ନୂଆଦିଲ୍ଲୀ,୨୧/୦୯: ଗାଜା ଯୁଦ୍ଧ ପ୍ରାୟ ଦୁଇ ବର୍ଷ ଧରି ଚାଲିଛି। ଏହି ସଂଘର୍ଷରେ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହା ସତ୍ତ୍ୱେ  ଇସ୍ରାଏଲୀ ସେନା ଏବଂ ବାୟୁସେନା ୪୦୦ବର୍ଗ କିଲୋମିଟରର ଗାଜା ଷ୍ଟ୍ରିପକୁ ସମ୍ପୂର୍ଣ୍ଣ ଭାବରେ କବଜା କରିପାରିନାହାନ୍ତି। ସବୁଠାରୁ ବଡ଼ ସହର ଗାଜାର ନିୟନ୍ତ୍ରଣ ପାଇଁ ଚାଲିଥିବା ଯୁଦ୍ଧରେ, ହମାସ ଏବେ ତା'ର ଯୁଦ୍ଧ ରଣନୀତି ପରିବର୍ତ୍ତନ କରି ଇସ୍ରାଏଲୀ ସେନାର ମୁକାବିଲା କରୁଛି। ବର୍ତ୍ତମାନ ହମାସ ଦ୍ୱାରା ପରିଚାଳିତ ଗାଜା ସହରରେ ଯୁଦ୍ଧ ଚାଲିଥିବା ବେଳେ ଏହାକୁ କବଜା କରିବା ପାଇଁ ଇସ୍ରାଏଲର ସ୍ଥଳ ଅଭିଯାନ ଗତ ସପ୍ତାହରେ ଆରମ୍ଭ ହୋଇଥିଲା।

ଏହା ବିଶ୍ୱାସ କରାଯାଏ ଯେ ଗାଜା ସହରରେ ୬ ଲକ୍ଷ ଲୋକ ଉପସ୍ଥିତ ଅଛନ୍ତି, ଯେଉଁଥିରେ ହମାସ ଏବଂ ଅନ୍ୟାନ୍ୟ ସଂଗଠନର ୫୦ହଜାର ଯୋଦ୍ଧା ଅଛନ୍ତି । ହମାସର ଜଣେ ବରିଷ୍ଠ ଅଧିକାରୀ ୱାସେମ ଆଫିଫା କହିଛନ୍ତି ଯେ, ହମାସର ସଶସ୍ତ୍ର ଶାଖା ସମୟ ଏବଂ ଆବଶ୍ୟକତା ଅନୁଯାୟୀ ଏହାର ଭୂମିକା ଗ୍ରହଣ କରିବାରେ ପାରଙ୍ଗମ। ଦୁଇ ବର୍ଷର ଲଢ଼େଇ ପରେ,ଏହା ଏବେ ଗରିଲା ଯୁଦ୍ଧ ନୀତି ଗ୍ରହଣ କରିଛି । ଯେଉଁଠାରେ ଯୋଦ୍ଧାମାନେ ଇସ୍ରାଏଲୀ ସୈନିକଙ୍କ ଉପରେ ଅତର୍କିତ ଆକ୍ରମଣ କରି ନିଜକୁ ରକ୍ଷା କରୁଛନ୍ତି। ଏନେଇ ପୂର୍ବତନ CIA ନିର୍ଦ୍ଦେଶକ ୱିଲିୟମ୍ ବର୍ନ୍ସ କହିଛନ୍ତି ଯେ,ହମାସ ଆଉ ୨୦୨୩ ମସିହାରେ ଥିବା ସ୍ଥିତିରେ ନାହିଁ।  ଦୁଇ ବର୍ଷର ଲଢ଼େଇରେ ଏହାର ଅଧିକାଂଶ ଲଢ଼ୁଆ ଏବଂ କମାଣ୍ଡର ନିହତ ହୋଇଛନ୍ତି।