ଟାରିଫ୍ ମାଡ଼ରେ ନିସ୍ତେଜ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏବେ ଛାରଖାର କରିବାକୁ ବସିଲାଣି ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ହେଉଥିବା ହମଲାର ପ୍ରହାର ସିଧାସଳଖ ବିଶ୍ୱ ଅର୍ଥବ୍ୟବସ୍ଥାର ଧମନୀକୁ ମାଡ଼ କରିଛି । ବିଶ୍ୱ ଶକ୍ତି ସୁରକ୍ଷାକୁ ଲାଗିଛି ଶକ୍ତ ଧକ୍କା । ସବୁ ପ୍ରାନ୍ତରେ ଦେଖିବାକୁ ମିଳୁଛି ପ୍ରଭାବ । ତୈଳ ଦର ରକେଟ ବେଗରେ ବଢ଼ିଚାଲିଛି । ଯୋଗାଣ ଅଭାବ ଯୋଗୁ ମିଳୁନି ଏଲ୍ପିଜି । ଶିଳ୍ପ କାର୍ଯ୍ୟକଳାପ ହୋଇଛି ବ୍ୟାହତ । ଗଲଫ୍ ଦେଶଗୁଡ଼ିକର ତୈଳ ଏବଂ ଗ୍ୟାସ ଠିକଣାଗୁଡ଼ିକରେ ଆକ୍ରମଣ ଯେଉଁ ମାତ୍ରାରେ ହେଉଛି ଏହା ପ୍ରଭାବରୁ ଉଧେଇବା ପାଇଁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଲାଗିପାରେ ଲମ୍ବା ସମୟ । ଶକ୍ତି ଦର ବଢ଼ିବା ସହ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦରଦାମ ତେଜିବ ଆଉ ଅଭିବୃଦ୍ଧି ସଂକୁଚିତ ହେବ । ପାରିବାରିକ ବଜେଟ୍ ପାଇବ ବାଧା...

ମାଡ଼ିଆସୁଛି ବିପତ୍ତି

ଇରାନର ସାଉଥ୍ ପାର୍ସ ଗ୍ୟାସ୍ କ୍ଷେତ୍ରରେ ଇସ୍ରାଏଲର ଆକ୍ରମଣ ପରେ ଯୁଦ୍ଧ ଏକ ନୂଆ ମୋଡ଼ ନେଇଛି । ଏଇ ଯୁଦ୍ଧରେ ପ୍ରଥମ ଥର ପାଇଁ ଇରାନ୍ର ପ୍ରମୁଖ ଶକ୍ତି ଭିତ୍ତିଭୂମି ଉପରେ ସିଧାସଳଖ ପ୍ରହାର ହୋଇଛି । ସାଉଥ୍ ପାର୍ସ ହେଉଛି ଇରାନ୍ର ପ୍ରାକୃତିକ ଗ୍ୟାସ ଉତ୍ପାଦନର ମେରୁଦଣ୍ଡ । ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ଆକ୍ରମଣକୁ ନେଇ ଇରାନର ଜବାବ ମଧ୍ୟ ବିସ୍ପୋରକ ରହିଛି । ମାତ୍ର କିଛି ଘଣ୍ଟାରେ ଏହା କରିଛି ଜବାବୀ ଆକ୍ରମଣ । କାତାର, ସାଉଦି ଆରବ ଏବଂ ୟୁଏଇର ବିଭିନ୍ନ ତୈଳ ଓ ଗ୍ୟାସ ଫ୍ୟାସିଲିଟିରେ ଏହା କରିଛି ଆକ୍ରମଣ । ବିଶ୍ୱର ସର୍ବବୃହତ୍ ଏଲ୍ଏନଜି ପ୍ରୋସେସିଂ ଫ୍ୟାସିଲିଟି ଥିବା କାତାର୍ର ରାସ୍ ଲାଫାନ୍ ଶିଳ୍ପ ସହରରେ ବ୍ୟାପକ କ୍ଷତି ଘଟିଥିବା କତାର ଏନର୍ଜି ପକ୍ଷରୁ ପ୍ରକାଶ । ଆକ୍ରମଣ ପରେ ୟୁଏଇ ଏହାର ଗ୍ୟାସ୍ ଫ୍ୟାସିଲିଟି ବନ୍ଦ କରିଦେଇଛି । କୁଏତ୍ରେ ଦୁଇଟି ବିଶୋଧଗାରରେ ଡ୍ରୋନ୍ ଆକ୍ରମଣ ହୋଇଛି । ପ୍ରମୁଖ ତୈଳ ପ୍ରକ୍ରିୟାକରଣ ହବ୍ ମୀନା-ଅଲ୍-ଅହମ୍ମଦିରେ ବି ହୋଇଛି ଆକ୍ରମଣ । ଗ୍ୟାସ କ୍ଷେତ୍ର ଏବେ ପାଲଟିଛି ରଣକ୍ଷେତ୍ର ।

ଗ୍ୟାସ୍ କ୍ଷେତ୍ର ପାଲଟିଛି ରଣକ୍ଷେତ୍ର

ଇରାନ ଯୁଦ୍ଧ ଏହାର ସବୁ ସୀମା ଲଂଘିଯାଇଛି । ଏକ ରଣନୈତିକ ଏବଂ ସାମରିକ ମୁକାବିଲା ସହ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାର ଧମନୀକୁ ପ୍ରହାର କରିଛି । ଶକ୍ତି ଭିତ୍ତିଭୂମି, ଯାହାକୁ ପୂର୍ବରୁ ସ୍ପର୍ଶ କରାଯାଉ ନ ଥିଲା ବର୍ତ୍ତମାନ ସେଠାରେ ତୁହାକୁ ତୁହା ଆକ୍ରମଣ । ଯୁଦ୍ଧରେ ଏବେ ଅସ୍ତ୍ର ସାଜିଛି ତୈଳ ଏବଂ ଗ୍ୟାସ । ପୂର୍ବରୁ ହୋର୍ମୁଜ ଜଳପଥରେ ତୈଳ ଏବଂ ଗ୍ୟାସ ପରିବହନ ନେଇ ଚିନ୍ତା ଥିଲା । କିନ୍ତୁ ଏବେ ଇରାନର ଗ୍ୟାସ୍ କ୍ଷେତ୍ରରେ ଇସ୍ରାଏଲର ଆକ୍ରମଣ ପରେ ଇରାନ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ଗଲ୍ଫ ଶକ୍ତି ହବ୍ ଗୁଡ଼ିକରେ କରିଛି ହମଲା । ଏସବୁର ପରିଣାମ ବିଶ୍ୱର ବିଭିନ୍ନ କୋଣରେ ଦେଖିବାକୁ ମିଳିଲାଣି ।

ସଂକଟରେ ଶକ୍ତି ବ୍ୟବସ୍ଥା

ଯୁଦ୍ଧ ଯୋଗୁ ବଜାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଯୋଗାଣ ଅଭାବ ଭୟରେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୧୧୦ ଡଲାରରେ ପହଞ୍ଚିଗଲାଣି । କାତାରର ଏଲ୍ଏନ୍ଜି ହବ୍ରେ ଇରାନ୍ର ଆକ୍ରମଣ ପରେ ୟୁରୋପୀୟ ଗ୍ୟାସ ଦର ୩୦%ରୁ ଅଧିକ ବଢ଼ିଯାଇଛି । ବିଶ୍ୱ ଗ୍ୟାସ ବଜାରରେ କାତାରର ଭୂମିକା ହିଁ ସ୍ଥିତିକୁ ଭୟଙ୍କର କରୁଛି । ବର୍ଷକୁ ଏହି ଦେଶ ୭୭ ନିୟୁତ ମେଟ୍ରିକ ଟନ୍ ଏଲ୍ଏନ୍ଜି ଉତ୍ପାଦନ କରିଥାଏ । ଏହା ହେଉଛି ବିଶ୍ୱର ସର୍ବବୃହତ୍ ରପ୍ତାନିକାରୀ । ଏହି ଉତ୍ପାଦନର କେନ୍ଦ୍ରବିନ୍ଦୁ ହେଉଛି ରାସ୍ ଲାଫନ, ଯାହା ବିମାନ ଇନ୍ଧନ ସମେତ ଅନେକ ବିଶୋଧିତ ଉତ୍ପାଦକୁ ଘନୀଭୂତ ପ୍ରକ୍ରିୟାକରଣ କରେ । ଗ୍ୟାସ ଏବଂ ତୈଳ ଫ୍ୟାସିଲିଟିଗୁଡ଼ିକରେ ହେଉଥିବା ଆକ୍ରମଣ ଯୋଗୁ କୁଏତ୍ରେ ହେଉଥିବା କ୍ଷତି କେବଳ ସ୍ଥାନୀୟ ଯୋଗାଣକୁ ପ୍ରଭାବିତ କରିବ ନାହିଁ । ଏହା ବିଶ୍ୱ ଗ୍ୟାସ ବଜାରର ସ୍ଥିରତା ପ୍ରତି ବିପଦ ।

ଏବେ ଟଳିବନି ଗ୍ୟାସ ସଂକଟ

ଏମ୍ଏସଟି ମାର୍କ୍ୱିର ସଲ୍ କାଭୋନିକ୍ କୁହନ୍ତି, ରାସ ଲାଫନ ଉପରେ ହମଲା ଲମ୍ବା ସମୟ ପାଇଁ ବିଶ୍ୱ ଗ୍ୟାସ ସଂକଟର କାରଣ ସାଜିବ । ଉଚ୍ଚ ଗ୍ୟାସ ଦରର ଲାଭ ଆମେରିକାକୁ ମିଳିବ । କାରଣ ଏହା ଏଲ୍ଏନ୍ଜିର ସର୍ବବୃହତ୍ ରପ୍ତାନିକାରୀ । ନୌପରିବହନ ମାର୍ଗରେ ବାଧା ଦେଖାଦେଇଛି । ହୋର୍ମୁଜ ଦେଇ ବିଶ୍ୱର ପ୍ରାୟ ୨୦% ତୈଳ ଏବଂ ଏଲ୍ଏନଜି ରପ୍ତାନି ହୋଇଥାଏ । ଏହା ଏବେ ଠପ୍ । ବର୍ତ୍ତମାନ ତୈଳ ଏବଂ ଗ୍ୟାସ ଠିକଣାଗୁଡ଼ିକରେ ତୁହାକୁ ତୁହା ହମଲା ଫଳରେ ସ୍ଥିତି ଅତ୍ୟନ୍ତ ବିକୃତ ହୋଇଛି ।

ୟୁରୋପରେ ପ୍ରଭାବ

ସାମ୍ପ୍ରତିକ ସ୍ଥିତିର ପ୍ରଭାବ ୟୁରୋପରେ ଅନୁଭୂତ ହେଲାଣି । ରୟଟର୍ସର ଏକ ରିପୋର୍ଟ ଅନୁସାରେ, ପୂର୍ବ ୟୁରୋପ ଏବଂ ଇଟାଲିରେ ବିଦ୍ୟୁତ୍ ଦର ବଡ଼ ଆକାରରେ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ହଙ୍ଗେରୀ, ଇଟାଲି ଏବଂ ରୋମାନିଆରେ ବିଦ୍ୟୁତ ଦର ପ୍ରାୟ ୧୨% ବୃଦ୍ଧି ପାଇଛି । ମୂଳ କାରଣ ବୁଝିବା ସହଜ । ଇଟାଲି ଏହାର ଶକ୍ତି ଆବଶ୍ୟକତାର ପାଖାପାଖି ୩୮% ଗ୍ୟାସ୍ରୁ ଉତ୍ତୋଳନ କରିଥାଏ । ଏହା ଗ୍ୟାସ ଉପରେ ନିର୍ଭରଶୀଳ ୟୁରୋପର ସର୍ବବୃହତ୍ ଅର୍ଥନୀତି । ଏହା ପଛକୁ ରହିଛନ୍ତି ହଙ୍ଗେରି ଏବଂ ରୋମାନିଆ । ଉଭୟ ଦେଶ ନିଜର ଯଥାକ୍ରମେ ୩୨% ଏବଂ ୩୦% ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଗ୍ୟାସ୍ର ବ୍ୟବହାର କରିଥାନ୍ତି । ୨୦୨୬ରେ ଏହି ଦେଶଗୁଡ଼ିକ ସେମାନଙ୍କ ଗ୍ୟାସ୍-ଚାଳିତ ବିଦ୍ୟୁତ୍ ଉତ୍ପାଦନକୁ ବଡ଼ ଆକାରରେ ବୃଦ୍ଧି କରିଛନ୍ତି । ତେଣୁ ଗ୍ୟାସ ଫ୍ୟାସିଲିଟିଗୁଡ଼ିକରେ ହମଲାର ଅଧିକ ପ୍ରଭାବ ଏମାନଙ୍କ ଉପରେ ପଡ଼ିଛି ।

ସଂକୁଚିତ ହେବ ଶିଳ୍ପ

ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁରୋପର ବେଞ୍ଚମାର୍କ ଗ୍ୟାସ ଦର ପ୍ରାୟ ୬୫% ବୃଦ୍ଧି ପାଇଛି । କାତାର୍ର ଏଲ୍ଏନ୍ଜି ରପ୍ତାନି ବ୍ୟାହତ ହୋଇଛି ଏବଂ ଇରାନ୍ର ଉତ୍ପାଦନ ପ୍ରଭାବିତ ହୋଇଛି । ମଧ୍ୟପ୍ରାଚ୍ୟରୁ ଯୋଗାଣ ସୀମିତ ରହିବ । ସାମ୍ପ୍ରତିକ ସମସ୍ୟାଗୁଡ଼କ ଯୋଗୁ ବିଦ୍ୟୁତ୍ ଦର ଉଚ୍ଚ ରହିବ, ଯାହା ଶିଳ୍ପ କାର୍ଯ୍ୟକୁ ସଂକୁଚିତ କରିବ । ୟୁରୋପୀୟ ସଂଘ ନେତାମାନେ ସମାଧାନ ପାଇଁ ତତ୍ପର ହୋଇଗଲେଣି । ଗୁରୁବାର ହୋଇଥିବା ଏକ ସମ୍ମିଳନୀରେ ସେମାନେ ଜରୁରୀ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି । ଅସ୍ଥାୟୀ ପଦକ୍ଷେପ ପାଇଁ ଏମାନେ ଏକ ଚିଠାନୀତି ପ୍ରସ୍ତୁତ କରିଛନ୍ତି । ତେବେ ଯଦି ହୋମୁର୍ଜ ଜଳପଥ ବନ୍ଦ ରହିଚାଲେ ତେବେ କୌଣସି ବିକଳ୍ପ ଗ୍ୟାସ ଦରକୁ ଖସାଇପାରିବ ନାହିଁ ।

ଭାରତକୁ ଅଧିକ ବିପଦ

ବର୍ତ୍ତମାନର ସ୍ଥିତି ଯୋଗୁ ଭାରତ ସହିତ ଅନେକ ରାଷ୍ଟ୍ରଗୁଡ଼ିକ ପ୍ରତି ବିପଦ ରହିଛି । ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ପାଖାପାଖି ୮୮% ଆମଦାନି ଜରିଆରେ ପୂରଣ କରିଥାଏ । ଆବଶ୍ୟକତାର ୫୦% ପ୍ରାକୃତିକ ଗ୍ୟାସ, ୬୦ ଏଲ୍ପିଜି ଆମଦାନି କରିଥାଏ ଭାରତ । ଦେଶର ପ୍ରାୟ ଅଧା ଏଲ୍ଏନଜି କେବଳ କତାରରୁ ଆସିଥାଏ । ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା ଲିଜିଷ୍ଟିକ୍ସ ସମସ୍ୟା ସୃଷ୍ଟି କରିଛି । ଭାରତ ପତାକାଯୁକ୍ତ ୨୨ଟି ଅଶୋଧିତ ତୈଳ, ଏଲପିଜି ଏବଂ ଏଲ୍ଏନଜି ବୋଝେଇ ଜାହାଜ ହୋମୁର୍ଜରେ ଅଟକିଛି । ଏହି ଜାହାଜଗୁଡ଼ିକରେ ୧.୬୭ ନିୟୁତ ଟନ୍ ଅଶୋଧିତ ତୈଳ, ୩.୨ ଲକ୍ଷ ଟନ୍ ଏଲପିଜି ଏବଂ ପାଖାପାଖି ୨ ଲକ୍ଷ ଟନ୍ ଏଲ୍ଏନଜି ରହିଛି । ଏହି ଜାହାଜଗୁଡ଼ିକ କିପରି ସୁରକ୍ଷିତ ଭାବେ ଭାରତକୁ ଆସିପାରିବ ସେଥିପାଇଁ ଉଦ୍ୟମ ଚାଲିଛି । କିନ୍ତୁ ଏହାକୁ ନେଇ ଅନିଶ୍ଚିତତା ରହିଛି ।

ମାନ୍ଦାବସ୍ଥା, ମୁଦ୍ରାସ୍ଫୀତି ଆଶଙ୍କା

ଭାରତ ପ୍ରାଥମିକ ଭାବେ ରୁଷ, ପଶ୍ଚିମ ଆଫ୍ରିକା, ଆମେରିକା ଏବଂ ଲାଟିନ ଆମେରିକାରୁ କିଛି ତେଲ ସଂଗ୍ରହ କରି ଅଶୋଧିତ ତୈଳ ଯୋଗାଣ ସମସ୍ୟାକୁ ପ୍ରାରମ୍ଭିକ ଭାବେ ନିୟନ୍ତ୍ରଣ କରିଥିଲା । କିନ୍ତୁ ଗ୍ୟାସ ଏବଂ ଏଲ୍ପିଜି ସମସ୍ୟାକୁ ସମାଧାନ କରିବା କଠିନ ପାଲଟିଛି । ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାଙ୍କୁ ଗ୍ୟାସ ଯୋଗାଣରେ କାଟଛାଣ୍ଟ କରାଯାଉଛି । ଫଳରେ ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ମୁଦ୍ରାସ୍ଫୀତି ଆଶଙ୍କା ବଢ଼ିଯାଇଛି ।

ଭାରତର ଶକ୍ତି ସୁରକ୍ଷାକୁ ବିପଦ

ଯୁଦ୍ଧ ପୂର୍ବରୁ ଭାରତର ୫୦%ରୁ ଅଧିକ ଅଶୋଧିତ ତୈଳ ଆମଦାନି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ଆସୁଥିଲା । ହୋର୍ମୁଜ ଦେଇ ଏହା ଭାରତକୁ ଆସୁଥିଲା । ଏହି ରୁଟ୍ ଦେଇ ଦେଶକୁ ୯୫% ପର୍ଯ୍ୟନ୍ତ ଏଲ୍ପିଜି ଏବଂ ପାଖାପାଖି ୩୦% ଗ୍ୟାସ ପ୍ରବାହିତ ହେଉଥିଲା । ବର୍ତ୍ତମାନର ସ୍ଥିତି ଭାରତର ଶକ୍ତି ସୁରକ୍ଷା ଉପରେ ସିଧାସଳଖ ଆକ୍ରମଣ ଭଳି ମନେ ହୁଏ ।

ଆମେରିକା ଯୋଗୁ ଭୁରାଜନୈତିକ ସମସ୍ୟା

ଯୁଦ୍ଧର ମୂଖ୍ୟ ସୂତ୍ରଧାର ହେଉଛି ଆମେରିକା । ଏହି ସ୍ଥିତିରୁ ସବୁଠାରୁ ଅଧିକ ଫାଇଦା ଉଠାଇ ଆମେରିକା । ସାମ୍ପ୍ରତିକ ସ୍ଥିତିରେ ଉଚ୍ଚ ଗ୍ୟାସ ଦରର ଲାଭ ଆମେରିକାକୁ ମିଳିବ । କାରଣ ଏହା ଏଲ୍ଏନଜିର ସର୍ବବୃହତ୍ ରପ୍ତାନିକାରୀ ।