ନୂଆଦିଲ୍ଲୀ,୦୪/୦୪; ମୁମ୍ବାଇ କ୍ରିକେଟ୍ ଆସୋସିଏସନ ପକ୍ଷରୁ ଏକ ନୂଆ ଷ୍ଟାଡ଼ିୟମ୍ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି (ପୂର୍ବରୁ ମୋଟେରା) ଷ୍ଟାଡ଼ିୟମ୍ ଭଳି ଏହି ନୂଆ ଷ୍ଟାଡ଼ିୟମ୍ରେ ଦର୍ଶକ ଧାରଣ କ୍ଷମତା ୧ଲକ୍ଷରୁ ଊଦ୍ଧ୍ୱର୍ ରଖିବାକୁ ପ୍ରସ୍ତାବ ରହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମଧ୍ୟ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।
୨୦୨୪ରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ ପକ୍ଷରୁ ୧୦୦ ଏକର ଜମି ପ୍ରଦାନ କରିବାକୁ ମହାରାଷ୍ଟ୍ର ରାଜ୍ୟ ଓ ଆଞ୍ଚଳିକ ଉନ୍ନୟନ କର୍ପୋରେସନଙ୍କ ନିକଟରେ ନିବେଦନ କରାଯାଇଥିଲା । ଦକ୍ଷିଣ ମୁମ୍ବାଇରୁ ୬୦ କିଲୋ ମିଟର ଦୂର ଥାନେ ନିକଟସ୍ଥ ଅଞ୍ଚଳରେ ୧୦୦ ଏକ ଜମି ଚିହ୍ନଟ କରାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜମି ପ୍ରଦାନ କରାଯାଇ ନାହିଁ । ଗତ ବର୍ଷ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ରୋହିତ ଶର୍ମାଙ୍କ ନାମରେ ଷ୍ଟାଣ୍ଡ୍ ଉଦ୍ଘାଟନ ସମୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନୂଆ ଷ୍ଟାଡ଼ିୟମ୍ ପାଇଁ ଉତ୍ସୁକ ଥିବା ପ୍ରକାଶ କରିଥିଲେ । ନିକଟରେ ଆସୋସିଏସନ୍ ସଭାପତି ଅଜିଙ୍କ୍ୟ ନାଏକ ଓ ସିଡକୋ ପରିଚାଳନା ନିର୍ଦ୍ଦେଶକ ବିଜୟ ସଙ୍ଘଲଙ୍କ ମଧ୍ୟରେ ନୂଆ ଷ୍ଟାଡ଼ିୟମ୍କୁ ନେଇ ବିସ୍ତୃତ ଆଲୋଚନା ହୋଇଛି ।
ଏହା ବି ପଢନ୍ତୁ...CSKର ଦ୍ବିତୀୟ ପରାଜୟ, ୫ ଓ୍ବିକେଟରେ ଜିତିଲା ପଞ୍ଜାବ କିଙ୍ଗ୍ସ
ସୂଚନାଯୋଗ୍ୟ, ମୁମ୍ବାଇରେ ବ୍ରାବୋର୍ଣ୍ଣ, ୱାଙ୍ଖଡ଼େ ଓ ଡି ୱାଇ ପାଟିଲ ଭଳି କ୍ରିକେଟ ଷ୍ଟାଡ଼ିୟମ ରହିଛି । ୱାଙ୍ଖଡ଼େ ଷ୍ଟାଡ଼ିୟମ୍ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ୍ ଓ ଡି ୱାଇ ପାଟିଲ ଷ୍ଟାଡ଼ିୟମ୍ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ କରୁଛି । ୱାଙ୍ଖଡ଼େର ଦର୍ଶକ ଧାରଣ କ୍ଷମତା ମାତ୍ର ୩୧,୦୦୦ ରହିଛି ।