ନୂଆଦିଲ୍ଲୀ, ୧୫/୦୪ : ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ କରିଦେଇଛି ଅସ୍ତବ୍ୟସ୍ତ। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମାନବ ବିକାଶ ହୋଇଛି ଚାପଗ୍ରସ୍ତ । ଭାରତ ବି ଯୁଦ୍ଧର ପ୍ରଭାବରୁ ବର୍ତ୍ତିପାରିନାହିଁ । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ(ୟୁଏନ୍‌ଡିପି) ର ଏକ ରିପୋର୍ଟ ଅନୁସାରେ, ଯୁଦ୍ଧ ଯୋଗୁ ପ୍ରାୟ ୨୫ ଲକ୍ଷ ଭାରତୀୟ ଦାରିଦ୍ର‌୍ୟକୁ ଚାଲିଯାଇପାରନ୍ତି । ଖାଲି ସେତିକି ନୁହେଁ, ମାନବ ବିକାଶରେ ହାସଲ କରିଥିବା କିଛି ଅଗ୍ରଗତିକୁ ବି ଭାରତ ହରାଇପାରେ।

ବିଶ୍ୱବ୍ୟାପୀ ଦାରିଦ୍ର‌୍ୟକୁ ଚାଲିଯିବେ ୮୮ ଲକ୍ଷ ଲୋକ

‘ମଧ୍ୟପ୍ରାଚ୍ୟରେ ସାମରିକ ଗତିବିଧି ବୃଦ୍ଧି: ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମାନବ ବିକାଶ ପ୍ରଭାବ’ ଶୀର୍ଷକ ରିପୋର୍ଟରେ ୟୁଏନ୍‌ଡିପି ଉଲ୍ଲେଖ କରିଛି ଯେ, ଯୁଦ୍ଧ ଯୋଗୁ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମାନବ ବିକାଶ ଚାପ ବହୁ ମାତ୍ରାରେ ବଢ଼ିଯାଇଛି । ମହଙ୍ଗା ଇନ୍ଧନ, ମାଲ୍‌ ପରିବହନ ଏବଂ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁ ପରିବାରଗୁଡ଼ିକର କ୍ରୟ ଶକ୍ତି ହ୍ରାସ ପାଉଛି । ଏହା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସୃଷ୍ଟି କରିଛି ବଡ଼ ଆହ୍ୱାନ । ତା’ସହିତ ଜୀବନ ଜୀବିକା ପାଲଟିଛି ଦୁର୍ବଳ । ମଙ୍ଗଳବାର ୟୁଏନ୍‌ଡିପି ପକ୍ଷରୁ ଜାରି ପ୍ରାଥମିକ ଆକଳନ ଅନୁସାରେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପ୍ରଭାବରେ ବିଶ୍ୱବ୍ୟାପୀ ୮୮ ଲକ୍ଷ ଲୋକ ଦାରିଦ୍ର‌୍ୟକୁ ଚାଲିଯିବେ । ଯୁଦ୍ଧ ଯୋଗୁ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ୨୯୯ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିପାରେ।

ଭାରତକୁ ନେଇ ରିପୋର୍ଟରେ କୁହାଯାଇଛି ଯେ, ଏଠାରେ ଦାରିଦ୍ର‌୍ୟଙ୍କ ସଂଖ୍ୟା ପ୍ରାୟ ୪,୦୦,୦୦୦ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ବଢ଼ିପାରେ । ତେବେ ବିଶ୍ୱବ୍ୟାପୀ ୮୮ ଲକ୍ଷ ଲୋକ ଦାରିଦ୍ର‌୍ୟକୁ ଚାଲିଯିବାର ଆକଳନ କରାଯାଇଥିବାବେଳେ ଦକ୍ଷିଣ ଏସିଆର ଭାଗ ଅଧିକ ରହିବ । ଏଠାରେ ୧୭ ଲକ୍ଷରୁ ୮୦ ଲକ୍ଷ ଲୋକ ଦାରିଦ୍ର‌୍ୟ ମଧ୍ୟକୁ ଠେଲି ହୋଇପାରନ୍ତି । ଚୀନ୍‌କୁ ନେଇ କୁହାଯାଇଛି ଯେ, ଏଠାରେ ପ୍ରାୟ ୧ ଲକ୍ଷ ୧୫ ହଜାରରୁ ୬ ଲକ୍ଷ ୨୦ ହଜାର ଲୋକ ଦାରିଦ୍ର‌୍ୟକୁ ଯାଇପାରନ୍ତି । ଅର୍ଥାତ୍‌ ଜନସଂଖ୍ୟା ଅଧିକ ଥିଲେ ସୁଦ୍ଧା ଚୀନ୍‌ ଉପରେ ପ୍ରଭାବ କମ୍‌ ରହିବ । ରିପୋର୍ଟ ଅନୁସାରେ, ଯୁଦ୍ଧ ୮ ମାସ ଚାଲିଲେ ଭାରତର ଦାରିଦ୍ର‌୍ୟ ହାର ୨୪.୨%କୁ ବଢ଼ିପାରେ, ଯାହାକି ବର୍ତ୍ତମାନ ୨୩.୯% ରହିଛି । ଅତିରିକ୍ତ ୨୪ ଲକ୍ଷ ୬୪ ହଜାର ୬୯୮ ଲୋକ ଦାରିଦ୍ର‌୍ୟକୁ ଯାଇପାରନ୍ତି । ଏଥିସହିତ ମୋଟ ଦାରିଦ୍ର‌୍ୟ ସଂଖ୍ୟା ୩୫ କୋଟି ୪୦ ଲକ୍ଷ ୩୩ ହଜାର ୬୯୮କୁ ବଢ଼ିପାରେ, ଯାହା ବର୍ତ୍ତମାନ ୩୫ କୋଟି ୧୫ ଲକ୍ଷ ୬୯ ହଜାର ରହିଛି ।

ସୃଷ୍ଟି ହେବ ଘୋର ଶକ୍ତି ସଙ୍କଟ

ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ମାନବ ବିକାଶ ସୂଚକାଙ୍କ(ଏଚ୍‌ଡିଆଇ) ଅଗ୍ରଗତିରେ ଭାରତ ୦.୦୩ରୁ ୦.୧୨ ବର୍ଷର ଉପଲବ୍ଧିକୁ ହରାଇପାରେ । ଭାରତ ଏହାର ତୈଳ ଆବଶ୍ୟକତାର ୯୦% ଆମଦାନି ମାଧ୍ୟମରେ ପୂରଣ କରିଥାଏ । ଏହା ମଧ୍ୟପ୍ରାଚ୍ୟରୁ ୪୦%ରୁ ଅଧିକ ଅଶୋଧିତ ତୈଳ ଏବଂ ୯୦% ଏଲ୍‌ପିଜି ଆମଦାନି କରିଥାଏ । ସେହିଭଳି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଭାରତକୁ ୪୫%ରୁ ଅଧିକ ସାର ଯୋଗାଇଥାନ୍ତି । ଦେଶର ୮୫% ୟୁରିଆ ଉତ୍ପାଦନ ରିଗ୍ୟାସିଫାଏଡ୍‌ ଏଲ୍‌ଏନ୍‌ଜି ଉପରେ ନିର୍ଭର କରେ । ଏଭଳି ସ୍ଥିତିରେ ଯୁଦ୍ଧର ପ୍ରଭାବ ଭାରତ ଉପରେ ଅଧିକ ରହିବା ସ୍ୱାଭାବିକ । ଭାରତ ମଧ୍ୟପ୍ରାଚ୍ୟକୁ ବାସୁମତି ଚାଉଳ, ଚା’, ଗହଣା ଏବଂ ରତ୍ନପଥର ଓ ପୋଷାକ ଆଦି ରପ୍ତାନି କରିଥାଏ । ବର୍ତ୍ତମାନ ତାହା ଏକ ପ୍ରକାର ଠପ୍‌ ହୋଇଯାଇଛି । ରେମିଟାନ୍ସ ସଂକୁଚିତ ହେବା ଦ୍ୱାରା ପାରିବାରିକ ଆୟ ଏବଂ କ୍ରୟ ଶକ୍ତି ହ୍ରାସ ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆହୁରି ପଢନ୍ତୁ- ହାତ ପତାଇବନି ଭାରତ, ଦେଶରେ ଗଚ୍ଛିତ ରଖିଛି 'ଗୁପ୍ତଧନ"; ୧ କେଜିରେ ୧୦ ଲକ୍ଷ ଲିଟର ତୈଳର ଶକ୍ତି ଯୋଗାଇବ ଏହି ଇନ୍ଧନ

ଖାଦ୍ୟ ସୁରକ୍ଷା ଆହ୍ୱାନ, ଜୀବନ ଜୀବିକା ଦୁର୍ବଳ

ଭାରତ ପାଇଁ , ଏ ସମୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଖରିଫ ଚାଷ ପାଇଁ ପ୍ରସ୍ତୁତି ଜୁନ୍‌ରୁ ଆରମ୍ଭ ହେବ । ସାର ଅଭାବ ଯୋଗୁ ଶସ୍ୟ ଉତ୍ପାଦନ ହ୍ରାସ ପାଇବା ସମ୍ଭାବନା ରହିଛି । ଏହା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବଡ଼ ଆହ୍ୱାନ ସୃଷ୍ଟି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ହସ୍ପିଟାଲିଟି, ଖାଦ୍ୟ ପ୍ରକ୍ରିୟାକରଣ, ନିର୍ମାଣ ଉପକରଣ, ଇସ୍ପାତ-ଭିତ୍ତିକ ବିନିର୍ମାଣ ଏବଂ ଗହଣା ଓ ହୀରା ଶିଳ୍ପ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ଓ ଯୋଗାଣ ଅଭାବ ଆଦି ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି । ଏସବୁ ଚାପ ଦ୍ୱାରା ନିଯୁକ୍ତି ହ୍ରାସ ଏବଂ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ସଂଖ୍ୟାରେ ଲୋକେ ଜୀବିକା ହରାଇବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।