ଭୁବନେଶ୍ୱର, ୧୦/୦୩ : ଓଡ଼ିଶାରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ। ହାଣ୍ଡିଶାଳରେ ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ପାଇଁ ଲୋକେ ଛଟପଟ। ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ୍ ପାଇଁ ରାତିରୁ ଲମ୍ଵା ଲାଇନ୍। ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ୍ ଷ୍ଟେସନ୍ ସାମ୍ନାରେ ନାହିଁନଥିବା ଭିଡ଼। ୨୦ ରୁ ୨୫ ଦିନ ହେଲା ବୁକ୍ କରିଥିଲେ ବି ଡେଲିଭରି ହୋଇପାରିନି ଗ୍ୟାସ୍। ଶେଷ ହୋଇଗଲାଣି ସିଲିଣ୍ଡର। ରୋଷେଇ ହେବ କେମିତି ? ଖାଇବେ କ'ଣ ? ଚିନ୍ତାରେ ଘରଣୀ... ଖାଲି ରାଜଧାନୀ ନୁହେଁ କୋଣାର୍କରେ ସମାନ ଅବସ୍ଥା। ସହରର ୨ଟି ପେଟ୍ରୋଲ ପମ୍ପରୁ ସରିଯାଇଛି ତେଲ। ବ୍ଲାକ୍ ରେ ବିକ୍ରି ହେଉଛି ସିଲିଣ୍ଡର। ଗୁଜବ ପ୍ରଚାର କରି ମାଲେମାଲ୍ ହେଉଛନ୍ତି ଦଲାଲ।
କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ ନିର୍ଦ୍ଦେଶ
ଯୁଦ୍ଧ ସ୍ଥିତିରେ ଦେଶରେ ଏଲ୍ପିଜି ଅଭାବ ଆଶଙ୍କା ଉପୁଯିଛି । ଗ୍ୟାସ ଦର ୬୦ ଟଙ୍କା ବଢ଼ିଗଲାଣି । ବଜାରରେ ଏକ ପ୍ରକାର ଭୟର ବାତାବରଣ । ଲୋକେ ଆତଙ୍କିତ ଅବସ୍ଥାରେ । ବଜାରରୁ ଅଧିକ ସିଲିଣ୍ଡର ଉଠାଇ ଦେବାକୁ ଏଜେନ୍ସିଗୁଡ଼ିକ ଆଗରେ ଭିଡ଼ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କଳାବଜାରୀକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଗୋଟିଏ ସିଲିଣ୍ଡର ବୁକ୍ କରିବାର ୨୧ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ପାଇଁ ବୁକିଂ ହୋଇପାରୁଥିଲା । ଏବେ ଏହାକୁ ୨୫ ଦିନକୁ ବଢ଼ାଇ ଦେଇଛନ୍ତି ସରକାର । ସମସ୍ତଙ୍କୁ ସମାନ ପରିମାଣରେ ରନ୍ଧନ ଗ୍ୟାସ ଯୋଗାଇଦେବା ଏହାର ଉଦ୍ଦେଶ୍ୟ । ଅନ୍ୟପକ୍ଷରେ, ତୈଳ କମ୍ପାନିଗୁଡ଼ିକ ଓଡ଼ିଶାରେ ଥିବା ସମସ୍ତ ଡିଲର ଏବଂ ବିତରକମାନଙ୍କୁ ଆଜିଠାରୁ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯୋଗାଣକୁ ପୁନଃ ଚାଲୁ କରିବା ପାଇଁ ଶିଳ୍ପ ପକ୍ଷରୁ ଅନୁରୋଧ କରାଯାଇଛି । ଏ ସ୍ଥିତିକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇବା ଦରକାର ବୋଲି ହୋଟେଲ ଶିଳ୍ପ ପ୍ରକାଶ କରିଛି । ଏହା କରା ନ ଗଲେ ରାଜ୍ୟର ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ବଡ଼ ଆକାରରେ ପ୍ରଭାବିତ ହେବ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି । କମର୍ସିଆଲ ଗ୍ୟାସ ଅଭାବ ଯୋଗୁ ବେଙ୍ଗାଲୁରୁରେ ହୋଟେଲଗୁଡ଼ିକ ଆଜିଠାରୁ ବନ୍ଦ ହୋଇପାରେ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରେ ପରିବହନ ମାର୍ଗ ପ୍ରଭାବିତ ହୋଇଛି । ଫଳରେ ବିଶ୍ୱ ଶକ୍ତି ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି । ଏହା ପ୍ରଭାବରେ ଘରୋଇ ବଜାରରେ ଗ୍ୟାସ ଅଭାବ ଆଶଙ୍କା ବଢ଼ିଯାଇଛି । ସାଧାରଣତଃ, କମର୍ସିଆଲ ଏଲ୍ପିଜି ସିଲିଣ୍ଡର ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକରେ ବ୍ୟବହାର ହୋଇଥାଏ । ବର୍ତ୍ତମାନ ସମସ୍ୟା ଅଧିକ ଦିନ ଲାଗି ରହିଲେ ଖାଦ୍ୟ ଦର ବଢ଼ିବ । ଏହାସହିତ ରେଷ୍ଟୁରାଣ୍ଟ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଚଳାଇବା କଠିନ ହୋଇଯିବ ।
ଖାଇବା ତେଲ ମହଙ୍ଗା
ଯୁଦ୍ଧ ପ୍ରଭାବରେ ଖାଇବା ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଗଲାଣି। ଜାନୁଆରୀ ପରଠୁ ଖାଇବା ତେଲ ଦର ମଧ୍ୟ ଉପରମୁହାଁ ହୋଇଛି । ଏହି ଅବଧିରେ ଖାଇବା ତେଲ ଦର ୨୦ରୁ ୨୫ ଟଙ୍କା ବଢ଼ିଛି । ରିଫାଇନ୍ ଏବଂ ପାମ୍ ଅଏଲ ବେଶି ବଢ଼ିଛି । ତେବେ ସୋରିଷ ତେଲ ଦର ପ୍ରାୟ ସ୍ଥିର ରହିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଖାଇବା ତେଲ ଯୋଗାଣ ଶୃଙ୍ଖଳରେ ସମସ୍ୟା ରହୁଛି । ଜାହାଜଗୁଡ଼ିକ ଆସିବାରେ ସମସ୍ୟା ହେଉଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ମଧ୍ୟ କମ୍ପାନିଙ୍କ ଉପରେ ପ୍ରଭାବ ପକାଉଛି । ଆମଦାନି ଉପରେ ପ୍ରଭାବ ପଡ଼ୁଛି । ଯୋଗାଣ କମିବା ଯୋଗୁ ଏହା ଦରବୃଦ୍ଧିର କାରଣ ପାଲଟିଛି । ତେଲ ଦର ବଢ଼ିବା ଭୟରେ ଅନେକ ଲୋକ ଅଧିକ ପରିମାଣରେ ତେଲ କିଣି ରଖୁଛନ୍ତି । ପୂର୍ବରୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ରିଫାଇନ ତେଲ ଏବେ ୧୭୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିଭଳି ପାମ୍ ଅଏଲ୍ ଲିଟର ପିଛା ୫ ଟଙ୍କା ବୃଦ୍ଧି ହୋଇ ୧୦୭ ଟଙ୍କା ରହିଛି । ଲୋକେ ଖାଇବା ତେଲ ନ ମିଳିବା ଭୟରେ ଆବଶ୍ୟକତାଠାରୁ ଢ଼େର ଅଧିକ ତେଲ ନିଜ ପାଖରେ କିଣି ରଖୁଛନ୍ତି । ଫଳରେ ଏଥିଯୋଗୁ ବଜାରରେ କୃତ୍ରିମ ଅଭାବ ସ୍ଥିତି ମଧ୍ୟ ଦେଖାଯାଇଛି ।
ପେଟ୍ରୋଲ-ଡିଜେଲର କୁତ୍ରିମ ଅଭାବ
ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କରିଥିଲା। ଆଜି ତୈଳ ଦରରେ ୭ ପ୍ରତିଶତ ହ୍ରାସ କରାଯାଇଛି। ବର୍ତ୍ତମାନ ପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବନି ବୋଲି ସରକାର କହିଛନ୍ତି। ହେଲେ ଦଲାଲମାନେ ଗୁଜବ ପ୍ରଚାର କରି କଳାବଜାର କରୁଛନ୍ତି। ତେଲ ସରିଯିବା ଭୟରେ ଲୋକମାନେ ତେଲ ପକାଇବାକୁ ପେଟ୍ରୋଲ ପମ୍ପ ବାହାରେ ଭିଡ଼ ଜମାଉଛନ୍ତି। ଆବଶ୍ୟକତା ଠାରୁ ଅଧିକ କିଣି ନେଉଛନ୍ତି। ଯେଉଁଥିପାଇଁ କୁତ୍ରିମ ଅଭାବ ସୃଷ୍ଟି ହୋଇଛି।
ଏହି ଖବରଟିକୁ ପଢନ୍ତୁ- ଯୁଦ୍ଧ ଗୁଜବ : କୋଣାର୍କରେ ମିଳୁନି ପେଟ୍ରୋଲ, ଘରୋଇ ଗ୍ୟାସ୍ କଳାବଜାରୀ