ପ୍ଲାଷ୍ଟିକ୍ମୁକ୍ତ ସହର ପାଇଁ ବ୍ୟବସାୟୀଙ୍କ ଅଭିନବ ପ୍ରୟାସ: ୧୦ ଟଙ୍କାରେ ‘ମୋ ବ୍ୟାଗ୍’, ଫେରାଇଲେ ପାଇବେ ଟଙ୍କା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ପ୍ଲାଷ୍ଟିକ୍ମୁକ୍ତ ସହର ଗଢ଼ିବା । ସହରକୁ ସ୍ୱଚ୍ଛ ରଖିବା । ଏଭଳି ବାର୍ତ୍ତା ରଖି କିଛି ଯୁବ ବ୍ୟବସାୟୀ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ‘ମୋ ବ୍ୟାଗ୍’ ସ୍କିମ୍ । ଯେଉଁଥିରେ ଗ୍ରାହକଙ୍କ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୋକାନୀମାନେ ମାତ୍ର ୧୦ ଟଙ୍କାରେ ବ୍ୟାଗ୍ ଯୋଗାଇ ଦେଉଥିବା ବେଳେ ବ୍ୟାଗ୍ ଫେରସ୍ତ ଦେଲେ ପୁଣି ୧୦ ଟଙ୍କା ଫେରାଇ ଦେବାର ବ୍ୟବସ୍ଥା କରିଛନ୍ତି ।
ଦୋକାନକୁ ପ୍ୟାକେଟ୍ ଆକାରରେ ଆସୁଥିବା ବିଭିନ୍ନ ସାମଗ୍ରୀର ଜରି ଅଖାରୁ ତିଆରି ହେଉଛି ଏହି ବ୍ୟାଗ୍ । ଦରକାର ବେଳେ ଏହି ବ୍ୟାଗ୍କୁ ଗ୍ରାହକଙ୍କୁ ଦେଉଛନ୍ତି । ପ୍ଲାଷ୍ଟିକ୍ର ଅପବ୍ୟବହାରକୁ ବନ୍ଦ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ନୂଆପଲ୍ଲୀ ଗାନ୍ଧୀ ମାର୍କେଟର ମାତୃଶକ୍ତି ଜେନେରାଲ ଷ୍ଟୋର ମାଲିକ୍ ପ୍ରସନ୍ନ କୁମାର ସାହୁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି । ଏହାକୁ ଅନ୍ୟ ବ୍ୟବସାୟୀମାନେ ସ୍ୱାଗତ କରିଛନ୍ତି ।
ଏନେଇ ଶ୍ରୀ ସାହୁ କହିଛନ୍ତି, ଅକ୍ଟୋବର ୨ରୁ ରାଜଧାନୀକୁ ପ୍ଲାଷ୍ଟିକ୍ମୁକ୍ତ ସହର ଘୋଷଣା କରାଯାଇଛି । ପଲିଥିନ୍ ବ୍ୟାଗ୍ ନିଷିଧ ହୋଇଛି । ବିଭିନ୍ନ ସମାଗ୍ରୀ ନେବା ଆଣିବାରେ ଅସୁବିଧା ହେଉଛି । ଏଥିପାଇଁ ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଲିଥିନ ବ୍ୟାଗ୍ ବନ୍ଦ ହେବା ଦ୍ୱାରା ଗ୍ରାହକମାନେ ମଧ୍ୟ ହଇରାଣ ହେଉଥିଲେ । କିଛି ଗ୍ରାହକ ହାତରେ ବ୍ୟାଗ୍ ଧରି ବଜାରକୁ ଆସିବାକୁ ପସନ୍ଦ କରୁନାହାନ୍ତି । ଆଉ କିଛି ବ୍ୟାଗ୍ ଆଣିବାକୁ ଭୂଲି ଯାଉଛନ୍ତି । ଆମ୍ଭେ ସେଥିପାଇଁ ଦୋକାନରେ ଥିବା ଅଦରକାରୀ ଡାଲି ବସ୍ତାକୁ କାଟି ଏଭଳି ବ୍ୟାଗ୍ ତିଆରି କରୁଛୁ ।
ବ୍ୟାଗ୍ ନେଉଥିବା ଗ୍ରାହକମାନେ ଯେକୌଣସି ସମୟରେ ତାଙ୍କ ବ୍ୟାଗ୍କୁ ଫେରାଇ ପଇସା ଫେରସ୍ତ ପାଇ ପାରିବେ । ପ୍ରତିଦିନ ୨୦ରୁ ୩୦ଟି ବ୍ୟାଗ ଏଠାରେ ବିକ୍ରି ହେଉଛି । ଗ୍ରାହକ ଅଭିନାଶ ବିଶ୍ୱାଳ ଏନେଇ କହିଛନ୍ତି, ସରକାର ରାଜଧାନୀକୁ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା କିଛି କରୁନାହାନ୍ତି । ଏଭଳି ପରିସ୍ଥିତିରେ ବ୍ୟବସାୟୀଙ୍କ ଏହି ପ୍ରୟାସ ନିଶ୍ଚିତ ସ୍ୱାଗତଯୋଗ୍ୟ । ‘ମୋ ବ୍ୟାଗ୍’ର ସୁବିଧା ମୁଁ ଦୁଇ ଥର ନେଇଛି ।