ଭୁବନେଶ୍ୱର, ୧୫/୦୫ : ୨୦୧୫ରୁ ୨୦୨୪ ଯାଏ ରାଜ୍ୟରେ କ୍ଷୀର, ମାଂସ ଓ ଅଣ୍ଡା ଉତ୍ପାଦନ ଗ୍ରାଫ୍ ସିଡି ଚଢିବା ଭଳି ବଢିଚାଲିଲା । କିନ୍ତୁ କ’ଣ ହେଲା କେଜାଣି ୨୦୨୫-୨୬ରେ ଉତ୍ପାଦନ ଚିତପଟାଙ୍ଗ ମାରିଛି । ଗତ ୨୦୨୫-୨୬ରେ ଉତ୍ପାଦନ ଗ୍ରାଫ୍ ତଳମୁହାଁ ହୋଇଛି । ବଢିଚାଲୁଥିବା ଉତ୍ପାଦନ କାହିଁ ଖସିଆସୁଛି ତାକୁ ନେଇ ସରକାର ଏବେ ଚିନ୍ତାରେ । ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ବିଭାଗର ବାର୍ଷିକ ରିପୋର୍ଟ(୨୦୨୫-୨୬)ରୁ ଏହି ତଥ୍ୟ ମିଳିଛି ।
୨୦୧୫-୨୦୧୬ରେ ରାଜ୍ୟରେ ବାର୍ଷିକ ୧୯୩୦.୪୭ ମେଟ୍ରିକ ଟନ୍ କ୍ଷୀର, ୧୬୪.୭୫ ମେଟ୍ରିକ ଟନ୍ ମାଂସ, ୧କୋଟି ୯୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିଲା । ୨୦୨୩-୨୪ରେ ବାର୍ଷିକ ୨୬୩୫.୯୯ ମେଟ୍ରିକ ଟନ୍ କ୍ଷୀର, ୨୪୨.୩୦ ମେଟ୍ରିକ ଟନ୍ ମାଂସ ୩ କୋଟି ୭ଲକ୍ଷ ଅଣ୍ଡା ଉତ୍ପାଦନ ହେଲା । ପୁଣି ୨୦୨୪-୨୫ରେ ୨୭୦୦.୯୬ ମେଟ୍ରିକ ଟନ୍ କ୍ଷୀର, ୨୪୬.୩୦ ମେଟ୍ରିକ୍ ଟନ୍ ମାଂସ ଓ ୩କୋଟି ୮ ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଥିଲା । ହେଲେ ୨୦୨୫-୨୬(ଏବର୍ଷ ଜାନୁଆରୀ ସୁଦ୍ଧା) ଉତ୍ପାଦନ କମି ଯାଇଛି । ଏହିବର୍ଷରେ ୨୫୫୦.୭୧ ମେଟ୍ରିକ ଟନ୍ କ୍ଷୀର, ୨୨୨.୭ ମେଟ୍ରିକ ଟନ୍ ମାଂସ ଓ ୩ କୋଟି ୫ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି । ଯଦ୍ୱାରା ରାଜ୍ୟରେଏସବୁର ଅଭାବ ଦେଖାଦେଇଛି । ଗଲା ଦୁଇବର୍ଷ ଧରି ଉତ୍ପାଦନ ବଢୁଥିଲା । ସେଥିପାଇଁ ସମସ୍ତେ ଚିନ୍ତା ମୁକ୍ତ ଥିଲେ । ମାତ୍ର ଏବର୍ଷ ଉତ୍ପାଦନ କମିବା ପରେ ବିଭାଗରେ ସତର୍କ ଘଣ୍ଟି ବାଜିଛି । ଅଧିକାରୀମାନେ ଗ୍ରାଉଣ୍ଡରେ ତଦନ୍ତ କରିବେ । ଗାଈ କ୍ଷୀର ଦେଉନି କି ବାଟମାରଣା ହେଉଛି ତାକୁ ଖୋଜିବେ । ଗୋଟିଏ ପଟେ ଖାଦ୍ୟ ଉତ୍ପାଦନ କମିଛି, ହେଲେ ଖାଇବା ବାଲାଙ୍କ ଆବଶ୍ୟକ ବଢିଛି । ଯେଉଁଠି ୧୦ବର୍ଷ ତଳେ ଗୋଟିଏ ଲୋକ ଦିନକୁ ୧୨୧ ଗ୍ରାମ୍ କ୍ଷୀର ପିଉଥିଲା, ସେଠି ଏବେ ୧୭୮ ଗ୍ରାମ କ୍ଷୀର ଆବଶ୍ୟକ ହେଲାଣି । ସେହିପରି ୧୦ବର୍ଷ ତଳେ ଜଣେ ଲୋକ ଦିନକୁ ୩.୭୮ କେଜି ମାଂସ ଓ ବର୍ଷକୁ ୪୪ଟି ଅଣ୍ଡା ଖାଉଥିଲେ । ଏବେ ଜଣେ ଲୋକ ଦୈନିକ ୫.୭ କେଜି ଓ ବର୍ଷକୁ ୯୦ଟି ଅଣ୍ଡା ଖାଉଛନ୍ତି । ସେହି ହିସାବରେ ଆନ୍ଧ୍ର, ପଶ୍ଚିମବଙ୍ଗରୁ ମାଂସ ଓ ଅଣ୍ଡା ଆସୁଛି ।
ବିଧାନସଭା ତଥ୍ୟ ଅନୁସାରେ, ଦିନକୁ ୩୭.୧୭ଲକ୍ଷ ଅଣ୍ଡା ଆମଦାନୀ କରାଯାଉଛି । ତଥ୍ୟ କହୁଛି ଏବେ ବାର୍ଷିକ ୩୦୦୦ ମେଟ୍ରିକ ଟନ୍ ମାଂସ, ୩୦୦ ମେଟ୍ରିକ ଟନ୍ କ୍ଷୀର ଓ ୪ କୋଟି ଅଣ୍ଡା ଆବଶ୍ୟକ । ସେହି ହିସାବରେ ରାଜ୍ୟ ସରକାର ଏହାର ଉତ୍ପାଦନ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି । କ୍ଷୀର ଉତ୍ପାଦନ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମାଂସ, ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ କୁକୁଡ଼ା ପାଳନ ଯୋଜନା (କୁକ୍କୁଟ ଉନ୍ନୟନ) ଯୋଜନାକୁ ବ୍ୟାପକ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।
କୁକ୍କୁଟ ଉନ୍ନୟନ କ'ଣ?
ବିଭାଗୀୟ ତଥ୍ୟ ଅନୁସାରେ, କୁକ୍କୁଟ ଉନ୍ନୟନ ଯୋଜନାରେ ରାଜ୍ୟରେ ଏବେ ୨.୭୪ କୋଟି କୁକୁଡ଼ା ଅଛି । ବାଣିଜ୍ୟିକ ଭିତ୍ତିରେ ୧୮୬ଟି ଫାର୍ମ, ଦୈନିକ ୯୮.୧ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଘର ଅଗଣାରେ ଓ ଅର୍ଦ୍ଧ ବାଣିଜ୍ୟିକ ଭାବେ ୧୯.୧ଲକ୍ଷ ଅଣ୍ଡା ଉତ୍ପାଦନ କରାଯାଉଛି । ତେଣୁ ମୋଟ ୧୧୭.୨ ଲକ୍ଷ ଅଣ୍ଡା ଆସୁଛି । ଏହି ସର୍ଭେ ଅନୁସାରେ, ଜଣେ ଲୋକ ବର୍ଷକୁ ୮୦ଟି ଅଣ୍ଡା ଓ ୨.୯୫ କିଲୋ ମାଂସ ଖାଉଛି ।
ଆହୁରି ପଢନ୍ତୁ- Iran-Us war : ଖାଦ୍ୟ ସୁରକ୍ଷା ଆହ୍ୱାନ, ଜୀବନ ଜୀବିକା ଦୁର୍ବଳ... ଯୁଦ୍ଧ ପ୍ରଭାବରେ ମାନବ ବିକାଶ ଅଗ୍ରଗତି ହରାଇବ ଭାରତ