ନୂଆଦିଲ୍ଲୀ, ୨୦।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ବିଶ୍ୱ ଶକ୍ତି ଯୋଗାଣକୁ ବାଧା ଦେଇଛି । ସମଗ୍ର ବିଶ୍ୱରେ ଉପୁଜିଛି ଭୟଙ୍କର ତୈଳ ଏବଂ ଗ୍ୟାସ ସମସ୍ୟା । ତେବେ ବିଶେଷଜ୍ଞଙ୍କ ମତରେ, ଶକ୍ତି ସଂକଟ ସହିତ ଖାଦ୍ୟ ସଂକଟ ଦାନା ବାନ୍ଧୁଛି । ଖାଲି ଶକ୍ତି ନୁହେଁ ବିଶ୍ୱ ସାର ଯୋଗାଣକୁ ବି ବାଧା ଦେଇଛି ଯୁଦ୍ଧ । ହୋର୍ମୁଜ ଜଳମାର୍ଗ ବନ୍ଦ ହେବା ଫଳରେ ମଧ୍ୟପ୍ରାଚ୍ୟରୁ ଅଶୋଧିତ ତୈଳ ଏବଂ ଗ୍ୟାସ୍ ସହିତ ସାର ମଧ୍ୟ ଆସିପାରୁନାହିଁ । ବିଶ୍ୱର ଅଧା ସାର ହୋର୍ମୁଜ ଦେଇ ଆସିଥାଏ । ଏଭଳି ସ୍ଥିତିରେ ସାର ଅଭାବ ଖାଦ୍ୟଶସ୍ୟ ଉତ୍ପାଦନକୁ ପ୍ରଭାବିତ କରିବ । ବିଶ୍ୱର ପ୍ରାୟ ଅଧା ୟୁରିଆ ସାର ଏବଂ ଅନ୍ୟାନ୍ୟ ସାରଗୁଡ଼ିକର ବୃହତ୍ ଭାଗ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ହର୍ମୁଜ ଜଳପଥ ଦେଇ ରପ୍ତାନି ହୋଇଥାଏ । ଯୁଦ୍ଧ ସ୍ଥିତିରେ ହୋର୍ମୁଜ ବନ୍ଦ ହୋଇଯାଇଛି । ଫଳରେ ଏହି ବାଟ ଦେଇ ସାର ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ । ଏଥିସହିତ ବିପଦରେ ବିଶ୍ୱ କୃଷି କ୍ଷେତ୍ର ।
ଏହା ବି ପଢ଼ନ୍ତୁ... ପଶ୍ଚିମ ଏସିଆ ସଙ୍କଟ: ୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି, ଶାନ୍ତି ଓ ସ୍ଥିରତା ନେଇ ଆଲୋଚନା
ନିକଟରେ ଗ୍ୟାସ ଯୋଗାଣ ଏବଂ ପରିବହନ ବାଧାପ୍ରାପ୍ତ ହେବା ଫଳରେ ଉପସାଗରୀୟ ରାଷ୍ଟ୍ର ତଥା ଅନ୍ୟାନ୍ୟ ପ୍ରାନ୍ତରେ ସାର ପ୍ଲାଣ୍ଟଗୁଡ଼ିକ, ଯେଉଁମାନେ ସାର ଉତ୍ପାଦନ ପାଇଁ ପ୍ରାକୃତିକ ଗ୍ୟାସ ବ୍ୟବହାର କରିଥାନ୍ତି, ଉତ୍ପାଦନ ହ୍ରାସ କରିଛନ୍ତି କିମ୍ବା ପ୍ଲାଣ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । କତାରର ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନି କତାର ଏନର୍ଜିର ଏଲ୍ଏନ୍ଜି ପ୍ଲାଣ୍ଟରେ ହମ୍ଲା ପରେ ଏହା ଗ୍ୟାସ ଉତ୍ପାଦନକୁ ବନ୍ଦ କରିଦେଇଛି । ଫଳରେ ବିଶ୍ୱର ସର୍ବବୃହତ୍ ୟୁରିଆ ପ୍ଲାଣ୍ଟରେ ଉତ୍ପାଦନ ବ୍ୟାହତ ହୋଇଛି । ଯେହେତୁ କତାରରେ ଏଲ୍ଏନ୍ଜି ଉତ୍ପାଦନ ହ୍ରାସ ପାଇଛି, ଭାରତ ଏହାର ତିନୋଟି ପ୍ରମୁଖ ୟୁରିଆ ପ୍ଲାଣ୍ଟରେ ଉତ୍ପାଦନ କମାଇଛି । ବାଂଲାଦେଶ ମଧ୍ୟ ଏହାର ୫ଟି ସାର କାରଖାନା ମଧ୍ୟରୁ ୪ଟିକୁ ବନ୍ଦ କରିଦେଇଛି । ଆମେରିକାରେ ଏ ବର୍ଷ ସାର ଯୋଗାଣ ପାଖାପାଖି ୨୫% ହ୍ରାସ ପାଇଛି । ଅଭାବ ସ୍ଥିତିରେ ମଧ୍ୟପ୍ରାଚ୍ୟରୁ ୟୁରିଆ ରପ୍ତାନି ମୂଲ୍ୟ ପାଖାପାଖି ୪୦% ବୃଦ୍ଧି ପାଇଛି । ଗତ ଶୁକ୍ରବାର ସୁଦ୍ଧା ଏହା ମେଟ୍ରିକ୍ଟନ ପିଛା ୭୦୦ ଡଲାର ପାର୍ କରିଯାଇଛି, ଯାହାକି ପୂର୍ବରୁ ୫୦୦ ଡଲାରରୁ କମ୍ ଥିଲା । ଗତବର୍ଷ ସମାନ ସମୟ ତୁଳନାରେ ଦର ୬୦% ଅଧିକ ରହିଛି ।
କେତେ ସାର ଉତ୍ପାଦନ କରିଥାଏ ଗଲ୍ଫ ?
ନୌପରିବହନ ସେବା କମ୍ପାନି ସିଗ୍ନାଲ ଗ୍ରୁପ୍ ଅନୁସାରେ, ବିଶ୍ୱର ୨୦% ସାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ଅନ୍ୟପକ୍ଷରେ, ବିଶ୍ୱ ୟୁରିଆ ଯୋଗାଣର ୪୬% ଗଲ୍ଫରୁ ଆସେ । କତାର ଫର୍ଟିଲାଇଜର କମ୍ପାନି(କ୍ୱାଫ୍କୋ), ଯାହାକି ବିଶ୍ୱର ସର୍ବବୃହତ୍ ୟୁରିଆ ଯୋଗାଣକାରୀ ଭାବେ ଜଣା, ଏହା ଏକାକୀ ବିଶ୍ୱର ୧୪% ୟୁରିଆ ଯୋଗାଇଥାଏ । ଡାଟା ଏବଂ ଆନାଲିଟିକ୍ସ କମ୍ପାନି କେପ୍ଲର୍ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ମୁତାବକ ହର୍ମୁଜ ଜଳମାର୍ଗ ନ ଖୋଲିଲେ ବିଶ୍ୱର ଏକ ତୃତୀୟାଂଶ ସାର ଯୋଗାଣ ବ୍ୟାହତ ହୋଇପାରେ । ବର୍ତ୍ତମାନ ହର୍ମୁଜ ଦେଇ କାଁ ଭାଁ ଭାରତୀୟ ଜାହାଜକୁ ଛଡ଼ାଯାଉଛି । ମର୍ଣ୍ଣିଂଷ୍ଟାର ବିଶେଷଜ୍ଞ ସେଠ୍ ଗୋଲ୍ଡଷ୍ଟିନ୍ କହିଛନ୍ତି ଯେ, ନାଇଟ୍ରୋଜେନ ସାର ଦାମ ବର୍ତ୍ତମାନ ସ୍ତରଠାରୁ ଦୁଇଗୁଣା ହୋଇପାରେ ଏବଂ ଫସ୍ଫେଟ୍ ଦର ପାଖାପାଖି ୫୦% ବଢ଼ିପାରେ ।
ସାର ପାଇଁ ମଧ୍ୟପ୍ରାଚ୍ୟ ଉପରେ ଅଧିକ ନିର୍ଭର ଭାରତ:
୨୦୨୪ ସୁଦ୍ଧା ଉପସାଗରୀୟ ସାର ରପ୍ତାନି ଉପରେ ଅଧିକ ନିର୍ଭରଶୀଳ ଥିଲେ ଏସୀୟ ଦେଶ । ସେଠାରୁ ଏସୀୟ ରାଷ୍ଟ୍ରଗୁଡ଼ିକୁ ଆସିଥିଲା ୩୫% ୟୁରିଆ, ୫୩% ସଲ୍ଫର ଏବଂ ୬୪% ଆମୋନିଆ । ସାର ପାଇଁ ମଧ୍ୟପ୍ରାଚ୍ୟ ଉପରେ ଅଧିକ ନିର୍ଭରଶୀଳ ହେଉଛି ଭାରତ । ଏହା ନିଜର ୪୦%ରୁ ଅଧିକ ୟୁରିଆ ଏବଂ ଫସ୍ପେଟ୍ସ ସେଠାରୁ ଆଣିଥାଏ । ଅନ୍ୟପକ୍ଷରେ, ବ୍ରାଜିଲ ଏହାର ସାର ଯୋଗାଣ ପାଇଁ ସମ୍ପୂର୍ଣ୍ଣ ରୂପେ ଆମଦାନି ଉପରେ ନିର୍ଭର କରିଥାଏ । ଏହାର ଅଧା ହର୍ମୁଜ ମାର୍ଗ ଦେଇ ଆସିଥାଏ ।
ଖାଦ୍ୟ ଉତ୍ପାଦନକୁ ବାଧା ଦେବ ସାର ଅଭାବ:
ବ୍ୟବସାୟିକ ଚାଷ କାର୍ଯ୍ୟ କ୍ଷେତ୍ରରେ ପ୍ରାୟ ପ୍ରତ୍ୟେକ ଶସ୍ୟ ପାଇଁ ସାର ଲୋଡ଼ା । ଭିନ୍ନ ପ୍ରକାର ଶସ୍ୟ ଭିନ୍ନ ପ୍ରକାର ସାର ଲୋଡ଼ିଥାନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଶସ୍ତା ରୁଷ ଗ୍ୟାସ୍ ନ ପାଇବା କାରଣରୁ ୟୁରୋପ ଏହାର ସାର ଯୋଗାଣ କମାଇବାକୁ ବାଧ୍ୟ ହୋଇଛି । ଏଭଳି ସ୍ଥିତିରେ ବିଶ୍ୱରେ ପୂର୍ବରୁ ହିଁ ୟୁରିଆ ଅଭାବ ସ୍ଥିତି ରହିଛି । ସେହିଭଳି ଚୀନି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ବେଜିଂ ଏହାର ସାର ରପ୍ତାନି ଉପରେ କଟକଣା ଲଗାଇଛି । ସାର ଅଭାବ ସ୍ଥିତି ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଗଲ୍ଫ ସାରର ବୃହତ୍ ଆମଦାନିକାରୀଙ୍କ ମଧ୍ୟରେ ରହିଥିବା ଭାରତ, ବ୍ରାଜିଲ ଏବଂ ଚୀନ୍ ମଧ୍ୟ ବିଶ୍ୱର ସର୍ବବୃହତ୍ ଖାଦ୍ୟ ଉତ୍ପାଦନକାରୀ ମଧ୍ୟରୁ ଅନ୍ୟତମ । ଚାଉଳ, ଗହମ, ଡାଲି ଏବଂ ଫଳମୂଳ ଉତ୍ପାଦନରେ ଭାରତ ଆଗରେ । ୨୦୨୪ରେ ବିଶ୍ୱର ମୋଟ ଚାଉଳ ରପ୍ତାନିରେ ଭାରତୀୟ ଚାଉଳର ଭାଗ ଥିଲା ଏକ ତୃତୀୟାଂଶ । ଗଲ୍ଫରୁ ସାର ଆସିଥାଏ ଏବଂ ଭାରତରୁ ସେଠାକୁ ଖାଦ୍ୟ ସାମଗ୍ରୀ ଯାଇଥାଏ । ବୃହତ୍ ଭାଗ ସାମଗ୍ରୀ ହୋର୍ମୁଜ ଦେଇ ଯାଇଥାଏ । ଏବେ ଏହି ବାଟ ବନ୍ଦ ହେବା ଫଳରେ ସେଠାରୁ ସାର ଆସିପାରୁନି ଏବଂ ଏଠାରୁ ଖାଦ୍ୟ ସାମଗ୍ରୀ ରପ୍ତାନି ବାଧା ପାଇଛି । ଏହା ଏକ ବଡ଼ ଖାଦ୍ୟ ସଂକଟର ସଂକେତ ।