ଆଧୁନିକ ଯୁଗର ଜୟଚନ୍ଦ !

କଂଗ୍ରେସ ପାର୍ଟି ନେତା ରାହୁଲ ଗାନ୍ଧି ଗତ କିଛିଦିନ ତଳେ ଯୁକ୍ତରାଜ୍ୟ (ୟୁନାଇଟେଡ୍ କିଙ୍ଗଡମ୍)କୁ ଯାଇଥିଲେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି । ସେ କହିଛନ୍ତି ଭାରତରେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ଅବସ୍ଥାରେ ପହଞ୍ଚିଛି । ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକ ଯଥାଶୀଘ୍ର ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ଏହାର ସୁରକ୍ଷା କରନ୍ତୁ । ସେମାନଙ୍କ ହସ୍ତକ୍ଷେପ ଲାଗି ରାହୁଲ ବାରମ୍ବାର ପରୋକ୍ଷରେ ଅନୁନୟ କରିବା ସହିତ ଏପରି କାହିଁକି କରୁଛନ୍ତି ତାହା ପଛର କାରଣ ଦର୍ଶାଇବାକୁ ଭୁଲିନଥିଲେ । ସେ କହିଲେ, ଭାରତ ଯେହେତୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର,ଏହାର ପ୍ରଭାବ କେବଳ ଦେଶର ସୀମା ମଧ୍ୟରେ ସୀମିତ ରହିବନାହିଁ । ଭାରତୀୟ ଗଣତନ୍ତ୍ର ଭୁଶୁଡ଼ିବାର ‘ଘାତକ ପ୍ରହାର’ ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଲହୁଲୁହାଣ କରିଦେବ ।

ରାହୁଲ ଗାନ୍ଧିଙ୍କ ଏପରି ଅନୁନୟ ବିନୟ ସ୍ତବ୍ଧ କରିଦେବା ଭଳି ନୁହେଁ କି! ଦେଶର ଯେଉଁ ଗ୍ରାଣ୍ଡ ଓଲ୍ଡ ପାର୍ଟି (ସବୁଠୁ ପୁରୁଣା ରାଜନୈତିକ ଦଳ) ଉପନିବେଶବାଦୀଙ୍କ ଉତ୍ପୀଡ଼ନ ବିରୋଧରେ ସଂଗ୍ରାମ କରିଥିଲା, ସେହି ଦଳ ଏବେ ଆମେରିକୀୟ, ୟୁରୋପୀୟମାନଙ୍କୁ ଅନୁନୟ କରୁଛି ‘ଆସ ଆମ ଘର (ଦେଶ) କଥାରେ ମୁଣ୍ଡ ଖେଳାଅ ।’ ପୁଣି କେଉଁ ସମୟରେ ଏପରି ବିନୀତ ଅନୁରୋଧ ଜଣାଇଛି, ଯେତେବେଳେ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ (ପ୍ଲାଟିନମ୍ ଜୁବୁଲି) ପାଳନ କରୁଛି! ଆହୁରି ଆଚମ୍ବିତ କରିଦେବା ଭଳି ବ୍ୟାପାର ହେଉଛି ରାହୁଲଙ୍କ ମିଛ ବଖାଣ । ଇଂଲଣ୍ଡ ଗସ୍ତବେଳେ ସେ ସେଠାକାର ଶିକ୍ଷାବିତ୍, ସାଂସଦ ତଥା ଗଣମାଧ୍ୟମ ସହିତ ମତ ବିନିମୟ କରିବା ସମୟରେ ମିଛ କଥାମାନ କହିଥିଲେ । ତାଙ୍କ କଥାରୁ ମନେ ହେଲା, ସଂଘ ପରିବାର ଏବଂ ନରେନ୍ଦ୍ର ମୋଦିଙ୍କର ସେ ଜନ୍ମଜାତ ସମାଲୋଚକ । ଏଣୁ ସେ ଯେଉଁଠି ଯେଉଁଠି ଉଦ୍ବୋଧନ ଦେଲେ ସବୁଠାରେ ମୋଦିଙ୍କ ପ୍ରତି ତାଙ୍କ ଅନ୍ତଃକରଣରେ ରହିଥିବା ଦ୍ୱେଷ ଉତୁରି ଆସିଥିଲା । ତାହାହିଁ ତାଙ୍କୁ ସତ ଠାରୁ କୋଶ ଦୂର ବଖାଣିବାକୁ ବାଧ୍ୟ କରିଛି ବୋଲି କହିବାକୁ ହେବ ।
ଏଠାରେ ତିନି ଚାରିଟି ଉଦାହରଣ ନିଆଯାଉ । ରାହୁଲ ଗାନ୍ଧି କହିଲେ, ସରକାର ଗୁଡ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ (ଜିଏସଟି) ଲାଗୁ କରିବା ପୂର୍ବରୁ ଆଦୌ ଚର୍ଚ୍ଚା କରିନାହାଁନ୍ତି । ସେ ବୋଧହୁଏ ଜାଣନ୍ତି ନାହିଁ, ତାଙ୍କ ଦଳ ନେତୃତ୍ୱରେ ପରିଚାଳିତ ସରକାର ଅମଳ (୨୦୦୬-୦୭)ରେ ହିଁ ଜିଏସ୍ଟି ପ୍ରସଙ୍ଗ ପ୍ରଥମେ ଉଠିଥିଲା । ପରେ ସମ୍ବିଧାନର ୧୦୧ତମ ସଂଶୋଧିତ ଧାରା, ୨୦୧୬ ଜରିଆରେ ସଂସଦ ଜିଏସଟିକୁ ଅନୁମୋଦନ କଲା । ଆହୁରି କହିରଖ ୁଯେ, ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ଜିଏସଟି କାଉନସିଲ୍ର ସଦସ୍ୟ ରହିଛନ୍ତି ଏବଂ ଏହା ଦେଶର ସଂଘୀୟ ବ୍ୟବସ୍ଥାକୁ ଦୀର୍ଘସୂତ୍ରୀରେ ମଜଭୁତ୍ କରୁଛି । ଅତଏବ ବିଦେଶରେ ଜିଏସଟି ନେଇ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟରୁ ଅସାଧୁପଣିଆର ଗନ୍ଧ ଆସୁଛି । ରାହୁଲ ଜିଏସଟି ପ୍ରକ୍ରିୟାକୁ ନିନ୍ଦା କରିବା ପରିବର୍ତ୍ତେ ଏହାକୁ ଭାରତୀୟ ଗଣତାନ୍ତ୍ରିକ ସଂଘୀୟ ବ୍ୟବସ୍ଥାର ଏକ ଦୃଷ୍ଟାନ୍ତ ବୋଲି କହିଥିଲେ ଉଚିତ୍ ହୋଇଥାନ୍ତା ।
ଦ୍ୱିତୀୟରେ ସେ କହିଲେ, ଆରଏସଏସ ଏକ ଗୁପ୍ତ ସଂଗଠନ, ଯାହାର ଉଦ୍ଦେଶ୍ୟ ଦେଶରୁ ଗଣତନ୍ତ୍ରର ମୂଳୋତ୍ପାଟନ । ଏହି ଅବସରରେ ଆରଏସଏସ ସମ୍ପର୍କରେ ପ୍ରକୃତ ତଥ୍ୟ ରଖାଯିବା ଉଚିତ ହେବ । ରାହୁଲଙ୍କ ଜେଜେମା’ ଇନ୍ଦିରା ଗାନ୍ଧି ୧୯୭୫-୭୭ରେ ଦେଶ ଉପରେ ଫାସିବାଦୀ ଶାସନ ଲଦିଦେଇଥିଲେ । ସେତେବେଳେ ଗଣତନ୍ତ୍ରର ସୁରକ୍ଷା ଲାଗି ରାସ୍ତାକୁ ଓହ୍ଲାଇଥିଲା ଆରଏସଏସ । ଏହି ସଂଗଠନର ପ୍ରାୟ ୩୨୫୪ଜଣ ସଦସ୍ୟ କାରାବରଣ କରିଥିଲେ । ଏହି ଲେଖକ ଦିଲ୍ଲୀ ସ୍ଥିତ ଜାତୀୟ ଅଭିଲେଖାଗାରରୁ ସଂଗ୍ରହ କରିଥିବା ନଥିପତ୍ରରୁ ଆହୁରି ଜଣାଯାଏ ଯେ, ଇନ୍ଦିରା ଗାନ୍ଧିଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଯେଉଁସବୁ ରାଜନୈତିକ ଦଳର କର୍ମୀମାନେ ସଂଗ୍ରାମ କରି କାରାଦଣ୍ଡ ଭୋଗ କରିଥିଲେ ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲା ଜନସଂଘ । ଏହି ଦଳର ସର୍ବାଧିକ ୭୭୨ଜଣ କାରାବରଣ କରିଥିଲେ । ଆନ୍ଦୋଳନକାରୀଙ୍କୁ ଖତରନାକ୍ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା) ବଳରେ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏବେ କହନ୍ତୁ ତ ଭାରତରେ ପ୍ରକୃତପକ୍ଷେ ଫାସିବାଦୀ କେଉଁମାନେ?
ତୃତୀୟତଃ, ରାହୁଲ ଗାନ୍ଧି ବିଦେଶରେ ଅଭିଯୋଗ ଉଠାଇଛନ୍ତି ଯେ, ଭାରତୀୟ ସଂସଦରେ ବିରୋଧୀମାନଙ୍କ ସ୍ୱରକୁ ଚାପି ଦିଆଯାଉଛି । ସରକାରଙ୍କୁ ସମାଲୋଚନା କଲେ ସାଂସଦଙ୍କ ମାଇକ୍ର ସୁଇଚ୍କୁ ବନ୍ଦ କରିଦିଆଯାଉଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସଂସଦରେ କ’ଣ ହୁଏ ଏ ସମ୍ପର୍କରେ ତାଙ୍କ ମୁହଁରୁ ଏହା କେବେ ମିଛ କୁହାଇପାରିବ ନାହିଁ । ସାଂସଦମାନଙ୍କ କାର୍ଯ୍ୟଧାରା ଉପରେ ନଜର ରଖୁଥିବା ପିଆରଏସ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ୨୦୨୨ ସଂସଦର ଶୀତ ଅଧିବେଶନରେ ରାହୁଲ ଗାନ୍ଧିଙ୍କ ଯୋଗଦାନ ଥିଲା ଏକ ବିରାଟକାୟ ଶୂନ । ଉପସ୍ଥାନ ଅବଶ୍ୟ ୨୦୨୩ରେ ବୃଦ୍ଧି ପାଇଛି । ବଜେଟ ଅଧିବେଶନରେ ରାହୁଲଙ୍କ ଉପସ୍ଥାନ ୪୦ପ୍ରତିଶତକୁ ଛୁଇଁପାରିଛି । ଅନ୍ୟପକ୍ଷରେ ରାହୁଲ ୨୦୨୨ରେ ମାତ୍ର ଥରେ ସଦନରେ କହିଛନ୍ତି ।
ରାହୁଲଙ୍କ ୪ର୍ଥ ଅଭିଯୋଗ ହେଉଛି, ମୋଦି ସରକାର ତାଙ୍କ ଫୋନ୍ କଥାବାର୍ତ୍ତାକୁ ଟ୍ୟାପିଂ କରାଉଛନ୍ତି । କିନ୍ତୁ “ଆମେ କ୍ଷମତାରେ ଥିବାବେଳେ ଏପରି କେବେହେଁ ହୋଇନାହିଁ ।” ଏପରି ଅଭିଯୋଗ ଉଠାଇଥିବା ବ୍ୟକ୍ତି ହେଉଛନ୍ତି ସେହି, ଯାହାଙ୍କ ପରିବାର ଦେଶରେ ଫାସିବାଦୀ ଶାସନ ଚଳାଇଥିଲା! ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ଶାସନ ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପାଇଁ ଯେଉଁମାନେ କାମ କରୁଥିଲେ, ସେମାନଙ୍କ ମଧ୍ୟରେ ଥିଲେ ମଲୟ କ୍ରିଷ୍ଣା ଧର । ସେହି ସମୟରେ କିପରି ଟେଲିଫୋନ ଟ୍ୟାପିଂ ହେଉଥିଲା ତା’ର ବଳିଷ୍ଠ ପ୍ରମାଣ ଆମକୁ ମିଳିପାରିଛିି । କେବଳ ଫୋନ୍ ଟ୍ୟାପିଂ ନୁହେଁ, ଅନ୍ୟାନ୍ୟ ସାଂଘାତିକ କାର୍ଯ୍ୟକଳାପ ଇନ୍ଦିରା, ରାଜୀବଙ୍କ ଶାସନ ଅମଳରେ ଚାଲିଥିଲା ବୋଲି ଏହି ସୂତ୍ରରୁ ଜଣାଯାଏ ।
ତେବେ ମୋଦି ଏବଂ ଶିଖ୍ଙ୍କ ସମ୍ପର୍କରେ ରାହୁଲ ଯେଉଁ ମିଛ କହିଛନ୍ତି, ତାହା ଅତି ସାଂଘାତିକ । କେମ୍ବ୍ରିଜ ୟୁନିଭର୍ସିଟିରେ ବକ୍ତବ୍ୟ ରଖିବାବେଳେ ସେ କହିଲେ ମୋଦି ‘ଦେଶକୁ ଖଣ୍ଡ ଖଣ୍ଡ କରି ପକାଇଲେଣି ।’ ଶ୍ରୋତାମଣ୍ଡଳୀରେ ବସିଥିବା ଜଣେ ଶିଖ୍ ଭଦ୍ରବ୍ୟକ୍ତିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆହୁରି କହିଲେ, ମୋଦି ଆପଣଙ୍କୁ ‘ଜଣେ ଭାରତୀୟ’ ବୋଲି ମନେକରନ୍ତି ନାହିଁ । ମୋଦିଙ୍କ ନଜରରେ ଜଣେ ଶିଖ୍ ବ୍ୟକ୍ତି ଦେଶର ‘ଦ୍ୱିତୀୟ ଶ୍ରେଣୀର ନାଗରିକ’ । ଏପରି ମନ୍ତବ୍ୟ କେବଳ ଭ୍ରାନ୍ତିମୂଳକ ନୁହେଁ, ପରନ୍ତୁ ବିଶ୍ୱାସଘାତକତାର ସ୍ୱରୂପ । ଦେଶର ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ବିଭାଜନକାରୀ ମନୋଭାବକୁ ଉସୁକାଇବା ଲାଗି ଏହା ଉଦ୍ଦିଷ୍ଟ ଏବଂ ଏପରି ହୀନ ଉଦ୍ୟମ କଟୁ ନିନ୍ଦା ଯୋଗ୍ୟ ।
ଗଣତନ୍ତ୍ର ପ୍ରତି କଂଗ୍ରେସର ସନ୍ଦିଗ୍ଧ ପ୍ରତିଶ୍ରୁତିବଦ୍ଧତାକୁ ଶ୍ରୀଯୁକ୍ତ ଗାନ୍ଧି ଭୁଲିଯାଇଛନ୍ତି ବୋଲି ଛଳନା କରିପାରନ୍ତି । ମାତ୍ର ତାଙ୍କ ପାଖରେ ଯାଦୁକରୀ ବାଡ଼ି ନାହିଁ ଯେ ଯାହାକୁ ବୁଲାଇଦେଇ ଦେଶର ୧୪୦କୋଟି ଜନତାଙ୍କୁ ସାମୂହିକ ଭାବେ ଭୁଲାଇ ଦେଇପାରିବେ । ଗତ ୭୫ବର୍ଷ ଧରି ନେହରୁ-ଗାନ୍ଧିମାନଙ୍କ ଦ୍ୱାରା ଗଣତନ୍ତ୍ର ବିରୋଧୀ ଯେଉଁସବୁ କାରନାମା କରାଯାଇଛି ତାହାର ସଂକ୍ଷିପ୍ତ ବିବରଣୀ ଏଠାରେ ରଖିବା ଉଚିତ୍ ହେବ । ଆମ ସମ୍ବିଧାନର ଧାରା ୧୯(୧) ନାଗରିକମାନଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନିଶ୍ଚିତ କରିଛି । ମାତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହି ବାକ୍ ସ୍ୱାଧୀନତାରେ ‘ଆବଶ୍ୟକୀୟ ଅଙ୍କୁଶ’ ଲଗାଇବା ପାଇଁ ପ୍ରଥମେ ୧୯୫୧ରେ ସମ୍ବିଧାନ ସଂଶୋଧନ କରାଇଥିଲେ । ନେହରୁ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ଇନ୍ଦିରା ଗାନ୍ଧିଙ୍କ ପରାମର୍ଶ କ୍ରମେ ଅନ୍ୟ ଦଳଗୁଡ଼ିକର ଅଭିବୃଦ୍ଧି ରୋକିବାକୁ ଆଗଭର ହୋଇଥିଲେ ।
୧୯୫୯ରେ ସେ କେରଳ ସରକାରଙ୍କୁ ବରଖାସ୍ତ କରି ତାଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଥିଲେ । ଅଣକଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ରାଜ୍ୟପାଳ ଶାସନ ଲାଗୁ କରିବା ଲାଗି ଯଦି କେହି ସର୍ବାଧିକ ଥର ଧାରା-୩୫୬ର ଦୁରୁପଯୋଗ କରିଥାନ୍ତି ସେ ତାଲିକାରେ ନେହରୁ-ଗାନ୍ଧି ସବା ଆଗରେ ରହିବେ । ୧୯୭୫ରେ ଇନ୍ଦିରା ଗାନ୍ଧି ହିଁ ଦେଶର ସ୍ପନ୍ଦନଶୀଳ ଗଣତନ୍ତ୍ରକୁ ଏକଛତ୍ରବାଦରେ ପରିଣତ କରିଥିଲେ ଜରୁରିକାଳୀନ ପରିସ୍ଥିତି ଲାଗୁ କରି । ଜରୁରିକାଳୀନ ପରିସ୍ଥିତି ଦେଶର ସଂସଦୀୟ କ୍ଷମତା କ୍ଷୁଣ୍ଣ କରିଥିଲା । ନ୍ୟାୟପାଳିକାକୁ ବି ଦୁର୍ବଳ କରିପକାଇଥିଲା । ଏହି ସମୟରେ ହିଁ ଚାଲିଥିଲା ବାଧ୍ୟତାମୂଳକ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯାନ । ବିଶେଷକରି ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଏହାର ଶିକାର ହୋଇଥିଲା । ବୋଫର୍ସ ତୋପ ଖରିଦଦାରୀ ପ୍ରକ୍ରିୟାରେ ଲାଞ୍ଚ କାରବାର ହୋଇଥିଲା ଏବଂ ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ନେଇ ସେ ସମୟରେ ଦେଶ ହୁଲସ୍ତୁଲ ହୋଇଯାଇଥିଲା । ବୋଫର୍ସ ଦୁର୍ନୀତି ମାମଲାରେ ଫସିବାରୁ ରାଜୀବ ଗାନ୍ଧି ଗଣମାଧ୍ୟମର କଣ୍ଠରୋଧ କରିବାକୁ ୧୯୮୮ରେ କଠୋର ଡିଫେମେସନ୍ (ମାନହାନି) ବିଲ୍ ଆଣିଥିଲେ । ଏମିତି ହିସାବ କରିବସିଲେ ସରିବନି ।
ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ଲାଗି ବିଦେଶୀ ରାଷ୍ଟ୍ରଗୁଡ଼ିକୁ ରାହୁଲଙ୍କ ଅନୁନୟ କଥା ଜାଣିବା ପରଠାରୁ ଦୂରଦର୍ଶୀ ଡ. ବି.ଆର. ଆମ୍ବେଦକରଙ୍କ ଗୋଟିଏ କଥା ମନେ ପଡ଼ିଯାଉଛି । ଦୀର୍ଘବର୍ଷ ତଳେ ୧୯୪୯ ନଭେମ୍ବର ୨୫ ଦିନ ଡ. ଆମ୍ବେଦକର ସମ୍ବିଧାନ ବିତର୍କର ଉପସଂହାର ଟାଣିବାକୁ ଯାଇ ଦେଶବିରୋଧୀ ତତ୍ତ୍ୱ ସମ୍ପର୍କରେ ଦେଶବାସୀଙ୍କୁ ସତର୍କ କରାଇ ଦେଇଥିଲେ । ସେ କହିଲେ “ଭାରତ ପୂର୍ବରୁ ଏକଦା ତା’ର ସ୍ୱାଧୀନତା ହରାଇଥିଲା ଭାବିଲେ ମୁଁ ବ୍ୟସ୍ତବିବତ୍ର ହୋଇପଡ଼େ । କିନ୍ତୁ ମୋତେ ଅଧିକ ବିବ୍ରତ ଲାଗେ ଯେତେବେଳେ ଭାବେ ଯେ, ଏହି ପରାଧୀନତାର କଷ୍ଟ ଦେଶକୁ ତା’ର କେତେକ ନିଜ ଲୋକଙ୍କ ପ୍ରତାରଣା, ବିଶ୍ୱାସଘାତକତା କାରଣରୁ ଭୋଗିବାକୁ ପଡ଼ିଥିଲା ।”
ଇତିହାସରୁ ଜଣାଯାଏ ଯେ, ମହମ୍ମଦ-ବିନ୍-କାସିମ୍ ସିନ୍ଧ ଆକ୍ରମଣ କରିବା ସମୟରେ ରାଜା ଦହରଙ୍କ ସେନାପତିମାନେ ମହମ୍ମଦ-ବିନ-କାସିମଙ୍କ ଏଜେଣ୍ଟଙ୍କ ଠାରୁ ଲାଞ୍ଚ ନେଇ ନିଜ ରାଜାଙ୍କ ପକ୍ଷରେ ଲଢ଼ିବାକୁ ମନା କରିଦେଇଥିଲେ । ଏହିପରି ଆହୁରି ଅନେକ ଗୃହଶତ୍ରୁଙ୍କ କଳଙ୍କିତ କାର୍ଯ୍ୟରେ ଇତିହାସ ଅଧ୍ୟାୟ କଳଙ୍କିତ । ଭାରତ ଆକ୍ରମଣ କରି ପୃଥ୍ୱୀରାଜଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଜୟଚନ୍ଦ (ଜୟଚନ୍ଦ୍ର) ହିଁ ଲୁଣ୍ଠନକାରୀ ମହମ୍ମଦ ଘୋରୀଙ୍କୁ ଆମନ୍ତ୍ରଣ କରିଥିଲେ । ଏଥି ନିମନ୍ତେ ତାଙ୍କର ଏବଂ ସୋଲାଙ୍କୀ ରାଜାମାନଙ୍କର ସହାୟତା ତାଙ୍କୁ ମିଳିଯିବ ବୋଲି ଜୟଚନ୍ଦ ମହମ୍ମଦ ଘୋରୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଯେତେବେଳେ ହିନ୍ଦୁଙ୍କର ମୁକ୍ତି ଲାଗି ମରହଟ୍ଟା ବୀର ଶିବାଜୀ ମୋଗଲ ଶାସକଙ୍କ ବିରୋଧରେ ଲଢୁଥିଲେ ସେତେବେଳେ ରାଜପୁତ୍ ରାଜାଗଣ ଏବଂ ଅନ୍ୟ ମରହଟ୍ଟା ଭଦ୍ରଲୋକମାନେ ମୋଗଲଙ୍କ ପକ୍ଷରେ ଠିଆ ହୋଇଥିଲେ ।
କହିବା ବାହୁଲ୍ୟ ଯେ, କଂଗ୍ରେସ ଯଦି ଦେଶବାସୀଙ୍କର ସମର୍ଥନ ଏବଂ ଆସ୍ଥା ବିଶ୍ୱାସ ପ୍ରକୃତପକ୍ଷେ ଫେରିପାଇବାକୁ ଚାହୁଁଥାଏ, ତେବେ ଆଧୁନିକ ଯୁଗର ଜୟଚନ୍ଦଙ୍କ ତୁଣ୍ଡ ନିହାତି ବନ୍ଦ କରୁ ।
ରାହୁଲ ଗାନ୍ଧି ବିଦେଶରେ ଅଭିଯୋଗ ଉଠାଇଛନ୍ତି ଯେ, ଭାରତୀୟ ସଂସଦରେ ବିରୋଧୀମାନଙ୍କ ସ୍ୱରକୁ ଚାପି ଦିଆଯାଉଛି । ସରକାରଙ୍କୁ ସମାଲୋଚନା କଲେ ସାଂସଦଙ୍କ ମାଇକ୍ର ସୁଇଚ୍କୁ ବନ୍ଦ କରିଦିଆଯାଉଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସଂସଦରେ କ’ଣ ହୁଏ ଏ ସମ୍ପର୍କରେ ତାଙ୍କ ମୁହଁରୁ ଏହା କେବେ ମିଛ କୁହାଇପାରିବ ନାହିଁ । ସାଂସଦମାନଙ୍କ କାର୍ଯ୍ୟଧାରା ଉପରେ ନଜର ରଖୁଥିବା ପିଆରଏସ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ୨୦୨୨ ସଂସଦର ଶୀତ ଅଧିବେଶନରେ ରାହୁଲ ଗାନ୍ଧିଙ୍କ ଯୋଗଦାନ ଥିଲା ଏକ ବିରାଟକାୟ ଶୂନ ।