ମୁଁ ଡ୍ରିଙ୍କ୍ କରିଛି… କିନ୍ତୁ ଫୁଙ୍କିବିନି, ବାଧ୍ୟ କରନ୍ତୁନି ସାର୍… ବଡ଼ଦାଣ୍ଡରେ ହଙ୍ଗାମା କଲେ ମାତାଲ ଯୁବକ

ପୁରୀ,୦୮/୧୨: ମୁଁ ଡ୍ରିଙ୍କ୍ କରିଛି ସତ… । କିନ୍ତୁ ଫୁଙ୍କିବିନି…. । ସରି ସାର୍… । ଜମାରୁ ହବନି… । କହିଲି ତ ପିଇଛି ବୋଲି… । ମୋ ପାଇଁ ଆପଣ ଫୁଙ୍କି ଦେଉନାହାନ୍ତି…. । ଭଲରେ କହୁଛି ମୋତେ ବାଧ୍ୟ କରନ୍ତୁନି… । ପରିସ୍ଥିତି ଭଲ ହେବନି କହିଦେଲି… । ଏମିତି ଅନେକ କଥା କହି ପୁଲିସକୁ ଧମକ ଦେଇଥିଲା ଜଣେ ମଦ୍ୟପ । ନିଶାସକ୍ତ ଅବସ୍ଥାରେ ବାଇକ ଚଳାଇ ଯାଉଥିବା ଯୁବକ ଜଣକ ଡାକ୍ତରଖାନା ଛକରେ ଅନ୍ୟ ଏକ ବାଇକକୁ ଧକ୍କା ଦେବା ପରେ ଟ୍ରାଫିକ୍ ପୁଲିସକୁ କରିଛି ନାକେଦମ୍ । ଏଭଳି ଏକ ଘଟଣା ବୁଧବାର ରାତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବୁଧବାର ରାତି ପ୍ରାୟ ୯ଟା । ମଦ୍ୟପ ଜଣକ ଏକ ବାଇକ୍ (ଓଡି-୧୩କେ-୩୨୪୭) ଯୋଗେ ଦ୍ରୁତ ଗତିରେ ଯାଉଥିଲା । ଡାକ୍ତରଖାନା ଛକ ଟ୍ରାଫିକ୍ ପୋଷ୍ଟ ନିକଟରେ ଅନ୍ୟଏକ ବାଇକ (ଓଡି-୦୨ସିବି-୮୨୩୭)କୁ ଧକ୍କା ଦେଇଥିଲା ଉକ୍ତ ବାଇକ୍ରେ ଥିବା ୨ ଜଣ ଛିଟିକି ପଡ଼ି ରକ୍ତାକ୍ତ ହୋଇଥିଲେ । ବାଇକ୍ ଭାଙ୍ଗି ଯାଇଥିଲା । ସେପଟେ ମଦ୍ୟପ ଯୁବକ ଜଣକ ମଧ୍ୟ ବାଇକ୍ରୁ ପଡ଼ି ଖଣ୍ଡିଆଖାବରା ହୋଇଥିଲା । ଏହି ସମୟରେ ଉପସ୍ଥିତ ଟ୍ରାଫିକ୍ ପୁଲିସ ସେଠାରେ ପହଞ୍ଚି ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ମଦ୍ୟପର ଉନ୍ମତ୍ତ କାଣ୍ଡ । ବଡ଼ଦାଣ୍ଡରେ ପୁଲିସକୁ ପିଟିବାକୁ ଗୋଡ଼ାଇଥିଲା । ମୁଁ କ’ଣ ମଦୁଆ ବୋଲି ପ୍ରଶ୍ନ କରି ପୁଲିସକୁ ଗାଳିଗୁଲଜ କରିଥିଲା । ପୁଲିସ ତାକୁ ରାସ୍ତା ଉପରୁ ନେଇ ଟ୍ରାଫିକ୍ ଆଉଟ୍ପୋଷ୍ଟରେ ବସାଇଥିଲା ।
ଏହାପରେ ବ୍ରେଥ୍ ଆନାଲାଇଜର୍ ଲଗାଇ କେତେ ମଦ ପିଇଛି ତାହାର ପରିମାଣ ମାପିବାକୁ ଉଦ୍ୟମ କରିଥିଲା ପୁଲିସ । କିନ୍ତୁ ଫୁଙ୍କିଲେ ମାମଲା ରୁଜୁ କରିଦେବ ବୋଲି କହି ପୁଲିସକୁ ବିରୋଧ କରିଥିଲା ସମ୍ପୃକ୍ତ ଯୁବକ । ହେଲେ ପୁଲିସ ବି ଛାଡ଼ି ନଥିଲା । ୫ ଜଣ ଅଧିକାରୀ ଓ କର୍ମଚାରୀ ମିଶି ମାପିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ । ହେଲେ ଯୁବକ ଜଣକ ଆଉଟ୍ ପୋଷ୍ଟ୍ରେ ପୁଲିସକୁ ତୁ କିଏ, ମୋ ନିଶା ଛାଡୁ ଦେଖିଦେବି ବୋଲି କହି ଅଶ୍ଳୀଳ ଭାଷାରେ ଗାଳି କରିଥିଲା ।
ଘଟଣାଟି ପ୍ରଘଟ ହେବା ପରେ ବଡ଼ଶଙ୍ଖ ସ୍ଥିତ ଅଭୟ ମହାବୀର ମନ୍ଦିରରେ ସେ କାମ କରେ ବୋଲି ଜଣାପଡିଥିଲା । ମାଲିକର ବାଇକ ନେଇ ମଦ୍ୟପାନ କରି ବୁଲୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପ୍ରାୟ ଦେଢ ଘଣ୍ଟା ପରେ ମନ୍ଦିର ଦାୟିତ୍ୱ ନେଇଥିବା ବ୍ୟକ୍ତି ତଥା ମଦ୍ୟପ ଯୁବକର ମାଲିକ ଆସି ତାକୁ ବୁଝାସୁଝା କରିଥିଲେ । ଏହାପରେ ଯୁବକ ଜଣକ ମେସିନ୍ରେ ଫୁଙ୍କିଥିଲା । ଶେଷରେ ଯୁବକ କେତେ ମଦ୍ୟପାନ କରିଛି ତାହା ଜଣାପଡିଥିଲା । ପୁଲିସ ତାକୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେପଟେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ମଧ୍ୟ ଚିକିତ୍ସା ହୋଇ ଟ୍ରାଫିକ୍ ଥାନାକୁ ଯାଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ୨ଟି ବାଇକ ପୁଲିସ ନିଜ ଅକ୍ତିଆରରେ ରଖିଛି ।