ନୂଆଦିଲ୍ଲୀ,୯।୩: ମଧ୍ୟ ପ୍ରାଚ୍ୟରେ ଜାରି ରହିଛି ଉତ୍ତେଜନା । ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଲଢେଇ ଜାରି ରହିଛି। ଏହା ଭିତରେ ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ କରିଛନ୍ତି, ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ। ପୁଟିନ କହିଛନ୍ତି, ମସ୍କୋ ତେହେରାନକୁ ସମର୍ଥନ ଜାରି ରଖିବ ଏବଂ ଏହି କଷ୍ଟକର ସମୟରେ ଇରାନ ସହିତ ଏକତା ବଜାୟ ରଖିବ। ତେହେରାନ ପ୍ରତି ତାଙ୍କର ଅଟଳ ସମର୍ଥନ ଏବଂ ଇରାନୀ ବନ୍ଧୁମାନଙ୍କ ସହିତ ଏକଜୁଟତା ପୁନଃସ୍ଥାପନ କରିବାକୁ ଚାହାଁନ୍ତି। ତାଙ୍କର ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଏହି ଅଞ୍ଚଳରେ ଆମେରିକା-ଇରାନ ଉତ୍ତେଜନା ଏବଂ ସାମରିକ ମୁକାବିଲାକୁ ନେଇ ଅନ୍ତର୍ଜାତୀୟ ଚିନ୍ତା ବୃଦ୍ଧି ପାଉଛି।
ପୁଟିନ୍ ଇରାନର ନୂତନ ନେତା ମୋଜତାବା ଖାମେନେଇଙ୍କୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ମୋଜତାବା ଖାମେନେଇ ତାଙ୍କ ବାପାଙ୍କ ଐତିହ୍ୟକୁ ସମ୍ମାନର ସହିତ ଆଗକୁ ବଢ଼ାଇବେ ଏବଂ କଷ୍ଟକର ପରିସ୍ଥିତିରେ ଇରାନ ଲୋକଙ୍କୁ ଏକତ୍ର କରିବାରେ ସଫଳ ହେବେ। ପୁଟିନ୍ କହିଛନ୍ତି ଯେ ଇରାନ ସଶସ୍ତ୍ର ଆକ୍ରମଣ ଏବଂ ଗମ୍ଭୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେବା କରିବା ସାହସ ଏବଂ ସମର୍ପଣର ଏକ ମହାନ ପରୀକ୍ଷା ହେବ। ସେ ଆଶା ପ୍ରକାଶ କରିଛନ୍ତି ଯେ ନୂତନ ନେତୃତ୍ୱ ଅଧୀନରେ ଇରାନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।
ଉଲ୍ଲେଖନୀୟ ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ସେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ। ପୁଟିନ ଖାମେନେଇଙ୍କ ପରିବାର ସଦସ୍ୟ, ଇରାନର ରାଜନୈତିକ ଏବଂ ସାମରିକ ନେତା ଏବଂ ବହୁ ସଂଖ୍ୟକ ନାଗରିକଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଥିଲେ। କ୍ରେମଲିନ ଅନୁଯାୟୀ, କଥାବାର୍ତ୍ତା ସମୟରେ ପୁଟିନ ଦୋହରାଇଥିଲେ ଯେ, ରୁଷ କୌଣସି ବିବାଦର ସମାଧାନ ପାଇଁ ବଳ ପ୍ରୟୋଗର ପକ୍ଷରେ ନୁହେଁ ବଂର ସଂଘର୍ଷର ଅନ୍ତକୁ ସମର୍ଥନ କରେ।
ସେପେଟ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ଦଶମ ଦିନ। ଆମେରିକୀୟ ଘାଟି ଉପରେ ଇରାନ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ମଧ୍ୟ ତେହେରାନ ସମେତ ପ୍ରମୁଖ ଇରାନୀ ଲକ୍ଷ୍ୟସ୍ଥଳଗୁଡ଼ିକୁ ଟାର୍ଗେଟ କରୁଛି। ଏହି ସମୟରେ ପୁଟିନଙ୍କ ଏଭଳି ବୟାନ ଖୁବ୍ ଚର୍ଚ୍ଚାରେ ରହିଛି। ଇରାନ ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ବାଛିଛି। ଇରାନର ସର୍ବୋଚ୍ଚ ନେତା, ଆୟାତୋଲ୍ଲା ଅଲି ଖାମେନେଇ, ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ସେ ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ସହିତ ସେହିପରି ବ୍ୟବହାର କରିବେ ଯେପରି ସେ ପୂର୍ବରୁ କରିଥିଲେ।
ଆହୁରି ପଢନ୍ତୁ :ଲେବାନନ୍ର ଗାଁ ଉପରେ ‘ହ୍ବାଇଟ୍ ଫସଫରସ୍’ କେମିକାଲ୍ ଆକ୍ରମଣ ଅଭିଯୋଗ, ସ୍ବାସ୍ଥ୍ୟ ଉପରେ ପଡିଥାଏ ଗମ୍ଭୀର ଓ ଭୟଙ୍କର ପ୍ରଭାବ