ନୂଆଦିଲ୍ଲୀ,୨୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଉଛି। ହେଲେ ସେପଟେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ରୁଷ ଗସ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ଆହୁରି ଅସନ୍ତୁଷ୍ଟ କରିଛି। ଏବେ ସେ ଧମକ ଦେଇ କହିଛନ୍ତି ଯେ, ଯଦି ଇରାନ ତିନି ଦିନ ମଧ୍ୟରେ କୌଣସି ଚୁକ୍ତିରେ ସମାଧାନ ନକରେ, ତେବେ ଏହାର ତୈଳ ପାଇପଲାଇନରେ ଭୟଙ୍କର ବିସ୍ଫୋରଣ ହେବ। ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଇରାନ ଆଉ ତେଲ ରପ୍ତାନି କରିପାରିବ ନାହିଁ। ଅବରୋଧ ଯୋଗୁଁ ଇରାନ ଜାହାଜ ଦ୍ୱାରା ତେଲ ରପ୍ତାନି ହୋଇପାରୁନି। ଏବେ ପାଇପଲାଇନ ନଷ୍ଟ ହେବା ଦ୍ୱାରା ଏହାର ରପ୍ତାନି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନରୁ ପୁଣିଥରେ ରୁଷ ପହଁଞ୍ଚିଛନ୍ତି ଏବଂ ପୁଟିନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରୁଷ ଗଣମାଧ୍ୟମ ଏହା ସୁନିଶ୍ଚିତ କରିଛି। ଉଲ୍ଲେଖନୀୟ ଯେ ମେରାଜ ଏୟାରଲାଇନ୍ସ ଯେଉଁ ସ୍ୱତନ୍ତ୍ର ବିମାନରେ ଆବାସ ଆରାଘଚି ରୁଷ ଯାତ୍ରା କରିଥିଲେ ତାହା ‘ମିନାବ ୧୬୮’ । ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ ସ୍କୁଲ ପିଲାଙ୍କ ସ୍ମୃତିରେ ଏହି ନାମ ଦିଆଯାଇଛି।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘାଚି କୁଟନୈତିକ ଗସ୍ତରେ ରହିଛନ୍ତି। ସେ ଓମାନ ଯାତ୍ରା ପରେ ଇସଲାମାବାଦ ଫେରିଥିଲେ ଓ ସେଠାରୁ ରୁଷ ପହଁଞ୍ଚିଛନ୍ତି। ଯେଉଁଠି ତାଙ୍କର ସାକ୍ଷାତ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସହିତ ହୋଇପାରେ। ଟ୍ରମ୍ପଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଆମେରିକା ଇରାନ ଉପରେ ସମୁଦ୍ର ଓ ଆର୍ଥିକ ଚାପ ଲଗାତାର ବଢାଉଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ହ୍ବାଇଟ ହାଉସ ଡିନରରେ ହୋଇଥିବା ଫାୟାରିଂ ଭଳି ଘଟଣା ବି ତାଙ୍କ ଆଭିମୁଖ୍ୟକୁ ବଦଳାଇ ପାରିବନି। ଟ୍ରମ୍ପ କହିଛନ୍ତି ଏହା ମୋତେ ଇରାନ ବିରୋଧରେ ଯୁଦ୍ଧ ଜିତିବାକୁ ରୋକିପାରିବନି।’

ଆରାଘାଚି ପାକିସ୍ତାନ ଜରିଆରେ ଆମେରିକା ପର୍ଯ୍ୟନ୍ତ ଲିଖିତ ବାର୍ତ୍ତା ପହଁଞ୍ଚାଇଛନ୍ତି, ଯେଉଁଥିରେ ପରମାଣୁ ଓ ହର୍ମୁଜ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ଇରାନ ଲିଖିତ ପ୍ରସ୍ତାବ ଟ୍ରମ୍ପଙ୍କୁ ପଠାଇଥିଲା, ଯାହାକୁ ସେ ତୁରନ୍ତ ଖାରଜ କରି ଦେଇଥିଲେ। ଟ୍ରମ୍ପ ଦାବି କରିଛନ୍ତି ପ୍ରଥମ ପ୍ରସ୍ତାବ ଖାରଜ ହେବା ପରେ ଇରାନ ଦ୍ବିତୀୟ ପ୍ରସ୍ତାବ ପଠାଇଛି, ଯାହାକି ପୂର୍ବଠାରୁ ଭଲ ରହିଛି। ସେ କହିଛନ୍ତି, କଥା ହେବାକୁ ଏବଂ ଯିବା ଆସିବା କରିବାକୁ ବହୁତ ସମୟ ଲାଗିଥାଏ। ଏବେ ସବୁ କଥା ଫୋନ୍‌ରେ ହେବ। ଇରାନ ଯେତେବେଳେ ଚାହିଁବ ତାଙ୍କୁ ଫୋନ୍ କରିପାରିବ। ସେଭଳି ଅନ୍ୟପକ୍ଷେ ଇରାନର କହିବା ଅନୁସାରେ, ଏବେ ଆଗକୁ ସବୁ କଥାବାର୍ତ୍ତା ମସ୍କୋରେ ହେବ।