍ପଷ୍ଟ ହୋଇପାରିନାହିଁ । ଏହାସହ ଶ୍ରୀମନ୍ଦିର ସିଂହଦ୍ୱାର ଭୂମି ତଳେ ମଧ୍ୟ ୩୭ ଭଗ୍ନାବଶେଷ ରହିଛି । ଏଠାରେ ୦.୭ ମିଟରରୁ ୧.୮ ମିଟର ତଳେ ଧାତୁ ସଦୃଶ୍ୟ ସାମଗ୍ରୀ ଠାବ ହୋଇଛି । ଏଠାରେ ଜଗାବଳିଆ ଲଜ୍ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ପ୍ରାୟ ଭଗ୍ନାବଶେଷ ଦେଖିବାକୁ ମିଳିଛି, ଯାହା କୌଣସି ପ୍ରାକୃତିକ ଦୁର୍ବିପାକରୁ ଧ୍ୱଂସ ହୋଇଥିବା ସନ୍ଦେହ କରାଯାଉଛି । ସେହିଭଳି ରଥଖଳା ଅଞ୍ଚଳରେ ୧୮ ଭଗ୍ନାବଶେଷ ମିଳିଛି । ଏହି ଅଞ୍ଚଳ ୦.୬ରୁ ୨.୫ ମିଟର ତଳେ ଧାତବ ସାମଗ୍ରୀ ଚିହ୍ନଟ ହୋଇଛି । ଏହାସହ ଏଠାରେ ମାଟି ତଳେ ଖେଳପଡ଼ିଆ ଭଳି ଜାଗା ଚିହ୍ନଟ ହୋଇଛି । ଶ୍ରୀମନ୍ଦିର ଉତ୍ତର-ପୂର୍ବ ଅଞ୍ଚଳରେ ୨୨ ଭଗ୍ନାବଶେଷ ରହିଛି । ଏହି ମାଟି ତଳେ ଏକ ପ୍ରାଚୀର ମଧ୍ୟ ମିଳିଛି । ଏହାସହ ସୁଡ଼ଙ୍ଗ କିମ୍ବା ଜଳ ନିଷ୍କାସନ ପଥ ପ୍ରାୟ ୧୨ଟି ଅବଶେଷ ଚିହ୍ନଟ ହୋଇଛି । ଏଠାରେ ୦.୬ରୁ ୩.୮ ମିଟର ମାଟି ତଳେ ଧାତୁ ପ୍ରାୟ ସାମଗ୍ରୀ ରାଡାର୍ରେ ଚିହ୍ନଟ ହୋଇଛି। ଉତ୍ତର ଦ୍ୱାର ପାଶ୍ୱର୍ ଅଞ୍ଚଳରେ ୨୦ ଭଗ୍ନାବଶେଷ ମିଳିଛି । ଏଠାରେ ୦.୭ରୁ ୨.୨ ମିଟର ଅଞ୍ଚଳ ମଧ୍ୟରେ ଧାତବ ସାମଗ୍ରୀ ଥାଇପାରେ ବୋଲି ସନ୍ଦେହ କରାଯାଇଛି।
ଅଧିକ ପଢ଼ନ୍ତୁ :- ପୁରୀ ମାଟିତଳେ ଗଙ୍ଗବଂଶ ସମୟର ପ୍ରାଚୀନ ନଗରୀ, ଶ୍ରୀମନ୍ଦିରରୁ ସମୁଦ୍ର ଯାଏଁ ଅଛି ସୁଡ଼ଙ୍ଗ
ଉତ୍ତର- ପଶ୍ଚିମ ଅଞ୍ଚଳରେ ୪ ଭଗ୍ନାବଶେଷ ମିଳିଥିବା ବେଳେ ୦.୭ରୁ ୧.୩ ମିଟର ମଧ୍ୟ ଧାତବ ସାମଗ୍ରୀ ଥାଇପାରେ ବୋଲି ଜଣାପଡ଼ିଛି । ସେହିଭଳି ପଶ୍ଚିମଦ୍ୱାର ଅଞ୍ଚଳରେ ୩୦ ଭଗ୍ନାବଶେଷ ଚିହ୍ନଟ ହୋଇଛି । ଏଠାରେ ୦.୭ରୁ ୧.୩ ମିଟର ମାଟି ତଳେ ଧାତବ ସାମଗ୍ରୀ ଥାଇପାରେ ବୋଲି ଜିପିଆର୍ ରିପୋର୍ଟ କହିଛି । ସେହିଭଳି ଦକ୍ଷିଣ ପଶ୍ଚିମ ଦ୍ୱାର ଅଞ୍ଚଳରେ ୪ ଭଗ୍ନାବଶେଷ ମିଳିଛି । ଏଠାରେ ୦.୭ରୁ ୧.୩ ମିଟର ଅଞ୍ଚଳ ତଲେ ଧାତବ ସାମଗ୍ରୀ ଥାଇପାରେ ବୋଲି ଜଣାପଡ଼ିଛି । ଦକ୍ଷିଣ ଦ୍ୱାର ପାଶ୍ୱର୍ବର୍ତ୍ତୀ ସ୍ଥାନରେ ୧୯ ଭଗ୍ନାବଶେଷ ମିଳିଛି । ଏହି ମାଟି ତଳେ ଇଂରାଜୀ ଅକ୍ଷର ‘ଟି’ ସଦୃଶ୍ୟ ଅବଶେଷ ଦେଖିବାକୁ ମିଳିଛି । ଏହାଛଡ଼ା ଏଠାରେ ମଧ୍ୟ ଚାରିକୋଣିଆ ଭଗ୍ନାବଶେଷ ଦେଖାଯାଇଛି। ଏଠାରେ ୦.୮ ମିଟରରି ୧.୬ ମିଟର ତଳେ ଧାତବ ସାମଗ୍ରୀ ଥାଇପାରେ ବୋଲି ଜଣାପଡ଼ିଛି ।
ଏହାସହ ସର୍ଭେ ରିପୋର୍ଟରେ ସମୁଦ୍ରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସୁଡ଼ଙ୍ଗ ଥିବା ମଧ୍ୟ ସନ୍ଦେହ କରାଯାଇଛି । ଐତିହ୍ୟ ବିଶେଷଜ୍ଞ ତଥା ଇନ୍ଟାକ୍ର ଭୁବନେଶ୍ୱର ଚାପ୍ଟର କନଭେନର୍ ଅନୀଲ ଧୀର କହିଛନ୍ତି, ଏହି ସର୍ଭେ କରିବା ପାଇଁ ଆମେ ଦାବି କରିଥିଲୁ । ହେଲେ ଏହି ରିପୋର୍ଟକୁ ପ୍ରକାଶ ନ କରି ଚାପି ଦିଆଗଲା । ରୋଗ ପରୀକ୍ଷା କରି ରୋଗ ଚିହ୍ନଟ ପରେ ଡାକ୍ତରଙ୍କୁ ରିପୋର୍ଟ ନ ଦେଖାଇବା ସହ ଏହା ସମାନ । ଶ୍ରୀମନ୍ଦିର ଏକ ବାଲିସ୍ତୂପ ଉପରେ ନିର୍ମିତ । ଏହା ଚାରିପାଖେ ଖୋଳାଖୋଳି କରି ଏସବୁ କାଢ଼ିଲେ ମନ୍ଦିର ଉପରେ ବିପଦ ସୃଷ୍ଟି ହୋଇପାରେ । ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏସବୁ ଉପରୁ ପରଦା ଉଠାଇବା ପାଇଁ ନିଶ୍ଚିତ ଚେଷ୍ଟା କରାଯାଇ ପାରିଥାନ୍ତା ।