ଲଙ୍ଗଳେଶ୍ୱରରୁ ଚୋରି ହୋଇଥିବା ସ୍ମାର୍ଟଫୋନ୍ କନ୍ଦି ଗାଁରୁ ଉଦ୍ଧାର, ଜଣେ ଗିରଫ

ଖଲ୍ଲିକୋଟ ୨୬/୫- ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଂଗଳେଶ୍ୱର ଗ୍ରାମରୁ ଚୋରି ହୋଇଥିବା ମୋବାଇଲ ଫୋନ କନ୍ଦିଗାଁରୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି ଭେଜିପୁଟ ଫାଣ୍ଡି ପୋଲିସ । ଗିରଫ ଯୁବକ ଜଣଙ୍କ କନ୍ଦିଗାଁ ଗ୍ରାମର କାହ୍ନା ନାହାକ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଲଙ୍ଗଳେଶ୍ବର ଗ୍ରାମର ଦିଲିପ ଦଳେଇଙ୍କ ମୋବାଇଲ ଫୋନଟି ଗତ ଏପ୍ରିଲ ମାସ ୧୯ ତାରିଖ ରାତିରେ ଚୋରି ହୋଇଯାଇଥିବା ଭେଜିପୁଟ ପୋଲିସ ଫାଣ୍ତିରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୨୯୭/୨୦୨୩ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ତେବେ ଆଜି ଅର୍ଥାତ ଶୁକ୍ରବାର ସକାଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଫାଣ୍ତି ଅଧିକାରୀ ଦେବାଶିଷ ମିଶ୍ର, କନେଷ୍ଠବଳ ଆନନ୍ଦ ସେଠୀ, ଧର୍ମରାଜ ଡୁଙ୍ଗଡୁଙ୍ଗ୍ ପ୍ରମୁଖ କନ୍ଦିଗାଁ ଗ୍ରାମରେ ଚଢ଼ାଉ କରି ଚୋରି ମୋବାଇଲ ଫୋନ ଟିକୁ ଉଦ୍ଧାର କରିବା ସହ ମୋବାଇଲ ଫୋନ ଚୋରି କରିଥିବା ଅଭିଯୋଗରେ କାହ୍ନା ନାହାକ ନାମକ ଜଣେ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ପରେ ଗିରଫ କାହ୍ନାଙ୍କୁ ମଧ୍ୟାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଉଦ୍ଧାର ମୋବାଇଲ ଫୋନଟିକୁ ଅପରାହ୍ନରେ ଫୋନ ମାଲିକ ଦିଲିପ ଦଳେଇଙ୍କୁ ହସ୍ତାନ୍ତର କରାଯାଇଥିବା ଫାଣ୍ତି ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି ।