ଭୁବନ, ୨୨/୦୫ : ମରିଗଲା ମାନବିକତା... ନୃଶଂସତାର ସବୁ ସୀମା ପାର୍। ଭୋକ ଜ୍ଵାଳାରେ ପଡୋଶୀ ଘରକୁ ଖାଇବା ମାଗିବାକୁ ଧାଇଁ ଯାଇଥିଲା ନାବାଳିକା। ହେଲେ ଖାଦ୍ୟ ଦେବା ବଦଳରେ ଗରମ ଚା ଢାଳିଦେଲେ ପଡୋଶୀ। ଖାଲି ସେତିକି ନୁହେଁ ବିରୋଧ କରିବାରୁ ବଡ଼ ଭଉଣୀଙ୍କୁ ନିସ୍ତୁକ ପିଟିଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନମ୍ବର -୭ ନୋହୋରା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାବାଳିକା ଜଣଙ୍କ ରାସ୍ତାରେ ପଡି ଛଟପଟ ହେଉଥିବା ଭିଡିଓ ଭାଇରାଲ୍ ପରେ ସ୍ଥାନୀୟ କାଉନସିଲର ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। 

ସୂଚନାନୁଯାୟୀ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୭ ନମ୍ଵର ୱାର୍ଡର ନୋହୋରା ସାହିର ଖୀରିଧର ବେହେରାଙ୍କ ସାନ ଝିଅ ଝାନ୍ସିରାଣୀ ବେହେରା (୭ ବର୍ଷ) ଭୋକ ବିକଳରେ ପଡ଼ୋଶୀ ମାମା ଖଟୁଆଙ୍କୁ କିଛି ଖାଇବାକୁ ମାଗିଥିଲେ। ଏଥିରେ ରାଗିଯାଇ ମହିଳା ଜଣଙ୍କ ପିଉଥିବା ଗରମ ଚାହାକୁ ନାବାଳିକା ଉପରକୁ ଫିଙ୍ଗି ଦେଇଥିଲେ। ପାଖରେ ଥିବା ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା ଖଟୁଆ (୯ ବର୍ଷ) ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲେ। ଏହି ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ନାବାଳିକା ଦୁଇଜଣଙ୍କ ମାଆ ଚାରି ବର୍ଷ ହେବ ଘର ଛାଡ଼ି କେଉଁଆଡେ ପଳାଇଥିବା ବେଳେ ବାପା ଖୀରିଧର ଦିନ ମଜୁରିଆ। ଏହି ଘଟଣା ଘଟିବା ବେଳେ ସେ ଘରେ ଉପସ୍ଥିତ ନଥିଲେ।

ଏହି ଖବରଟିକୁ ପଢନ୍ତୁଅଂଶୁଘାତରେ RIଙ୍କ ମୃତ୍ୟୁ ଅଭିଯୋଗ, ପୋଷ୍ଟମର୍ଟମ ସରିଲେ ସାମ୍ନାକୁ ଆସିବ ସତ