ବରଗଡ଼,୨୮/୦୨: ଶୁକ୍ରବାର ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ଯାଏଁ ପରୀକ୍ଷା । ସେଥିପାଇଁ ୭ଟା ୩୦ରୁ ୮ଟା ୧୫ ଯାଏଁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟ ଧାର୍ଯ୍ୟ କରାଯାଇଛି । ସାଢ଼େ ୮ରେ ଓଏମ୍ଆର ସିଟ୍ ବଣ୍ଟା ଯାଉଥିବା ବେଳେ ୮ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବା ବ୍ୟବସ୍ଥା ରହିଛି । ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେଉଛି । ୯ଟାରୁ ଅବଜେକ୍ଟିଭ ପରୀକ୍ଷା ଆରମ୍ଭ ହେଉଛି । ଠିକ୍ ଘଣ୍ଟାଏ ପରେ ୧୦ଟାରେ ଓଏମଆର ସିଟ୍ ସଂଗ୍ରହ କରାଯାଇ ପରବର୍ତ୍ତୀ ଦେଢ଼ ଘଣ୍ଟାରେ ସବଜେକ୍ଟିଭ ପରୀକ୍ଷା କରାଯିବାକୁ ନିୟମ ରହିଛି ଯାହାକୁ କଡ଼ାକଡ଼ି ପାଳନ ପାଇଁ ପ୍ରତିସ୍ତରରେ ଦାୟିତ୍ୱବାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ପରୀକ୍ଷା ଆରମ୍ଭ ପୂର୍ବରୁ ଭାଇରାଲ୍ ହୋଇଛି ମାଟ୍ରିକ୍ ହାତଲେଖା ପ୍ରଶ୍ନପତ୍ର ଏବଂ ଓଏମ୍ଆର ସିଟ୍ । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଏଭଳି ମହାବିଭ୍ରାଟ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହ ମେଧାବୀଙ୍କ ଭବିଷ୍ୟତକୁ ଶଙ୍କା ଭିତରକୁ ଠେଲିଦେଇଛି ।
ମାଟ୍ରିକ୍ ପରୀକ୍ଷାରେ ଶୁକ୍ରବାର ସାମାଜିକ ବିଜ୍ଞାନ (ସୋସିଆଲ୍ ସାଇନ୍ସ) ପରୀକ୍ଷା ଥିଲା । ହେଲେ ପୂର୍ବାହ୍ନ ୮ଟା ୪୫ରେ ବଣ୍ଟା ଯାଉଥିବା ପ୍ରଶ୍ନପତ୍ରର ହାତଲେଖା ନକଲ ୮ଟା ୩୨ରେ ପ୍ରଘଟ ହୋଇଯାଇଥିଲା । ସମସ୍ତ ଚାରୋଟି ସେଟ୍ର ଓଏମଆର ଉତ୍ତରପତ୍ରର ନକଲ ମଧ୍ୟ ଭାଇରାଲ୍ ହୋଇ ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲିଥିଲା । ୯ଟାରୁ ଆରମ୍ଭ ହେଉଥିବା ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଲେଖାଯାଇଥିବା ଓଏମ୍ଆର ସିଟ ୯ଟା ୨୪ରେ ପରୀକ୍ଷା କେନ୍ଦ୍ର ଭିତରୁ ବାହାରକୁ ଆସିଯାଇଥିବାରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି । ହେଲେ ଏହା ପଦ୍ମପୁରରୁ ଲିକ୍ ହୋଇଛି କି ବାହାରୁ ଆସିଛି³ ତାହା ଅସ୍ପଷ୍ଟ ରହିଛି । ଉତ୍ତରପତ୍ର ପଠାଯାଇଥିବା ଜଣେ ବ୍ୟକ୍ତିଙ୍କ ହ୍ୱାଟସ୍ଆପ ମେସେଜ ତଦନ୍ତସାପେକ୍ଷ ହୋଇଛି ।
ଅଧିକ ପଢ଼ନ୍ତୁ :- ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା: ମାର୍ଚ୍ଚ ୧୯ରୁ ଖାତା ମୂଲ୍ୟାୟନ,ଏହି ତାରିଖରେ ବାହାରିବ ଫଳ
ମେସେଜ ତଥ୍ୟାନୁସାରେ, ଫରୱାର୍ଡ ମେନି ଟାଇମ୍ସ ଉଲ୍ଲେଖ ଥିବାରୁ ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ଏହା ପଠାଯାଇଥିବା ଜଣାପଡ଼ୁଛି । ପୁଣି ପ୍ରତି ହ୍ୱାଟସଆପ ମେସେଜ ତଳେ ୨୭ ଫେବ୍ରୁଆରୀ ସହ ପଠାଯାଇଥିବା ସମୟ ୮ଟା ୩୨/୮ଟା ୩୪/୯ଟା ୨୪ ଉଲ୍ଲେଖ ରହିଛି । ସେହିଭଳି ଓଏମ୍ଆର ଉତ୍ତରପତ୍ରରୁ ପିଡିଏଫ୍ କରାଯାଇ ମୋବାଇଲ୍ରେ କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପଠାଯାଇଛି । ପ୍ରଶ୍ନପତ୍ର ଓ ଉତ୍ତରପତ୍ର ସମେତ ଓଏମଆର ସିଟ୍ ପୂର୍ବରୁ ଧାର୍ଯ୍ୟ ନୋଡାଲ ସେଣ୍ଟର ଷ୍ଟ୍ରଙ୍ଗ୍ରୁମରେ ଏଆଇ ପରିଚାଳିତ ସିସିଟିଭି ନଜରରେ ରଖାଯାଇଛି ବୋଲି ବୋର୍ଡ ଦାବି କରୁଛି । କିନ୍ତୁ ପରୀକ୍ଷା ଆରମ୍ଭ ପୂର୍ବରୁ ମୋବାଇଲ୍କୁ ପ୍ରଶ୍ନପତ୍ର ଏବଂ ଉତ୍ତରପତ୍ର ଆସିଲା କେମିତି ବୋଲି ଅଭିଭାବକଙ୍କ ପ୍ରଶ୍ନ ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ତଦନ୍ତ କରିବାକୁ ଦାବି ହେଉଛି । ଏନେଇ ସମ୍ବଲପୁର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଡେପୁଟି ସେକ୍ରେଟାରି ସୋମନାଥ ମୁର୍ମୁଙ୍କୁ ପଚରା ଯିବାରୁ ଆମ ନିକଟରେ ସେଭଳି କୌଣସି ସୂଚନା ନାହିଁ କିମ୍ବା କେହି ଆପତ୍ତି ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି ।