ନୂଆଦିଲ୍ଲୀ ୧୨/୦୮: ଜର୍ଜିଆର ଆଟ୍‌ଲାଣ୍ଟାରେ ଏକ ଘର ଉପରେ ଏକ ଉଲ୍‌କାପିଣ୍ଡ ମାଡ଼ ହୋଇଥିଲା । ଏଇଟି ୪୫୬ କୋଟି ବର୍ଷ ପୁରୁଣା ବୋଲି ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି । ଉଲ୍‌କାଟି ପୃଥିବୀଠୁ ମଧ୍ୟ ପୁରୁଣା ବୋଲି ଆକଳନ କରାଯାଇଛି । ନାସା ଅନୁସାରେ, ଉଜ୍ଜ୍ୱଳ ଉଲ୍‌କାଟି ଗତ ଜୁନ୍‌ ୨୬ ତାରିଖରେ ବିସ୍ଫୋରଣ ପୂର୍ବରୁ ସ୍ପଷ୍ଟ ଦିବାଲୋକରେ ଜର୍ଜିଆ ଆକାଶରେ ଅତିକ୍ରମ କରିଥିଲା । ଜର୍ଜିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ବାହ୍ୟ ଜଗତରୁ ଆସିଥିବା ଏହି ଶିଳାର ଅବଶେଷକୁ ପରୀକ୍ଷା କରି ଏହାର ଉତ୍ପତ୍ତି ଜାଣିବାକୁ ପ୍ରୟାସ କରିଥିଲେ । ସେମାନଙ୍କ ଅଧ୍ୟୟନରୁ ଜଣାପଡ଼ିଲା, ୪୫୬ କୋଟି ବର୍ଷ ତଳେ ନିର୍ମିତ ଏହି ଉଲ୍‌କା ପୃଥିବୀଠୁ ହାରାହାରି ୨ କୋଟି ବର୍ଷ ପୁରୁଣା । ଉଲ୍ଲେଖଯୋଗ୍ୟ, ପୃଥିବୀର ଉତ୍ପତ୍ତି ୪୫୪ କୋଟି ବର୍ଷ ତଳେ ହୋଇଥିବା ଆକଳନ କରାଯାଏ ।

ଜର୍ଜିଆ ବିଶ୍ୱବିଦ୍ୟାଳୟର ଗ୍ରହୀୟ ଭୂବିଜ୍ଞାନୀ ସ୍କଟ୍‌ ହାରିସ୍‌ ୨୩ ଗ୍ରାମ୍‌ର ଏହି ଉଲ୍‌କା ଅବଶେଷକୁ ଅଧ୍ୟୟନ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ସୂଚନାଯୋଗ୍ୟ, ଉଲ୍‌କାଟି ମହାକାଶରୁ ଆସି ଜର୍ଜିଆ ସ୍ଥିତ ହେନରୀ କାଉଣ୍ଟିର ମ୍ୟାକ୍‌ଡୋନୋଗ୍‌ରେ ଜଣେ ବ୍ୟକ୍ତିଙ୍କ ଘର ଛାତରେ ମାଡ଼ ହୋଇଥିଲା । ଫଳରେ ଛାତରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ହାରିସ୍‌ ମାଇକ୍ରୋସ୍କୋପ୍‌ ଜରିଆରେ ଏହି ଅବଶେଷକୁ ପରୀକ୍ଷା କରିଥିଲେ । ତା’ପରେ ସ୍ପଷ୍ଟ କଲେ ଯେ ଏଇଟି ୪୫୬ କୋଟି ବର୍ଷ ତଳେ ସୃଷ୍ଟ ଏକ ଉଲ୍‌କାର ଅଂଶ ।

ହାରିସ୍‌ କହିଛନ୍ତି, ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିଥିବା ଏହି ନିର୍ଦ୍ଦିଷ୍ଟ ଉଲ୍‌କାର ମ୍ୟାକ୍‌ଡୋନୋଗ୍‌ରେ ପଡ଼ିବା ପୂର୍ବରୁ ଲମ୍ବା ଇତିହାସ ରହିଛି । ଏହାକୁ ଭଲଭାବେ ବୁଝିବା ପାଇଁ ପଥରଟି କ’ଣ ଏବଂ ଏହା କେଉଁ ସମୂହର ଗ୍ରହାଣୁ ତାହା ପରୀକ୍ଷା କରିବାକୁ ହେବ । ଜର୍ଜିଆରେ ଆବିଷ୍କୃତ ଏହା ୨୭ତମ ଉଲ୍‌କା । ଯେଉଁ ଘରେ ମାଡ଼ ହୋଇଥିଲା, ତା’ର ମାଲିକ ଏବେ ବି ଏହି ମହାକାଶ ଶିଳାର ଅବଶେଷ ପାଉଛନ୍ତି । ଉଲ୍‌କାର ନାମ ଦିଆଯାଇଛି ‘ମ୍ୟାକ୍‌ଡୋନୋଗ୍‌’ ।