ଆଜିଠୁ କ୍ୱାର୍ଟର ଫାଇନାଲ: ସେମି ଫାଇନାଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ, ବେଲଜିୟମ, ଦ୍ୱିତୀୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର,୨୪/୦୧: କ୍ରସଓଭର ପର୍ଯ୍ୟାୟ ଶେଷ ହେବା ପରେ ହକି ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ଠାରୁ ଆରମ୍ଭ ହେବ । ୨୪ ତାରିଖରେ ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ-ସ୍ପେନ ଏବଂ ଦ୍ୱିତୀୟ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ୨୫ ତାରିଖ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ଖେଳାଯିବ ।
ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ ସେମି ଫାଇନାଲ ସ୍ଥାନ ପକ୍କା କରିବା ପାଇଁ ଆଉ ଗୋଟିଏ ବିଜୟ ଅପେକ୍ଷାରେ ରହିଛନ୍ତି । ପ୍ରଦର୍ଶନ ଏବଂ ବିଶ୍ୱ ମାନ୍ୟତା ଦୃଷ୍ଟିରୁ ଉଭୟ କ୍ୱାର୍ଟରରେ ବିଜୟ ପାଇଁ ଦାବିଦାର ରହିଛନ୍ତି ।
ଅଷ୍ଟ୍ରେଲିଆ-ସ୍ପେନ: ବିଶ୍ୱର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ପୁଲ ଏ’ରେ ସମସ୍ତ ମ୍ୟାଚ୍ରେ ଅପରାଜେୟ ରହିଥିଲା । ଫ୍ରାନ୍ସକୁ ୮-୦ ଏବଂ ଦକ୍ଷିଣ ଆଫ୍ରିକାକୁ ଦଳ ୯-୨ ଗୋଲରେ ପରାଜିତ କରିଥିଲା । ଆର୍ଜେଣ୍ଟିନା ସହିତ ୩-୩ ଗୋଲରେ ମ୍ୟାଚ୍ ଡ୍ର’ ରଖିଥିଲା । ଥୋମାସ କ୍ରାଗ ଏବଂ ଜେରେମି ହେୱାର୍ଡ ଉଭୟ ହ୍ୟାଟ୍ରିକ୍ ଗୋଲ ଦେଇ ଫ୍ରାନ୍ସ ବିପକ୍ଷରେ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଡ୍ରାଗ୍ ଫ୍ଲିକର ଗୋଭର୍ସ ବ୍ଲେକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହ୍ୟାଟ୍ରିକ୍ ଗୋଲ ଦେବା ସହ ମୋଟ୍ ୪ଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ । କ୍ରାଗ୍, ହେୱାର୍ଡ ଓ ଗୋଭର୍ସଙ୍କୁ ଅଟକାଇବା ସ୍ପେନ ପାଇଁ କାଠିକର ପାଠ ହେବ ।
ମାନ୍ୟତା ଓ ପ୍ରଦର୍ଶନ ଦୃଷ୍ଟିରୁ ସ୍ପେନ ବହୁ ପଛରେ ରହିଛି । ବିଶ୍ୱର ଅଷ୍ଟମ ଦଳ ସ୍ପେନ ପୁଲ ଡି’ରେ କେବଳ ୱେଲ୍ସକୁ ହରାଇବାରେ ସଫଳ ରହିଥିଲା । ମାର୍କ ରେୟାନ ଓ ମାର୍କ ମିରାଲେସ ଉଭୟ ଡବଲ୍ ଗୋଲ ଦେଇ ଦଳକୁ ଜିତାଇଥିଲେ । କ୍ରସଓଭରରେ ଦଳ ମାଲେସିଆ ଠାରୁ ସଡନଡେଥରେ ଜିତିଥିଲା । ପୂର୍ବରୁ ଭାରତ ଓ ଇଂଲଣ୍ଡ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା ।
ପୂର୍ବ ରେକର୍ଡ ଅନୁସାରେ, ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୫୦ଟି ମ୍ୟାଚ୍ରୁ ଅଷ୍ଟ୍ରେଲିଆ ୩୩ଟି, ସ୍ପେନ ୧୦ଟି ଜିତିଥିବାବେଳେ ୭ଟି ଡ୍ର’ ରହିଛି । ଗତ ବର୍ଷ ଜୁଲାଇ ୧୫ ତାରିଖରେ ସ୍ପେନ ଟେଷ୍ଟ ସିରିଜରେ ୩-୨ରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା ।
ବେଲଜିୟମ-ନ୍ୟୁଜିଲାଣ୍ଡ: ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ପୁଲ ବି’ରେ ଟପ୍ପର ହୋଇଥିଲା । ୨ଟି ବିଜୟ ଏବଂ ଗୋଟିଏ ଡ୍ର’ ସହ ଦଳ ୭ ପଏଣ୍ଟ ପାଇଥିଲା। ପ୍ରଥମ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୫-୦, ଦ୍ୱିତୀୟ ମ୍ୟାଚ୍ ଜର୍ମାନୀ ସହ ୨-୨ ରେ ଡ୍ର’ ଏବଂ ଶେଷ ମ୍ୟାଚ୍ରେ ୭-୧ରେ ଜାପାନକୁ ପରାଜିତ କରିଥିଲା । ଆଲେକଜାଣ୍ଡର ହେନଡ୍ରିକ୍ସ, ଭିକ୍ଟର ୱେଗନେଜ ଏବଂ ଟମ ବୁନ ଭଲ ଫର୍ମରେ ରହିଛନ୍ତି । ବୁନ ଜାପାନ ବିପକ୍ଷରେ ୫ଟି ଗୋଲ ସ୍କୋର କରିଥିଲେ ।
ବିଶ୍ୱର ୧୨ତମ ଦଳ ନ୍ୟୁଜିଲାଣ୍ଡ କ୍ରସଓଭରରେ ଘରୋଇ ଭାରତକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା । ଯଦିଓ ପୁଲ ପର୍ଯ୍ୟାୟରେ ଦଳ ମାତ୍ର ଗୋଟିଏ ମ୍ୟାଚ୍ରେ ଚିଲିକୁ ପରାଜିତ କରିଥିଲା । କିନ୍ତୁ ମାଲେସିଆ ଓ ନେଦରଲାଣ୍ଡ୍ସ ଠାରୁ ପରାଜିତ ହୋଇଥିଲା । ତଥାପି ଭାରତ ବିପକ୍ଷରେ ଦଳ ଯେମିତି ପ୍ରଦର୍ଶନ କଲା, ତାହା ବେଶ ଆକର୍ଷଣୀୟ ଥିଲା । ବେଲଜିୟମ ବିପକ୍ଷରେ ଏହି ପ୍ରଦର୍ଶନ ଦୋହରାଇବାକୁ ନ୍ୟୁଜିଲାଣ୍ଡ ଲକ୍ଷ୍ୟ ରଖିଛି ।
ପୂର୍ବ ରେକର୍ଡ ଅନୁସାରେ, ବିଜୟ ହାରରେ ନ୍ୟୁଜିଲାଣ୍ଡ ଆଗରେ ରହିଛି । ଉଭୟ ଦଳ ପୂର୍ବରୁ ୨୩ଟି ମ୍ୟାଚ୍ ଖେଳିଛନ୍ତି । ସେଥିରୁ ନ୍ୟୁଜିଲାଣ୍ଡ ୧୦ଟି, ବେଲଜିୟମ ୯ଟି ଏବଂ ୪ଟି ମ୍ୟାଚ୍ ଡ୍ର’ ରହିଛି