ମାଟ୍ରିକ୍ ରେଜଲ୍ଟ ଚୂଡ଼ାନ୍ତ ପ୍ରସ୍ତୁତି ନେଇ ସ୍ଥିତି ଜଟିଳ: ଛିଡ଼ୁନି ଏସ୍ଏ-୧ ଓ ୨ର ଅଙ୍କ, ଚିନ୍ତାରେ ବୋର୍ଡ

କଟକ,୨୬/୦୬: ଆଶା କରାଯାଉଥିଲା, ଜୁନ୍ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ । କିନ୍ତୁ ଏଥରର ନୂଆ ପରୀକ୍ଷା ବ୍ୟବସ୍ଥାରେ ଫଳ ପ୍ରସ୍ତୁତି ବିଳମ୍ବିତ ହେଉଛି । ଏଭଳି ସ୍ଥିତିରେ ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଶନିବାର ଗଣମାଧ୍ୟମକୁ ଆଶା ଦେଖାଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଖାତାଦେଖା ଓ ଟାବୁଲେସନ୍ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଉଛି । ଆମେ ଆଶାବାଦୀ ଯେ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ବାହାରିବ ।
ଅପରପକ୍ଷରେ କିନ୍ତୁ ଟାବୁଲେସନ୍ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଫଳାଫଳ ପ୍ରସ୍ତୁତିକୁ ନେଇ ଜଟିଳ ସ୍ଥିତିରେ ଘାଣ୍ଟି ହେଉଛି ପରୀକ୍ଷା ପରିଚାଳନାକାରୀ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ସମେଟିଭ୍ ଆସେସ୍ମେଣ୍ଟ୍ ଖାତା ଦେଖା ଓ ଟାବୁଲେସନ୍ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ଫଳାଫଳ ପ୍ରସ୍ତୁତ ହୋଇପାରୁନାହିଁ । ପରୀକ୍ଷାର୍ଥୀଙ୍କ ସମେଟିଭ୍ ଆସେସ୍ମେଣ୍ଟ-୧ ଏବଂ ସମେଟିଭ୍ ଆସେସମେଣ୍ଟ-୨ର ଫଳ ମଧ୍ୟରୁ ଯେଉଁଥିରେ ସର୍ବାଧିକ ମାର୍କ ରହିଥିବ ସେହି ମାର୍କକୁ ଆଧାର କରି ଚୂଡ଼ାନ୍ତ ରେଜଲ୍ଟ ପ୍ରସ୍ତୁତ କରାଯିବାର ଜଟିଳ ଅଙ୍କ ଭିତରେ ଫସିଛି ବୋର୍ଡ । ଅଙ୍କ ଛିଡ଼ୁନଥିବାରୁ ଅଦ୍ୟାବଧି ରେଜଲ୍ଟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇପାରୁନାହିଁ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ରେଜଲ୍ଟ ପ୍ରସ୍ତୁତିରେ ବିଳମ୍ବ ହେଉଥିବାରୁ ଫଳ ପ୍ରକାଶନର ପ୍ରକୃତ ତାରିଖକୁ ନେଇ କର୍ତ୍ତୃପକ୍ଷ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ତଥାପି ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ପୁରୁଣା ମାଟ୍ରିକ୍ ପରୀକ୍ଷା ଢାଞ୍ଚାକୁ ବୋର୍ଡ ରଦ୍ଦ କରି ଚଳିତ ବର୍ଷ ନୂଆ ବ୍ୟବସ୍ଥାରେ ପରୀକ୍ଷା ଆୟୋଜନ କରିଥିଲା । ବୋର୍ଡ କର୍ତ୍ତୃପକ୍ଷ ନିଜ ଉଦ୍ୟମରେ ପ୍ରଥମେ ଗତ ଜାନୁଆରୀରେ ଏସ୍ଏ-୧ ପରୀକ୍ଷା ରାଜ୍ୟରେ କରାଇଥିଲେ । ସେହିପରି ଏପ୍ରିଲ୍ ୨୯ରୁ ଏସ୍ଏ-୨ ପରୀକ୍ଷା କରାଇଥିଲେ । ଏସ୍ଏ-୧ ଏବଂ ଏସ୍ଏ-୨ ପରୀକ୍ଷାଫଳକୁ ମିଶାଇ ରେଜଲ୍ଟ ପ୍ରସ୍ତୁତ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ନିୟମ ଧାର୍ଯ୍ୟ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ଉକ୍ତ ନିୟମରେ ପରିବର୍ତ୍ତନ କରିଥିଲା । ବୋର୍ଡ ଦ୍ୱାରା ପରିଚାଳିତ ୨ଟି ଯାକ ପରୀକ୍ଷା ମଧ୍ୟରୁ ପରୀକ୍ଷାର୍ଥୀ ଯେଉଁଥିରେ ସର୍ବୋଚ୍ଚ ନମ୍ବର ରଖିବେ ଉକ୍ତ ନମ୍ବର ଆଧାରରେ ରେଜଲ୍ଟ ପ୍ରସ୍ତୁତ କରାଯିବ ବୋଲି ସ୍ଥିର କରାଯାଇଥିଲା । ଏସବୁ ପ୍ରସ୍ତୁତି ମଧ୍ୟରେ ଦୁଇଟି ଯାକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି ଅଧିକ ଅଡ଼ୁଆ ସୃଷ୍ଟି କରିଛି ।
ରାଜ୍ୟରେ ଏସ୍ଏ-୧ରେ ପ୍ରାୟ ୩୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ଏସ୍ଏ-୨ରେ ପ୍ରାୟ ୪୩ ହଜାର ପିଲା ପରୀକ୍ଷା ଦେଇନଥିଲେ । କିଛି ପରୀକ୍ଷାର୍ଥୀ ଏସ୍ଏ-୧ରେ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ ଏସ୍ଏ-୨ରେ କେତେକ ବିଷୟରେ ଅନୁପସ୍ଥିତ ରହିଛନ୍ତି । ଏସ୍ଏ-୧ ଏବଂ ଏସ୍ଏ-୨ରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କର କେଉଁ ଆଧାରରେ ଚୂଡ଼ାନ୍ତ ରେଜଲ୍ଟ ପ୍ରସ୍ତୁତ କରାଯିବ ସେହି ଜଟିଳ ଗଣିତ ଭିତରେ ଏବେ ବୋର୍ଡ ଉବୁଟୁବୁ ହେଉଛି । ଏପରି ସ୍ଥିତିରେ ଟାବୁଲେସନ୍ ପ୍ରକ୍ରିୟାରେ ପ୍ରାୟ ୫ ହଜାର ପରୀକ୍ଷାର୍ଥୀଙ୍କ ଜୋନ୍ କୋଡ୍ ସହ ପରୀକ୍ଷାଖାତାର କୋଡ୍ ଏବଂ ରୋଲ୍ ନମ୍ବର୍ ମେଳ ନଖାଇବାରୁ ବୋର୍ଡକୁ ଦୁଇ ଗୁଣା ଅଧିକ ପରିଶ୍ରମ କରିବାକୁ ପଡ଼ିଥିବା ବି ଜଣାପଡ଼ିଛି।