ନୂଆଦିଲ୍ଲୀ, ୦୫/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭାରତକୁ ନେଇ ବଡ଼ ଗୁଜବ। ଇରାନ ଉପରେ ଆକ୍ରମଣ କରିବାକୁ ଭାରତକୁ ବ୍ୟବହାର କରୁଛି ଆମେରିକା। ଭାରତୀୟ ବନ୍ଦର ଗୁଡ଼ିକରୁ କରାଯାଉଛି ମିଶାଇଲ୍ ବର୍ଷା। ଆମେରିକୀୟ ଚ୍ୟାନେଲ୍ ୱାନ ଆମେରିକା ନ୍ୟୁଜ୍ ନେଟୱାର୍କ ଏଭଳି ଖବର ପ୍ରସାରଣ କରିଥିଲା। ଏହାପରେ ଆମେରିକାର ପୂର୍ବତନ ଆର୍ମି କର୍ଣ୍ଣଲ ଡଗଲସ୍ ମ୍ୟାକଗ୍ରେଗର ଏକ ସାକ୍ଷାତକାରରେ ମଧ୍ୟ ଏଭଳି ଦାବି କରିଥିଲେ। ଯାହାକୁ ଏବେ ଭାରତର ବୈଦେଶିକ ମନ୍ତ୍ରାଳୟ ଖାରଜ କରିଛି। ଭାରତୀୟ ବନ୍ଦର କିମ୍ଵା ନାଭାଲ୍ ବେସ୍ ରୁ ଆମେରିକା ଇରାନ ଉପରେ ଆକ୍ରମଣ କରୁନାହିଁ ବୋଲି MEA ସ୍ପଷ୍ଟ କରିଛି। ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ବୈଦେଶିକ ମନ୍ତ୍ରାଳୟ ଏକ୍ସରେ ପୋଷ୍ଟ କରି ସ୍ପଷ୍ଟ କରିଛି।

ଆମେରିକାର ପୂର୍ବତନ ଆର୍ମି କର୍ଣ୍ଣଲ ଡଗଲସ୍ ମ୍ୟାକଗ୍ରେଗର ଏକ ସାକ୍ଷାତକାରରେ କହିଥିଲେ ଯେ, ଆମେରିକାର ଘାଟି ଏବଂ ବନ୍ଦର ନଷ୍ଟ ହୋଇଯାଇଛି। ତେଣୁ ଆମେରିକା ଏବେ ଭାରତୀୟ ବନ୍ଦର ଉପରେ ନିର୍ଭରଶୀଳ। ଏହାର ଉତ୍ତରରେ MEAର ଫ୍ୟାକ୍ଟ ଚେକ୍ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ଏହାକୁ ଭିତ୍ତିହୀନ କହିଛି। ଏଭଳି ଜାଲ୍ ଏବଂ ଗୁଜବ ଖବର ଠାରୁ ଦୂରରେ ରହିବା ପାଇଁ କୁହାଯାଇଛି।

ଏହି ଖବରଟିକୁ ପଢନ୍ତୁ- ଇରାନ ସହିତ ଯୁଦ୍ଧ ମଧ୍ୟରେ ଆମେରିକାର ପଡ଼ ପଦକ୍ଷେପ, ଡୁମ୍ସଡେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର କଲା ପରୀକ୍ଷଣ

ଇରାନ-ଇସ୍ରଏଲ୍-ଆମେରିକା ଯୁଦ୍ଧରେ ଭାରତ କାହା ସପକ୍ଷରେ ନାହିଁ ବୋଲି ବାରମ୍ବାର ସ୍ପଷ୍ଟ କରିଛି। ଭାରତ ନିରପେକ୍ଷ ଏବଂ ଯୁଦ୍ଧ ପାଇଁ କାହାକୁ ବି ବନ୍ଦର, ସ୍ଥଳ କିମ୍ଵା ଆକାଶ ପଥ ବ୍ୟବହାର କରିବାକୁ ଦେବ ନାହିଁ ବୋଲି ପୂର୍ବରୁ କୁହାଯାଇଛି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଉତ୍ତେଜନା କମ୍ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି। ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ପ୍ରାୟ ଏକ କୋଟି ଭାରତୀୟ ନାଗରିକଙ୍କ ସୁରକ୍ଷା, ବାଣିଜ୍ୟ ଏବଂ ଏନର୍ଜି ସପ୍ଲାଏ ଚେନ୍ ପ୍ରଭାବିତ ହୋଇଛି। 

ଭାରତ ମହାସାଗରରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନୀ ଯୁଦ୍ଧଜାହାଜ IRIS ଡେନାକୁ ବୁଡ଼ାଇ ଦେବା ପରେ ଏହି ଦାବି ସାମ୍ନାକୁ ଆସିଛି। ଏହି ଜାହାଜରେ ଅତି କମ୍‌ ରେ ୮୦ ରୁ ୮୭ ଜଣ କ୍ର୍ୟୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଭାରତରେ ଏକ ନୌସେନା ଅଭ୍ୟାସ (MILAN 2026) ରୁ ଫେରୁଥିଲା ବେଳେ ଆକ୍ରମଣର ଶିକାର ହୋଇଛି। ଆମେରିକା ଆକ୍ରମଣ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି।