ଭୁବନେଶ୍ଵର, ୦୯/୧୨ : ସ୍ଵାସ୍ଥ୍ୟକ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଭଦ୍ରକ ସହ ୩୦ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ। ବିଧାନସଭାରେ ଘୋଷଣା କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ମେଡିକାଲ ରିକ୍ରୁଟ୍‌ମେଣ୍ଟରେ ୨ଟି ସଂଶୋଧନ କରାଯାଇଛି। ଖୁବଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ହେବ। ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ।

ସେପଟେ ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ରାଜ୍ୟରେ ସଟେଜ୍ ମ୍ୟାନ୍‌ ପାୱାରରେ ଚାଲିଛି ସ୍ଵାସ୍ଥ୍ୟ ସେବା। ଭିତ୍ତିଭୂମି ନାହିଁ । ଡାକ୍ତର ବି ନାହାନ୍ତି । ରୋଗୀ ସେବା ବୋଝ ତଳେ ଡାକ୍ତର, ନର୍ସ, କମ୍ପାଉଣ୍ଡର ରହିଛନ୍ତି । ମେଡିସିନ କଥା ଦୂରରେ ଥାଉ ଶଯ୍ୟା ବି ମିଳୁନି। ଜରୁରୀ ଔଷଧ ବି ମୁଳନାହିଁ। ମେଡିକାଲ କଲେଜ ଓ ହସ୍ପିଟାଲରେ ୪୨ ପ୍ରତିଶତ ରୋଗୀ ଶଯ୍ୟାକୁ ଅମ୍ଳଜାନ ଯୋଗାଣ ଠପ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ନାହିଁ । ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ରାଜ୍ଯଠୁ ପଛରେ ରହିଛି ଓଡିଶା । ୨୧ଟି ବୃହତ୍ତ ରାଜ୍ୟରେ ଓଡିଶାର ସ୍ଥାନ ତଳଆଡୁ ତୃତୀୟରେ ରହିଛି । ସିଏଜି ଅଡିଟରେ ରାଜ୍ୟ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ଧରା ପଡିଛି।

ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁସାରେ ରାଜ୍ୟର ହସ୍ପିଟାଲରେ ୯୧ ହଜାରରୁ ଅଧିକ ଶଯ୍ୟା ଦରକାର। ମାତ୍ର ୩୨ ହଜାର ୭୬୭ ଶଯ୍ୟା ରହିଛି। ୬୪ ପ୍ରତିଶତ ବେଡ୍ ଅଭାବରୁ ରୋଗୀଙ୍କୁ ଚଟାଣରେ ଛଟପଟ ହେବାକୁ ପଡୁଛି । ରୋଗୀଙ୍କ ପାଇଁ ୫୩ ପ୍ରତିଶତ କମ ଔଷଧ ଯୋଗାଣ ହେଉଛି । ସ୍ବାସ୍ଥ୍ୟ ସେବାର ଏପରି ସଙ୍ଗୀନ ଚିତ୍ରକୁ ଦର୍ଶାଇଛି ସିଏଜି।