ନୂଆଦିଲ୍ଲୀ : ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ। କୁହାଯାଉଛି ଯେ ,ଏଥିରେ ଦେଶରେ ମନ୍ଥର ହୋଇଥିବା ବିକାଶର  ହାରକୁ ପୁଣି ଥରେ ଗତି ଦେବାକୁ ଅନେକ ପ୍ରକାରର ନୂଆ ଘୋଷଣା କରାଯାଇ ପାରେ। ବଜେଟ୍ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଶୁକ୍ରବାର ପାରମ୍ପରିକ ‘ହଲୱା ଉତ୍ସବ’ ସହ ଆରମ୍ଭ ହୋଇ ସାରିଛି। ଏବେ ଜାଣିବା ସେହି ଅଧିକାରୀଙ୍କ ବିଷୟରେ, ଯେଉଁମାନେ ବଜେଟ୍ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

୧- ତୁହିନ କାନ୍ତ ପାଣ୍ଡେ , (ଫାଇନାନ୍ସ ଆଣ୍ଡ ରେଭେନ୍ୟୁ ସେକ୍ରେଟାରୀ) - ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେ ଫାଇନାନ୍ସ ଆଣ୍ଡ ରେଭେନ୍ୟୁ ସେକ୍ରେଟାରୀ ଭାବେ ବଜେଟ୍ ପ୍ରସ୍ତୁତିରେ ମୁସ୍କିଲ କାମ କରୁଛନ୍ତି। ଟ୍ୟାକ୍ସରେ ରିହାତି ଆଶାକୁ ସନ୍ତୁଳିତ କରି ରାଜସ୍ୱ କିପରି ବଢାଯିବ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ତୁହିନ କାନ୍ତ ପାଣ୍ଡେଙ୍କ ପାଖରେ ରହିଛି। ବଜେଟ୍‌ର କିଛି ମାସ ପୂର୍ବରୁ ବିଭାଗର କାର୍ଯ୍ୟଭାର ସମ୍ଭାଳିଥିବା ଏହି ବରିଷ୍ଠ ଅଧିକାରୀ ଆୟକର ଆଇନରେ ପରିବର୍ତ୍ତନ ପ୍ରକ୍ରିୟା ଉପରେ କାମ କରୁଛନ୍ତି।

୨-ଭି ଅନନ୍ତ ନାଗେଶ୍ୱରନ, (ଚିଫ୍‌ ଇକୋନମିକ ଆଡଭାଇଜର )-ଆଇଆଇଏମ୍-ଅହମ୍ମଦାବାଦର ପୂର୍ବତନ ଛାତ୍ର ଓ ମାସାଚୁସେଟ୍ସରୁ ଡକ୍ଟରେଟ୍ ଡିଗ୍ରିଧାରୀ ନାଗେଶ୍ୱରନ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ସାମୟିକ ସଦସ୍ୟ ରୂପେ କାମ କରିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଇକୋନମିକ୍ ସର୍ଭେ ଉପରେ ସମସ୍ତଙ୍କ ନଜର ରହିଛି। ଅର୍ଥନୀତିକ ସର୍ଭରେ ବିକାଶର ଗତିକୁ ବଢାଇବା ଏବଂ ଅନିଶ୍ଚିତାରେ ଦୁନିଆରେ ଭାରତର ରଣନୀତି କଣ ରହିବ ତାହା ସ୍ପଷ୍ଟ ହେବ ।

୩- ଅଜୟ ସେଠ୍ ( ସେକ୍ରେଟାରୀ ,  ଡିପାର୍ଟମେଣ୍ଟ ଅଫ୍‌ ଇକୋନମିକ ଆଫେୟାର୍ସ )- ଅଜୟ ସେଠ୍ ସେହି ବିଭାଗର ନେତୃତ୍ୱ ନେଉଛନ୍ତି, ଯିଏ ଚୂଡ଼ାନ୍ତ ବଜେଟ୍ କାଗଜପତ୍ର ପ୍ରସ୍ତୁତ କରିଥାଏ ତଥା ବ୍ୟାପକ ଆର୍ଥିକ ସ୍ଥିରତାର ତଦାରଖ କରିଥାଏ । ୧୯୮୭ ବ୍ୟାଚ୍‌ କର୍ଣ୍ଣାଟକ କ୍ୟାଡର୍‌ର ଆଇଏଏସ୍ ଅଧିକାରୀଙ୍କ ପାଖରେ ଖର୍ଚ୍ଚ ବଢାଇବା ଉପାୟ ଏବଂ ବଢୁଥିବା ଚାହିଦା ଭିତରେ ଅଭିବୃଦ୍ଧି ଓ ଆର୍ଥିକ ଏକୀକରଣର ଆବଶ୍ୟକତାକୁ ସନ୍ତୁଳିତ କରିବାର ଆହ୍ୱାନପୂର୍ଣ୍ଣ ଦାୟିତ୍ୱ ରହିଛି। ଭାରତ ନିଜର ଆର୍ଥିକ ଏକୀକରଣର ଢାଞ୍ଚାରେ ଋଣ ଲକ୍ଷ୍ୟରେ ଟ୍ରାଞ୍ଜିସନ ପାଇଁ ଯୋଜନା କରୁଛି । 

୪- ମନୋଜ ଗୋଭିଲ୍ , (ସେକ୍ରେଟାରୀ , ଡିପାର୍ଟମେଣ୍ଟ ଅଫ୍‌ ଏକ୍ସପେଣ୍ଡିଚର)

 -୧୯୯୧ ବ୍ୟାଚ୍‌ର ମଧ୍ୟପ୍ରଦେଶ କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ଗୋଭିଲ୍ ଖର୍ଚ୍ଚ ବିଭାଗ ସଚିବ ହେବା ପୂର୍ବରୁ କର୍ପୋରେଟ୍ ମନ୍ତ୍ରଣାଳୟରେ ସଚିବ ଥିଲେ। ସବ୍‌ସିଡି ଏବଂ କେନ୍ଦ୍ରୀୟ ଯୋଜନାକୁ ଯୁକ୍ତି ସଙ୍ଗତ କରିବା ତଥା ବ୍ୟୟର ଗୁଣବତ୍ତାରେ ସୁଧାର କରିବା ପାଇଁ କାମ କରିଛନ୍ତି।

୫- ଏମ୍ ନାଗରାଜୁ ( ସେକ୍ରେଟାରୀ,  ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌)

ଡିଏଫ୍‌ଏସ୍‌ରେ ସାମିଲ ହେବା ପୂର୍ବରୁ ନାଗରାଜୁ କୋଇଲା ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଥିଲେ । ୧୧୫ରୁ ଅଧିକ କୋଇଲା ଖଣି ନିଲାମୀ ସହ ଘରୋଇ ବାଣିଜ୍ୟିକ ଖନନ ମାଧ୍ୟମରେ ଏହି କ୍ଷେତ୍ରକୁ ବିସ୍ତାର ଦେବାର କାମ କରିଥିଲେ । ପର୍ଯ୍ୟାପ୍ତ ଋଣ ପ୍ରବାହ ଏବଂ ଜମା ଏକାଠି ସୁନିଶ୍ଚିତ କରିବା, ଫିନଟେକ୍‌କୁ ନିୟନ୍ତ୍ରିତ କରିବା ଏବଂ ଡିଜିଟାଲ୍ ଇଣ୍ଟରଫେସକୁ ବଢାଇବା ପରି ପ୍ରମୁଖ କ୍ଷେତ୍ର ଉପରେ ଏହି ଆଇଏଏସ୍ ଅଧିକାରୀଙ୍କ ଦାୟିତ୍ୱ ରହିବ ।

୬- ଅରୁଣିଶ ଚାୱଲା,( ସେକ୍ରେଟାରୀ, ଦୀପମ୍ ଓ ଡିପିଇ )- ଅର୍ଥମନ୍ତ୍ରୀଙ୍କ ଟିମ୍‌ରେ ନୂଆ ସଦସ୍ୟ ଅରୁଣିଶ ଚାୱଲା ପ୍ରଥମେ ଫାର୍ମାସ୍ୟୁଟିକଲ୍ସ ବିଭାଗର ନେତୃତ୍ୱ କରୁଥିଲେ। ୧୯୯୨ ବ୍ୟାଚ୍ ବିହାର କ୍ୟାଡର୍‌ର ଆଇଏଏସ୍ ଅଧିକାରୀଙ୍କ ପାଖରେ ବିନିବେଶ ଏବଂ ସମ୍ପତ୍ତି ବିମୁଦ୍ରୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଆଇଡିବିଆଇ ବ୍ୟାଙ୍କର ରଣନୀତିକ ବିକ୍ରି ଏବଂ ସରକାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗରେ ନନ୍-କୋର୍ ଆସେଟ୍‌କୁ ଖୋଲିବା ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି।