ସୀମାଙ୍କ ପାଇଁ ଗୃହ ଶତ୍ରୁ ଚ୍ୟାଲେଞ୍ଜ ,ଗୋଳିଆ ପାଣି ଉପରେ ବିରୋଧୀ ନଜର

ହିନ୍ଦୋଳ ୨୩/୦୫ (ସୁମନ୍ତ ଦେହୁରୀ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ହିନ୍ଦୋଳ ବ୍ଲକ୍ର ସମସ୍ତ ୩୬ଟି, ଓଡ଼ାପଡ଼ା ବ୍ଲକ୍ ୨୮ଟି ଗ୍ରାମ ପଞ୍ଚାୟତ ଓ ହିନ୍ଦୋଳ ଏନ୍ଏସିର ୧୬ଟି ୱାର୍ଡକୁ ନେଇ ନିର୍ବାଚନ ମଣ୍ଡଳୀର ପରିସୀମା । ୨୦୦୦ ମସିହାଠାରୁ କ୍ରମାଗତ ଭାବେ ହିନ୍ଦୋଳ ବିଧାନସଭା କ୍ଷେତ୍ର ଶାସକ ବିଜୁ ଜନତା ଦଳ ଦଖଲରେ ରହିଛି । ବର୍ତ୍ତମାନର ବିଜେଡି ବିଧାୟିକା ସୀମାରାଣୀ ନାୟକ ଲଗାତାର ଦୁଇ ଥର ବିଜୟୀ ହୋଇଥିବା ବେଳେ ହାଟ୍ରିକ୍ ଲକ୍ଷ୍ୟରେ ରହିଛନ୍ତି ।
୨୦୨୨ ପଞ୍ଚାୟତ ନିର୍ବାଚନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ୭ଟି ଯାକ ଜିଲ୍ଲା ପରିଷଦ ଜୋନ୍ରେ କ୍ଲିନ୍ ସୁଇପ୍ କରିଥିଲା ବିଜେଡି । ନିକଟରେ ଅନୁଷ୍ଠିତ ହୋଇଥିବା ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବି ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯିବା ସହ ବିଜେଡି ୧୬ଟି ୱାର୍ଡରୁ ୧୧ଟି ଦଖଲ କରିଛି । ପ୍ରତ୍ୟକ୍ଷ ଅବା ପରୋକ୍ଷ ହେଉ, ପଞ୍ଚାୟତ ନିର୍ବାଚନ ଓ ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବିଜେଡିର ସଫଳତା ସୀମାରାଣୀଙ୍କ ସପକ୍ଷରେ ଯାଉଛି । ବିଜେଡିରେ କିଛି ଦଳୀୟ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ବିଦ୍ରୋହ ଭୟ ଘାରୁଛି । ଶାସକ ଦଳରୁ ଏହି ଆସନ ପାଇଁ ଅନେକ ଆଶାୟୀ ମୁଣ୍ଡ ଟେକିଛନ୍ତି ।
୨୦୧୪ରେ ବିଜେଡି ଟିକେଟ୍ରେ ସୀମାରାଣୀ ନାୟକ ନିର୍ବାଚନ ଲଢ଼ି ସର୍ବାଧିକ ୮୪ ହଜାର ୩୫୧ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଲକ୍ଷ୍ମୀଧର ବେହେରା ୩୩ ହଜାର ୮୫୨, କଂଗ୍ରେସ ପ୍ରାର୍ଥୀ ନମିତା ନାୟକ ୩୦ ହଜାର ୯୭୮ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୨ ହଜାର ୩୦୪ ଭୋଟ୍ ପାଇଥିଲେ ।
୨୦୧୯ ନିର୍ବାଚନରେ ସୀମାରାଣୀଙ୍କୁ ରିପିଟ୍ କରିଥିଲା ବିଜେଡି । ସେ ବିଜେପିର ଅଶୋକ ନାୟକ ୭୫ ହଜାର ୭୫ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରାଙ୍କ ସପକ୍ଷରେ ୯୩୬୬ ଭୋଟ୍ ଯାଇଥିଲା । ନିର୍ବାଚନ ପରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଅଞ୍ଜଳି ବେହେରା ବିଜେପିରେ ଯୋଗଦାନ କରିବା ପରେ ଅଶୋକ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ । ଶଙ୍ଖ ଫୁଙ୍କିଥିଲେ । ସେ ବିଜେଡିରେ ସାମିଲ୍ ହେବା ସହ ସଭା, ସମିତି କରି ସାଂଗଠନିକ କାର୍ଯ୍ୟରେ ଲାଗିଛନ୍ତି । ଯଦିଓ ଖୋଲାଖୋଲି ସୀମାରାଣୀଙ୍କୁ ବିରୋଧ କରୁନାହାନ୍ତି ତେବେ ଭିତିରି ଯୋଗସୂତ୍ର ରଖି ଟିକେଟ୍ ଲବିରେ ରହିଛନ୍ତି । କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ନମିତା ନାଏକ ମଧ୍ୟ ବିଜେଡି ଟିକେଟ୍ ଆଶାୟୀ ଅଛନ୍ତି । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟ ବିଭିନ୍ନ ସମୟରେ ହିନ୍ଦୋଳକୁ ଫୋକସ୍ରେ ରଖିଥିବାରୁ ସେ ମଧ୍ୟ ଏହି ଆସନ ଉପରେ ନଜର ପକାଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ମାତ୍ର ସୀମାରାଣୀ ଏସବୁକୁ ପଛରେ ପକାଇ ତୃତୀୟ ଥର ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ହାଟ୍ରିକ୍ ମାରିବାକୁ ଆଶାବାଦୀ ରହିଛନ୍ତି ।
ଚର୍ଚ୍ଚିତ ମିଡ୍ନାଇଟ୍ ଅପରେସନରେ ସାମିଲ ହୋଇ ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ଏବେ ସକ୍ରିୟ ଅଛନ୍ତି । ହିନ୍ଦୋଳ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ ଅଞ୍ଜଳିଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ହିନ୍ଦୋଳରେ ବିଜେପିର ଭୋଟ୍ ହାର ବି ବଢୁଛି । ଏହାସତ୍ତେ୍ୱ ବି ଗତ ପଞ୍ଚାୟତ ନିର୍ବାଚନରେ ଖୋଦ୍ ଅଞ୍ଜଳି ଗିରିଧାରପ୍ରସାଦ ପଞ୍ଚାୟତରେ ସମିତିସଭ୍ୟା ଏବଂ ତାଙ୍କ ପୁଅ ରାସୋଳ ଜୋନ୍ରେ ଜିଲ୍ଲାପରିଷଦ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହେବା ପରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା । ମାତ୍ର ଏନ୍ଏସି ନିର୍ବାଚନରେ ବିଜେପିର ଭୋଟ୍ ହାର ବୃଦ୍ଧି ଏବଂ ସ୍ୱଳ୍ପ ଭୋଟ୍ ବ୍ୟବଧାନରେ ଆସନ ହାତ ଛଡ଼ା ହେବାପରେ କର୍ମୀ ପୁଣି ଉତ୍ସାହିତ ହୋଇଉଠିଛନ୍ତି ।
ଆହୁରି ପଢ଼ନ୍ତୁ…
ଅନ୍ୟପକ୍ଷରେ କଂଗ୍ରେସରେ ନେତୃତ୍ୱ ସଙ୍କଟ ଜଳ ଜଳ । ବିଗତ ନିର୍ବାଚନ ଗୁଡ଼ିକରେ କଂଗ୍ରେସ ଆଖିଦୃଶିଆ ଭୋଟ ପାଇନଥିବାବେଳେ କର୍ମୀ ବି ନିରୁତ୍ସାହିତ ହୋଇରହିଛନ୍ତି । ପୂର୍ବତନ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଥିବାରୁ ପୁନର୍ବାର ବି କଂଗ୍ରେସ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ।