ବ୍ରହ୍ମପୁର, ୦୨/୧୨: ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍‌ପିଟାଲରେରେ  ପୁଣି ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌  ସିନିୟର ପିଲାମାନେ ଜୁନିୟରଙ୍କୁ  ରାଗିଂ କରିଥିବା ନ୍ୟାସନାଲ ମେଡିକାଲ  କାଉନ୍‌ସିଲ୍‌ ଆଣ୍ଟି ରାଗିଂ ସେଲ୍‌କୁ ଇ-ମେଲରେ ଅଭିଯୋଗ  କରିଛନ୍ତି ବିଦ୍ୟାର୍ଥୀ । ଆଣ୍ଟି ରାଗିଂ  ସେଲ୍‌ ଏମ୍‌କେସିଜି ଡିନ୍‌ଙ୍କୁ ଏ ନେଇ ଇ-ମେଲ କରିବା ପରେ ଏହାର  ତଦନ୍ତ ଆରମ୍ଭ ହୋଇଛି । ସୋମବାର ଆଣ୍ଟି ରାଗିଂ ସେଲ୍‌ ବୈଠକ ହେବ ବୋଲି କହିଛନ୍ତି  ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା । ସିନିଅର ପୁଅ ଓ ଝିଅ ମାନେ ଜୁନିୟର ମାନଙ୍କୁ ରାଗିଂ କରି ଖାତା ଲେଖିବାକୁ ଦେଇଛନ୍ତି ବୋଲି ଅଭିଯୋଗ  ହୋଇଛି । ଅଭିଯୋଗ ପାଇବା ପରେ ତଦନ୍ତ  କରାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟତା  ଜଣାପଡିବ । ସୋମବାର କଲେଜରେ  ଆଣ୍ଟି ରାଗିଂ ସେଲ ବୈଠକ ରଖାଯାଇଛି । ସେଠାକୁ ଜୁନିୟର ଓ ସିନିୟର ପିଲାଙ୍କୁ  ମଧ୍ୟ ଡକାଯାଇଛି । ବେନାମୀ ଅଭିଯୋଗ  ଥିବାରୁ କିଏ ଅଭିଯୋଗ କରିଛନ୍ତି ତାହା ମଧ୍ୟ ଜଣାପଡୁ ନାହିଁ । ଆଣ୍ଟି ରାଗିଂ ସେଲ ବୈଠକରେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି । 

ଏମ୍‌କେସିଜିରେ ନଭେମ୍ବର ମାସରେ ୩ଟି  ଅଭିଯୋଗ ହେଲାଣି । ହଷ୍ଟେଲ ଅଭାବରୁ  ଜୁନିୟର ପିଲାଙ୍କୁ ସିନିୟରଙ୍କ ସହ ରଖାଯାଉଛି । ଯାହାଫଳରେ ରାଗିଂ ହେଉଥିବା ଅଭିଯୋଗ  ହେଉଛି । ଗତମାସରେ ରାଗିଂ ଅଭିଯୋଗ  ହୋଇଥିଲା । କୌଣସି ଅଭିଯୋଗକାରୀ ନିଜ ନାମ ପ୍ରକାଶ କରିନଥିଲେ ।  ନିର୍ଯାତନା ଅଧିକ ହେବାରୁ ଜଣେ  ଛାତ୍ର ଓ ଅଭିଭାବକ ଡିନ୍‌ଙ୍କୁ ଲିଖିତ  ଭାବେ ଜଣାଇଥିଲେ । ଏହାର  ତଦନ୍ତ କରି ପାଞ୍ଚ ଜଣ ଛାତ୍ରଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହୋଇଛି । ବର୍ଷକ ଭିତରେ ୮ଟି  ରାଗିଂ ଅଭିଯୋଗ ଆସିଥିବା ବେଳେ ଦୁଇଟି ଅଭିଯୋଗରେ ସତ୍ୟତା ଥିବା ଜଣାପଡିଛି ।  ଅନ୍ୟ କୌଣସି ଅଭିଯୋଗରେ ପ୍ରମାଣ ନଥିବାରୁ  କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ ।