ନୂଆଦିଲ୍ଲୀ,୧୭।୧୨: ଢାକାରେ ଭାରତୀୟ ଦୂତାବାସର ସୁରକ୍ଷାକୁ ନେଇ ବଢିଲା ଚିନ୍ତା। ଧମକ ପରେ ଭାରତ ସରକାର ବୁଧବାର ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନଙ୍କୁ ଜବାବ୍ ତଲବ କରିଛନ୍ତି। ଏହି ପଦକ୍ଷେପ ବାଂଲାଦେଶର ରାଜଧାନୀ ଢାକାରେ ଗତ କିଛି ଦିନ ଧରି ଜାରି ରହିଥିବା ବିରୋଧ ପ୍ରଦର୍ଶନକ ଦୃଷ୍ଟିରେ ରଖି ନିଆଯାଇଛି।
ଏହି ଘଟଣା ସହିତ ଜଡିତ ଲୋକଙ୍କ ଅନୁସାରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତରେ ଅବସ୍ଥାପିତ ବାଂଲାଦେଶର ହାଇକମିଶନ ଏମ୍. ରିଆଜ ହମିଦୁଲ୍ଲାଙ୍କୁ ଜବାବ ତଲବ କରିଛି। ମାମଲା ସମ୍ପର୍କିତ ଲୋକଙ୍କ ଅନୁସାରେ, ତାଙ୍କୁ ଢାକାରେ ଭାରତୀୟ ମିଶନର ସୁରକ୍ଷା ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ବିଷୟରେ ଅବଗତ କରାଇଛି।
ସୁତ୍ର ଅନୁସାରେ, ଢାକାରେ ଭାରତୀୟ ମିଶନ୍ ବାହାରେ ଗତ କିଛି ଦିନ ହେବ ବିରୋଧ ପ୍ରଦର୍ଶନ ହେଉଛି। ଯାହାଦ୍ବାରା ଦୂତାବାସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ଧ୍ୟାନରେ ରଖି ଭାରତ ଔପଚାରିକ ଭାବରେ ବାଂଲାଦେଶ ସରକାରଙ୍କୁ ସ୍ଥିତି ସ୍ପଷ୍ଟ କରିବାକୁ କହିଛି। ଏଭଳି ପଦକ୍ଷେପ ସେହି ସମୟରେ ନିଆଯାଇଛି ଯେତେବେଳେ ବାଂଲାଦେଶର ନ୍ୟାସନାଲ ସିଟିଜେନ୍ସ ପାର୍ଟିର ନେତା ହସନତ ଅବଦୁଲ୍ଲାଙ୍କ ଭାରତ ବିରୋଧି ବୟାନ ସାମନାକୁ ଆସିଛି। ସେ ଏକ ସାର୍ବଜନୀନ ଭାଷଣରେ ଭାରତର ଉତ୍ତର-ପୂର୍ବ ରାଜ୍ୟକୁ ପୃଥକ କରିବା ଓ ବିଚ୍ଛିନ୍ନବାଦୀଙ୍କୁ ଶରଣ ଦେବା ନେଇ ଧମକ ଦେଇଥିଲେ। ଅବଦୁଲ୍ଲାହ ନିଜର କଟ୍ଟର ଭାରତ ବିରୋଧ ଚିନ୍ତିଧାରା ପାଇଁ ପରିଚିତ।
ଉଲ୍ଲେଖନୀୟ ଯେ ଏହି ଘଟଣା ବାଂଲାଦେଶର ମୁକ୍ତି ଦିବସର ଗୋଟିଏ ଦିନ ପରେ ଆସିଛି, ଯାହାକୁ ବିଜୟ ଦିବସ ମଧ୍ୟ କୁହାଯାଏ। ଏହି ଦିନଟି ୧୯୭୧ ଯୁଦ୍ଧରେ ଭାରତର ବିଜୟ ଏବଂ ବାଂଲାଦେଶର ସ୍ୱାଧୀନତାକୁ ମନେ ପକାଇବା ପାଇଁ ପାଳନ କରାଯାଏ। ଗୋଟିଏ ଦିନ ପୂର୍ବରୁ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବିଜୟ ଦିବସରେ ବାଂଲାଦେଶକୁ ଶୁଭେଚ୍ଛା ଜଣାଇଥିଲେ। ସେ ‘ଏକ୍ସ’ରେ ଲେଖିଥିଲେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୋସେନ, ଅନ୍ତରୀଣ ସରକାର ଏବଂ ବାଂଲାଦେଶର ଜନସାଧାରଣଙ୍କୁ ବିଜୟ ଦିବସର ଶୁଭେଚ୍ଛା।’
ଆହୁରି ପଢନ୍ତୁ :‘କାଶ୍ମୀର ନା କେବେ ଭାରତର ଥିଲା ନା ହେବ’...,ଜାତିସଂଘରେ ପୁଣି ବିଷ ଓଗାଳିଲେ ପାକିସ୍ତାନୀ ରାଷ୍ଟ୍ରଦୂତ