ନୂଆଦିଲ୍ଲୀ, ୩୦/୦୩ : ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା। ହର୍ମୁଜ୍‌ ପ୍ରଣାଳୀରେ ଇରାନର ନାକାବନ୍ଦୀ। ସାରା ବିଶ୍ଵରେ ଘୋର ଶକ୍ତି ସଙ୍କଟ। ଗ୍ୟାସ୍ ଓ ତୈଳ ଯୋଗାଣ ପ୍ରଭାବିତ। ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ହର୍ମୁଜ୍ ଷ୍ଟ୍ରେଟ୍‌ ର ନୂଆ ବିକଳ୍ପ ବାହାର କଲା ସାଉଦି ଆରବ। କାମରେ ଆସିଲା ଦୀର୍ଘ ୪୫ ବର୍ଷର ପୁରୁଣା ପ୍ଲାନ୍। ଇଷ୍ଟ-ୱେଷ୍ଟ ପାଇପଲାଇନ୍ ଜରିଆରେ କରୁଛି ଧଡ଼ାଧଡ୍ ତୈଳ ଯୋଗାଣ। ୧୯୮୦ ଦଶକରେ ଇରାକ୍-ଇରାନ ଯୁଦ୍ଧ ସମୟରେ ୧ ହଜାର କିଲୋମିଟର ବିଶିଷ୍ଟ ଏହି ପାଇପଲାଇନ୍ ନିର୍ମାଣ କରିଥିଲା ସାଉଦି। 

ଆଇମେରିକା, ଇସ୍ରାଏଲ୍-ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜରେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ହର୍ମୁଜ୍ ଷ୍ଟ୍ରେଟ୍‌ କୁ ତେହରାନ୍ ଚୋକ୍ କରି ଦେଇଛି। ବୈଶ୍ଵିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଏବେ ସାଉଦି ଆରବ ବଡ଼ ପଦକ୍ଷେପ ନେଇଛି। ଇଷ୍ଟ-ୱେଷ୍ଟ ପାଇପଲାଇନ୍ ଜରିଆରେ ସାଉଦି ଏବେ ଦୈନିକ ୭୦ ଲକ୍ଷ ବ୍ୟାରେଲ ତେଲ ରପ୍ତାନୀ କରୁଛି। ଏବେ ବହୁ ସଂଖ୍ୟାରେ ତେଲ ଟ୍ୟାଙ୍କର ଲୋହିତ ସାଗରର ୟନବୁ ପୋର୍ଟ ମୁହାଁ ହୋଇଛି। କୁହାଯାଉଛି ୟନବୁ ରାସ୍ତା ଦେଇ ସାଉଦି ପ୍ରତିଦିନ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନୀ କରୁଛି। ଏତଦ୍ ବ୍ୟତୀତ ୭ ରୁ ୯ ଲକ୍ଷ ବ୍ୟାରେଲ ରିଫାଇନ୍‌ ପ୍ରଡକ୍ଟ ରପ୍ତାନୀ ହେଉଛି। ପାଇପଲାଇନ୍ ଦେଇ ଯାଉଥିବା ସମୁଦାୟ ୭୦ ଲକ୍ଷ ବ୍ୟାରେଲ ତେଲରୁ ପ୍ରାୟ ୨୦ ଲକ୍ଷ ବ୍ୟାରେଲ ତେଲ ଦେଶରେ ରିଫାଇନାରି ପାଇଁ ବ୍ୟବହାର ହେଉଛି। 

ଏହି ପାଇପଲାଇନ୍ ହର୍ମୁଜ୍ ଷ୍ଟ୍ରେଟ୍‌ ର ପୁରାପୁରି ବିକଳ୍ପ ନହୋଇଥିଲେ ମଧ୍ୟ କିଛି ମାତ୍ରାରେ ଆବଶ୍ୟକତା ପୂରଣ କରିପାରୁଛି। କାରଣ ଯୁଦ୍ଧ ପୂର୍ବରୁ ଏହି ରାସ୍ତା ଦେଇ ଦୈନିକ ପ୍ରାୟ ୧.୫ କୋଟି ବ୍ୟାରେଲ ତୈଳ ସପ୍ଲାଇ ହେଉଥିଲା। ସେପଟେ ୟମନର ହୁତୀ ବିଦ୍ରୋହୀ ଯୁଦ୍ଧରେ ସାମିଲ ହେବା ଖବର ଚିନ୍ତା ବଢାଇ ଦେଇଛି। ଲୋହିତ ସାଗରରେ ଏବେ ସଙ୍ଘର୍ଷ ଆହୁରି ଭୟାନକ ହେବ ବୋଲି ଆଶଙ୍କା ବଢିଛି। ହୁତୀ ବିଦ୍ରୋହୀମାନେ ଡ୍ରୋନ୍ ଏବଂ ମିଶାଇଲ୍ ଆଟାକ୍ ର ଧମକ ଦେଇସାରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଇରାନକୁ ଚାରିପଟୁ ଘେରିଲା ଆମେରିକା, ୫୦ହଜାର ସୈନିକ କରିବେ ଆକ୍ରମଣ