ନୂଆଦିଲ୍ଲୀ ୨୯/୦୭: ‘ବର୍ଡର୍‌-୨’ ନିର୍ମାତା ଫିଲ୍ମର ଷ୍ଟାର୍‌ କାଷ୍ଟ୍‌ରେ ଜଣେ ନୂଆ ସଦସ୍ୟଙ୍କୁ ସାମିଲ କରିଛନ୍ତି । ସେ ହେଉଛନ୍ତି ମେଧା ରାଣା । ଫିଲ୍ମରେ ସେ ବରୁଣ ଧୱନଙ୍କ ପ୍ରେମିକା ତଥା ଫିଲ୍ମର ଅନ୍ୟତମ ଲିଡ୍‌ ଲେଡି ଭାବେ ସ୍କ୍ରିନ୍‌ ଶେୟାର କରିବେ । ଏହି ଘୋଷଣା ପରେ ୟୁଜର୍‌ ଫିଲ୍ମର ନୂଆ ମୁହଁ ମେଧା ରାଣାଙ୍କ ବିଷୟରେ ଜାଣିବାକୁ ଖୁବ୍‌ ଉତ୍ସାହିତ । ମେଧା ଫିଲ୍ମ ଜଗତରେ ଜଣେ ନୂଆ ମୁହଁ । ‘ଲଣ୍ଡନ ଫାଇଲ୍ସ’ ଶୀର୍ଷକ ଶୋ’ ଜରିଆରେ ସେ ଅଭିନୟରେ ଡେବ୍ୟୁ କରିଥିଲେ, ଯାହା ୨୦୨୨ରେ ମୁକ୍ତିଲାଭ କରିଥିଲା । ଏହି ୱେବ୍‌ ଶୋ’ରେ ଅର୍ଜୁନ ରାମପାଲ ଓ ପୂରବ କୋହଲି ମୁଖ୍ୟ ଭୂମିକାରେ ଥିଲେ । ଆର୍ମି ପୃଷ୍ଠଭୂମିରୁ ଆସିଥିବା ମେଧା ଫିଲ୍ମ ପାଇଁ ପୂରାପୂରି ଫିଟ୍‌ ହେବେ ବୋଲି ଭାବି ‘ବର୍ଡର୍‌-୨’ ନିର୍ମାତା ବୋଧହୁଏ ତାଙ୍କୁ କାଷ୍ଟ୍‌ କରିଛନ୍ତି । 

ବେଙ୍ଗାଲୁରୁ ଜନ୍ମିତ ମେଧା ଗୁଡ଼ଗାଓଁରେ ବଡ଼ ହୋଇଛନ୍ତି । ୧୬ ବର୍ଷ ବୟସରେ ସେ ମଡେଲିଂ ଆରମ୍ଭ କରିଥିଲେ । ଅଭିନେତ୍ରୀ ହେବା ତାଙ୍କର ଏକମାତ୍ର ସ୍ୱପ୍ନ ଥିଲା । ଫିଲ୍ମରେ ଭୂମିକା ପାଇବା ପୂର୍ବରୁ ଅନେକ ଟିଭି ବିଜ୍ଞାପନରେ ସେ କାମ କରିଥିଲେ । ସେତିକି ନୁହେଁ, ‘ଗୁଲ୍‌ ଓ ‘ବରସାତ୍‌’ ଭଳି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛନ୍ତି । ବାବିଲ ଖାନ୍‌ ଷ୍ଟାରର୍‌ ‘ଫ୍ରାଇଡେ ନାଇଟ୍‌ ପ୍ଲାନ୍‌’ରେ ସେ କାମ କରିଛନ୍ତି । ‘ଇଶ୍କ ଇନ୍‌ ଦ ଏୟାର୍‌’ରେ ଶାନ୍ତନୁ ମାହେଶ୍ୱରୀଙ୍କ ଅପୋଜିଟ୍‌ରେ ମଧ୍ୟ ସେ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୨୩ରେ ମୁକ୍ତିଲାଭ କରିବ ‘ବର୍ଡର୍‌-୨’ । ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିଲଜିତ ଦୋସାଂଝ ଓ ଆହାନ ଶେଟ୍ଟୀ ମଧ୍ୟ ଅଛନ୍ତି ।