ବ୍ରହ୍ମପୁର,୫/୦୮: ଆଗରେ ଜଣେ ଆଟେଣ୍ଡାଣ୍ଟ ସିଲିଣ୍ଡର୍ ଗଡ଼ାଇ ଚାଲିଛନ୍ତି । ପଛରେ ଚାଲିଛନ୍ତି ଦୁଇ ଜଣ ମାଆ, କୋଳରେ ସେମାନଙ୍କ ନବଜାତ (୮ରୁ ୧୪ ଦିନ) ଶିଶୁ । ଶିଶୁଙ୍କ ନାକରେ ଲାଗିଛି ଅକ୍ସିଜେନ୍ । ସମସ୍ତେ ଅସୁସ୍ଥ । ସେମାନଙ୍କୁ ନିଆଯାଉଛି ଇକୋକାର୍ଡିଓଗ୍ରାମ୍ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଦାନ ପାଇଁ । ଏହିଭଳି ଅବସ୍ଥାରେ ଶିଶୁମାନଙ୍କୁ ପ୍ରାୟ ୫ଶହ ମିଟର ନିଆଯାଇଥିଲା । ଦୃଶ୍ୟ କିଛି ଏମିତି ସେମିତି ଡାକ୍ତରଖାନାର ନୁହେଁ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲ୍ର ଏହି ଦୃଶ୍ୟ ରୋଗୀ ଚିକିତ୍ସା ବ୍ୟବସ୍ଥା ଏବଂ ଚିକିତ୍ସକଙ୍କ ସମ୍ବେଦନଶୀଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଦୁଇ ନବଜାତ ଶିଶୁଙ୍କୁ ଏସ୍ଏନ୍ସିୟୁ (ସ୍ପେଶାଲ୍ ନ୍ୟୁ ବର୍ନ କେୟାର ୟୁନିଟ୍)ରୁ ନିଆଯାଉଥିଲା ହୃଦ୍ରୋଗ ବିଭାଗକୁ । ଦୁଇ ଶିଶୁଙ୍କୁ ଇକୋକାର୍ଡିଓଗ୍ରାମ୍ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଦୁଇ ଶିଶୁଙ୍କର ଅକ୍ସିଜେନ୍ ଆବଶ୍ୟକ ନ ଥିବାବେଳେ ୱାର୍ଡରେ ଥିବା ମହିଳା ଆଟେଣ୍ଡାଣ୍ଟ୍ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ୨ ଜଣ ଶିଶୁଙ୍କୁ ଅକ୍ସିଜେନ୍ ଲଗାଇଥିଲେ । ଅକ୍ସିଜେନ୍ ସିଲିଣ୍ଡର ଧରି ଆଟେଣ୍ଡାଣ୍ଟ୍ ଆଗେ ଆଗେ ଯାଉଥିବା ବେଳେ ୨ ଜଣ ମାଆ ଓ ସମ୍ପର୍କୀୟ ଶିଶୁଙ୍କୁ କୋଳରେ ଧରି ପଛରେ ଯାଉଥିଲେ । ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଶିଶୁମାନେ ହୃଦ୍ରୋଗ ବିଭାଗରେ ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ବିରକ୍ତ ହୋଇଥିଲେ । ଏକାସାଙ୍ଗରେ କିପରି ଇକୋ କରିବେ ବୋଲି ପଚାରିଥିଲେ । ପରେ ଅବଶ୍ୟ ଡାକ୍ତର ଶିଶୁମାନଙ୍କ ଇକୋ କରିଥିଲେ । ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ଏଭଳି ଅନ୍ୟ ସ୍ଥାନକୁ ନେବା ଏବଂ ଗୋଟିଏ ସିଲିଣ୍ଡରରୁ ୨ଜଣଙ୍କୁ ଅକ୍ସିଜେନ୍ ଯୋଗାଇବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ଜଣେ ବରିଷ୍ଠ ଶିଶୁରୋଗ ଡାକ୍ତର କହିଛନ୍ତି, ଗୋଟିଏ ସିଲିଣ୍ଡରରୁ ୨ଜଣ ଶିଶୁଙ୍କୁ ଅକ୍ସିଜେନ୍ ସଂଯୋଗ ଚିକିତ୍ସା ବିଜ୍ଞାନରେ ନାହିଁ । ଗୁରୁତର ଶିଶୁଙ୍କ ପାଇଁ ଶଯ୍ୟାରେ ହିଁ ଇକୋକାର୍ଡିଓଗ୍ରାମ କରାଯାଏ । କିନ୍ତୁ ଏମ୍କେସିଜିରେ ସେହି ବ୍ୟବସ୍ଥା ନାହିଁ । ଶିଶୁଟି ସୁସ୍ଥ ହେବା ପରେ ଅକ୍ସିଜେନ୍ ଆବଶ୍ୟକ ନ ଥିବା କିମ୍ବା ଡିସଚାର୍ଜବେଳେ ଇକୋକାର୍ଡିଓଗ୍ରାମ୍ କରାଯାଇପାରିବ । ଉକ୍ତ ଅବ୍ୟବସ୍ଥାକୁ ସେ ନାପସନ୍ଦ କରିଛନ୍ତି ।
ଏମ୍କେସିଜି ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାଶ କହିଛନ୍ତି, ଶିଶୁ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ମଗାଯାଇଛି । ଅକ୍ସିଜେନ୍ ସିଲିଣ୍ଡର ଅଭାବ ଥିଲା ନା ଆଟେଣ୍ଡାଣ୍ଟ୍ ନଥିଲେ । କାହିଁକି ଗୋଟିଏ ସିଲିଣ୍ଡରରେ ଦୁଇଜଣଙ୍କୁ ଅକ୍ସିଜେନ୍ ଲଗାଯାଇଥିଲା ରିପୋର୍ଟ ମଗାଯିବ ।
ସୂଚନାଯୋଗ୍ୟ, ୨୦୨୨ରେ ୩ଜଣ ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଅକ୍ସିଜେନ୍ ଦିଆଯାଇ ବିପଜ୍ଜନକ ଭାବେ ନିଆଯାଉଥିବା ଦେଖିବାକୁ ମିଳିଥିଲା । ଭବିଷ୍ୟତରେ ଏଭଳି ନରିବାକୁ ତତ୍କାଳୀନ ଡିନ୍ ଏବଂ ଅଧୀକ୍ଷକ ତାଗିଦ୍ କରିଥିଲେ ।