ଭୁବନେଶ୍ଵର : ଏଫ୍ ୱାର୍ଲ୍ଡର ବଡ଼ ଉପଲବ୍ଧି। ଫ୍ୟାସନ ଇଣ୍ଡଷ୍ଟ୍ରିରେ ନୂଆ ଫ୍ୟାବ୍ରିକ୍‌ର ଏଣ୍ଟ୍ରି। ଏବେ କ୍ଷୀରରୁ ତିଆରି ହେଉଛି ସୁଟ୍ ଶାଢି। ପିନ୍ଧିବାକୁ ଏକଦମ୍ ସଫ୍ଟ ଆଉ ସ୍ମୁଥ୍। ରେଶମ ଠାରୁ ବି ୩ ଗୁଣା କୋମଳ । ଝାଳ ବାହାରିଲେ ବି ହେବନି ଦୁର୍ଗନ୍ଧ। ଏହା ଥର୍ମୋ ରେଗୁଲେଟିଂ। ଶୀତରେ ଉଷୁମ ଦେବ ଓ ଗରମରେ ଥଣ୍ଡା ଅନୁଭବ କରାଇବ। ସ୍କିନ୍ ଆଲର୍ଜି ଥିବା ଲୋକଙ୍କ ପାଇଁ ପୁରା ପରଫେକ୍ଟ। କ'ଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ହେଲେ ଏହା ସତ । ଏବେ ଛିଣ୍ଡି ଯାଇଥିବା କ୍ଷୀରରୁ ପନୀର ନୁହେଁ ତିଆରି ହେଉଛି ମିଲ୍କ ଫ୍ୟାବ୍ରିକ୍। ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍। ଗୋଟେ ମିଟର ମିଲ୍କ ଫ୍ୟାବ୍ରିକ୍‌ର ଦାମ୍ ରହିଛି ୧୫ ହଜାରରୁ ୪୫ ହଜାର। 

କ୍ଷୀରରୁ କପଡ଼ା ତିଆରି କରିବା ପ୍ରକ୍ରିୟା ଖୁବ୍ ଆକର୍ଷକ। ପ୍ରଥମେ କ୍ଷୀରକୁ ଛିଣ୍ଡାଯାଏ। ଏହାପରେ ଏଥିରୁ କେସିନ ପ୍ରୋଟିନ ବାହାର କରାଯାଏ। ଏହି ପ୍ରୋଟିନକୁ ପାଣିରେ ଘାଣ୍ଟି ଏକ ଲିକ୍ୟୁଇଡ୍ ପ୍ରସ୍ତୁତ କରାଯାଏ। ଏହାପରେ ଏହାକୁ ସ୍ପିନିଂ ମେସିନରେ ରେଶମରେ ପରିବର୍ତ୍ତନ କରାଯାଏ। ଏହି ରେଶମ ଖୁବ୍ ଚମକଦାର୍ ଓ କୋମଳ। ଏହାକୁ ବୁଣି କପଡ଼ା ପ୍ରସ୍ତୁତ କରାଯାଏ। ସବୁଠୁ ବଡ଼ କଥା ହେଲା ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି କେମିକାଲ୍‌ର ବ୍ୟବହାର ହୁଏନାହିଁ। ଏହା ଆଣ୍ଟି ବ୍ୟାକ୍ଟେରିଆଲ, ୧୦୦ ପ୍ରତିଶତ ପରିବେଶ ଉପଯୋଗୀ ଓ ସ୍କିନ୍ ଫ୍ରେଣ୍ଡଲି। ଏହା ପରିବେଶ ପ୍ରଦୂଷଣ କରିବନି, ମାତ୍ର ୨ ବର୍ଷ ଭିତରେ ଏହା ମାଟିରେ ମିଳେଇଯିବ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏକ ଲିଟର କ୍ଷୀରରୁ ମାତ୍ର ୧୦ ଗ୍ରାମର ଫ୍ୟାବ୍ରିକ୍ ତିଆରି ହେବ। ଅର୍ଥାତ୍ ଗୋଟିଏ ଟି-ସାର୍ଟ ତିଆରି କରିବା ପାଇଁ ପ୍ରାୟ ୬୦ ରୁ ୭୦ ଲିଟର ଦୁଗ୍ଧ ଆବଶ୍ୟକ ହୋଇଥାଏ। ଏଥିପାଇଁ ମିଲ୍କ ଫ୍ୟାବ୍ରିକ୍‌ର ଦାମ୍ ଆକାଶଛୁଆଁ। ଏକ ମିଟର ମିଲ୍କ ଫ୍ୟାବ୍ରିକ୍‌ର ଦାମ୍ ୧୫ ହଜାରରୁ ୪୫ ହଜାର ଟଙ୍କା ରହିଛି। ଅର୍ଥାତ୍ ଗୋଟିଏ ଶାଢୀର ଦାମ୍ ୩ ରୁ ୫ ଲକ୍ଷ ଟଙ୍କା ରହିଛି। 

ଦୁଗ୍ଧରୁ କପଡ଼ା ତିଆରି କରିବା ଟେକ୍ନୋଲୋଜି ନୂଆ ନୁହେଁ। ୧୯୩୦ ଦଶକରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଟାଲୀରେ ଯେତେବେଳେ ଉଲ୍‌ର ଗଭୀର ଅଭାବ ସୃଷ୍ଟି ହୋଇଥିଲା ସେତେବେଳେ ବୈଜ୍ଞାନକମାନେ କ୍ଷୀରରୁ କପଡ଼ା ତିଆରି କରିବା ଆରମ୍ଭ କରିଥିଲେ। ସେତେବେଳେ ଏହାର ନାମ ‘ଲାନିଟାଲ’ ରଖାଯାଇଥିଲା। ମୁସୋଲିନିଙ୍କ ସମୟରେ ଏହି ଫ୍ୟାବ୍ରିକର ଚାହିଦା ଢେର୍ ଅଧିକା ଥିଲା। ହେଲେ ଯୁଦ୍ଧ ସରିବା ପରେ ଶସ୍ତା ଉଲ୍ ଓ ସିନ୍ଥେଟିକ୍ ଫ୍ୟାବ୍ରିକ୍ ଆସିବା ପରେ ମିଲ୍କ ଫ୍ୟାବ୍ରିକ୍‌ର ଚାହିଦା କମିଗଲା। ୨୦୨୫ରେ ପୁଣି ଏହି ମିଲ୍କ ଫ୍ୟାବ୍ରିକ୍ ଟ୍ରେଣ୍ଡ୍‌କୁ ଆସିଛି। 

ଦୀର୍ଘସ୍ଥାୟୀ ଦୁନିଆରେ ଲୋକମାନେ ପ୍ଲାଷ୍ଟିକ୍ ତିଆରି ଜିନିଷଠାରୁ ଦୂରେଇବାକୁ ଚାହୁଁଛନ୍ତି। ଏଥିପାଇଁ ପଲିଷ୍ଟର ପୋଷାକରୁ ମୁହଁ ଫେରାଉଛନ୍ତି। ଏପରି ସ୍ଥିତିରେ ଜର୍ମାନୀର ଏକ କମ୍ପାନୀ Qmilk ଇଟାଲୀର ପୁରୁଣା ଟେକ୍ନୋଲୋଜିକୁ ଆପଣେଇଛି। କମ୍ପାନୀ ଇଣ୍ଡଷ୍ଟ୍ରିଆଲ୍ ୱେଷ୍ଟ ମିଲ୍କରୁ ଏହି କପଡ଼ା ତିଆରି ଆରମ୍ଭ କରିଛି। ପ୍ରତି ବର୍ଷ ୟୁରୋପରେ ୨୦ ଲକ୍ଷ ଟନ୍ ଦୁଗ୍ଧ ଫୋପଡ଼ାଯାଏ। ଏହି ଦୁଗ୍ଧକୁ ବ୍ୟବହାର କରି ଏହି କମ୍ପାନୀ ଏବେ କପଡ଼ା ତିଆରି କରିବା ଆରମ୍ଭ କରିଛି। ଏହି କପଡ଼ା ଥରେ ପିନ୍ଧିଲେ ଆପଣବି ଏହାର ଦିୱାନା ହୋଇଯିବେ।