PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

କାହାର ହେବ ବିଞ୍ଝାରପୁର ? ୨୪ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ରଣାଙ୍ଗନ, ପ୍ରମିଳାଙ୍କୁ ଟକ୍କର ଦେବାକୁ ବିରୋଧୀଙ୍କ ସଜବାଜ

ଯାଜପୁର ୨୩/୦୩ (ପୂର୍ଣ୍ଣଚନ୍ଦ୍ର ଦେଓ): ବିଂଝାରପୁର ବିଧାନସଭା କ୍ଷେତ୍ର ଯାଜପୁର ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ । ଅଣ କଂଗ୍ରେସ ରାଜନୀତିର ବରିଷ୍ଠ ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କଂଗ୍ରେସ ଗଡ଼କୁ ଭେଦକରି ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ୭ ଥର ଲଗାତର ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ବିଜେଡିରୁ ପ୍ରମିଳା ୫ ଥର ଲଗାତର ବିଂଝାରପୁରରୁ ନିର୍ବାଚନ ଜିତିଥିବା ସ୍ଥଳେ, ୨୦୨୪ ବିଧାନସଭା ନିର୍ବାଚନରେ ପ୍ରମିଳା ୮ମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ନିଶ୍ଚିତ ବାତାବରଣ ସୃଷ୍ଟି କରିଛନ୍ତି। ବିଜେଡିର ମହିଳା ନେତ୍ରୀ ପ୍ରମିଳାଙ୍କୁ ଟକ୍କର ଦେବା ପାଇଁ ୨୦୨୪ରେ ଦୁଇ ବିରୋଧୀ ଦଳ ମଧ୍ୟ ମହିଳା କାର୍ଡ ଖେଳିବାକୁ ରଣନୀତି ପ୍ରସ୍ତୁତ କରିଛି ।

ବିଜେପିରୁ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗଭର ହୋଇଛନ୍ତି । ସଂରକ୍ଷିତ ଯାଜପୁର ଲୋକସଭା ଆସନରୁ ବହୁବାର ନିର୍ବାଚନ ଲଢ଼ିଥିବା ବରିଷ୍ଠ ବିଜେପି ନେତା ଅମୀୟକାନ୍ତ ମଲ୍ଲିକ ବିଂଝାରପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ରଖିଥିବାର କର୍ମୀ ମହଲରେ ଆଲୋଚନା ହେଉଛି । କଂଗ୍ରେସରୁ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା କନକଲତା ମଲ୍ଲିକ ଓ ଯୁବନେତ୍ରୀ ବନିତା ଦାସ ୨୦୨୪ରେ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଂଝାରପୁର ପାଇଁ ସବୁଦଳ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ।

ବିଜେଡିରେ ଏକମାତ୍ର ପ୍ରାର୍ଥିନୀ ଭାବେ ପ୍ରମିଳାଙ୍କ ଦଳୀୟ ଟିକେଟ୍‌ ଆଶା ଉଜ୍ଜ୍ୱଳ ରହିଛି । ବିଂଝାରପୁରରେ ୨୦୦୯ ଓ ୨୦୧୪ରେ ବବିତା କଂଗ୍ରେସରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ବବିତା ବିଂଝାରପୁରରୁ ପୁଣି ଥରେ ବିଫଳ ହୋଇଛନ୍ତି । ବିଂଝାରପୁରରେ ହାଟ୍ରିକ୍‌ ପରାଜୟ ବରଣ କରିଥିବା ବବିତାଙ୍କୁ ବିଜେପି ଏଥର ପ୍ରାର୍ଥୀ କରିବ କି ନାହିଁ ଦ୍ୱନ୍ଦ୍ୱରେ ରହିଛି । ବବିତା ରାଜ୍ୟ ବିଜେପି କ୍ଷମତାକେନ୍ଦ୍ରର ବିଶ୍ୱସ୍ତ ହୋଇଥିବାରୁ ପୁଣି ଥରେ ପ୍ରାର୍ଥୀ ହେବା ପାଇଁ ସଫଳ ହୋଇ ପାରନ୍ତି । ବବିତାଙ୍କୁ ବିଜେପି ଏମ୍‌ପି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ମଧ୍ୟ ରଖିଥିବାର ଶୁଣିବାକୁ ମିଳୁଛି । ବବିତା ଏମ୍‌ପି ପ୍ରାର୍ଥୀ ହେଲେ, ବିଜେପିର ପୂର୍ବତନ ଏମ୍‌ପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କୁ ବିଂଝାରପୁରରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳି ପାରେ ।
ଏକଦା କଂଗ୍ରେସର ଗଡ଼ଥିବା ବିଂଝାରପୁରରେ କଂଗ୍ରେସ ସଂଗଠନ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ବିଂଝାରପୁରର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା କନକଲତା ମଲ୍ଲିକ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଲବି କରୁଛନ୍ତି ।ଅନ୍ୟତମ ଆଶାୟୀ ଭାବେ ଯୁବକଂଗ୍ରେସ ନେତ୍ରୀ ବନିତା ଦାସ ବି ପିସିସି ସ୍ତରରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦେଇଥିବା ଶୁଣିବାକୁ ମିଳୁଛି ।

ନବେ ଦଶକରୁ ବିଂଝାରପୁରରେ ନେତୃତ୍ୱ ଜାହିର କରିଥିବା ବିଧାୟିକା ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ‘କ୍ଷମତା ବିରୋଧୀ ସ୍ୱାଭାବିକ ଜନମତ’ ରହିଛି । ଏଥି ସହ ବିଜେଡିରେ ବରିଷ୍ଠ-କନିଷ୍ଠ ଡାଗରା କର୍ମୀଙ୍କ କ୍ଷମତା ଲଢ଼େଇ ଗାଁ ଗଣ୍ଡାରେ ଦେଖିବାକୁ ମିଳେ । ବିଜେଡି ବିଂଝାରପୁରରେ ବିରୋଧୀ ଦଳର ତଣ୍ଟି ଚିପି ଦେଇଥିବାରୁ ବିରୋଧୀଙ୍କ ସ୍ୱର ଶୁଣିବାକୁ ମିଳି ପାରୁ ନାହିଁ । ନିର୍ବିରୋଧ କ୍ଷମତା ସଂଚାଳନ କରୁଥିବା ବିଜେଡି ନେତୃବୃନ୍ଦ ଅତିଷ୍ଠ ଜନମତକୁ ଜାଣିବାକୁ ସମର୍ଥ ହୋଇ ପାରୁ ନାହାନ୍ତି ।ସୁତରାଂ, ଆଗାମୀ ବିଧାନସଭା ନିର୍ବାଚନରେ ବିଂଝାରପୁରରେ ବିଜେଡି ନକରାତ୍ମକ ମତଦାନକୁ ସାମ୍ନା କରିବାର ଆଶଙ୍କା ରହିଛି । ବିଜେଡି ପାଇଁ ଏହା କ୍ଷତିକାରକ ହୋଇ ପାରେ ।

ଆହୁରି ପଢ଼ନ୍ତୁ…

ବିଗତ ନିର୍ବାଚନରେ ବିଜେପିର ଭୋଟ୍‌ ହାର ୩୦-୪୦% ମଧ୍ୟରେ ସୀମିତ ରହୁଛି । ବିଂଝାରପୁରର ସଶକ୍ତ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଧନ-ଜନ ବଳରେ ପ୍ରତିହତ କରିବାକୁ ବିଜେପି ନେତା/ନେତ୍ରୀ ସମର୍ଥ ହୋଇ ପାରୁ ନାହାନ୍ତି । ଅପରପକ୍ଷରେ, ବିଂଝାରପୁରରେ ବବିତା-ଅମୀୟକାନ୍ତଙ୍କ ସମାନ୍ତରାଳ ସଂଗଠନ ବିଜେପି ପାଇଁ ଚିନ୍ତାର କାରଣ ସାଜିଛି । କଂଗ୍ରେସ ଭୋଟ୍‌ ହାର ୧୦% ତଳେ ରହିଛି । କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ସମ୍ମାନ ରକ୍ଷା କରିବାକୁ ପ୍ରଭାବଶାଳୀ ପ୍ରାର୍ଥୀ ଦେବାକୁ ଚିନ୍ତା କରିବ । ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା କନକଲତା ମଲ୍ଲିକ ୩ ଦଶନ୍ଧି ତଳୁ କଂଗ୍ରେସର ଜଣେ ଅଗ୍ରଣୀ ସଂଗଠିକା ଭାବେ କଂଗ୍ରେସ କର୍ମୀଙ୍କ ସହ ରହିଛନ୍ତି । ଯୁବ କଂଗ୍ରେସ ନେତ୍ରୀ ବନିତା ଦାସ ନୂଆମୁହଁ ଭାବେ ବିଂଝାରପୁରରୁ ପ୍ରାର୍ଥୀ ହେବା ପାଇଁ ୨୦୨୪ରେ କଂଗ୍ରେସ ଦରବାରରେ ଦାବିଦାର ହେବେ ବୋଲି ଆଭାସ ବି ମିଳିଲାଣି । ଶାସକ ଦଳରେ ପ୍ରାର୍ଥୀ ନିଶ୍ଚିତ ହୋଇଥିବା ବେଳେ ବିରୋଧୀ ଦଳରେ ବିଂଝାରପୁରରୁ କିଏ ପ୍ରାର୍ଥୀ ହେବେ ତାହା ଆପାତତଃ ଏବେ ଅସ୍ପଷ୍ଟ ରହିଛି ।