ନୂଆଦିଲ୍ଲୀ,୨୦।୧୧: ଭାରତ ଏବଂ ପାକିସ୍ତାନ ଯୁଦ୍ଧ ରୋକିବାରେ ପୁଣି ନିଜର କ୍ରେଡିଟ୍ ନେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ଏଥର ସେ ଦାବି କରିଛନ୍ତି ୩୫୦% ଶୁଳ୍କ ଲଗାଇବାର ଧମକ ଦେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି କହିଥିଲେ-ଆମେ ଯୁଦ୍ଧ କରିବୁନି।’ ଟ୍ରମ୍ପ ଏକାଧିକବାର ଏଭଳି ଦାବିକୁ ଦୋହରାଇଛନ୍ତି। ସେ ଚଳିତ ବର୍ଷ ମଇରେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଶାନ୍ତ କରିବାରେ ସାହାଯ୍ୟ କରିଥିଲେ। ତେବେ ଭାରତ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ସିଧା ସଳଖ ଖଣ୍ଡନ କରିଥିଲା।
ଟ୍ରମ୍ପ କହିଛନ୍ତି, ମୁଁ ବିବାଦର ସମାଧାନରେ ଅଛି ଓ ସବୁବେଳେ ଏଭଳି ରହିଛି। ମୁଁ ଗତ କିଛି ମାସରେ ଏପରିକି ଏହା ପୂର୍ବରୁ ମଧ୍ୟ ଏ ଦିଗରେ ବହୁତ ଭଲ କାମ କରିଛି। ଟ୍ରମ୍ପ ଆମେରିକା-ସାଉଦି ଆରବରେ ନିବେଶ ମଞ୍ଚରେ ଟ୍ରମ୍ପ ଦାବି କରିଛନ୍ତି। ଏଥିରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ମଧ୍ୟ ରହିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ-ପାକିସ୍ତାନ ଲଢେଇ ପରମାଣୁ ଯୁଦ୍ଧ ରୂପ ନେଇଥାନ୍ତା। ସେ ପରମାଣୁ ହତିଆର ରଖୁଥିବା ଦୁଇ ପଡୋଶୀ ଦେଶକୁ କହିଥିଲେ ସେମାନେ ଯୁଦ୍ଧ ଜାରି ରଖି ପାରନ୍ତି,କିନ୍ତୁ ଦୁଇ ଦେଶ ଉପରେ ୩୫୦ ପ୍ରତିଶତ ଶୁଳ୍କ ଲଗାଯିବ। ସେ ଆମେରିକା ସହ ଏବେ ବାଣିଜ୍ୟ କରିପାରିବେନି।’
ଟ୍ରମ୍ପ କହିଛନ୍ତି ଏହାପରେ ଭାରତ ଓ ପାକିସ୍ତାନ ଦୁହେଁ ତାଙ୍କୁ ଏଭଳି ନକରିବାକୁ କହିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ଅନୁସାରେ, ସେ ଦୁଇ ଦେଶକୁ କହିଥିଲେ ମୁଁ ଏହା କରିବାକୁ ଯାଉଛି। ମୁଁ ଚାହୁଁନି ଆପଣ ପରସ୍ପର ବିରୋଧରେ ପରମାଣୁ ହତିଆର ବ୍ୟବହାର କରନ୍ତୁ,ଲକ୍ଷାଧିକ ଲୋକଙ୍କ ଜୀବନ ଯାଉ। ଲସ୍ ଆଞ୍ଜେଲସ୍ ଉପରେ ପରମାଣୁ ଧୂଳି ଉଡୁ।’ ଏହାପରେ ଟ୍ରମ୍ପ କହିଛନ୍ତି, ସେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ ଓ ସେ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବସେଣ୍ଟଙ୍କୁ କହିଥିଲେ, ସେ ଯୁଦ୍ଧ ବନ୍ଦ କରିବା ପାଇଁ ୩୫୦ ପ୍ରତିଶତ ଶୁକ୍ଳ ଲଗାଇବେ ଓ ଯଦି ଦୁଇ ଦେଶ ଯୁଦ୍ଧ ରୋକନ୍ତି ତେବେ ଆମେ ଏକ ଭଲ ବାଣିଜ୍ୟ ଚୁକ୍ତି କରିବୁ।’ ଟ୍ରମ୍ପ କହିଛନ୍ତି, କୌଣସି ଅନ୍ୟ ରାଷ୍ଟ୍ରପତି ଏଭଳି କରନ୍ତି ନାହିଁ। ୮ ରୁ ୫ ଯୁଦ୍ଧ, ବାଣିଜ୍ୟ ଓ ଶୁଳ୍କ କାରଣରୁ ସମାଧାନ ହୋଇଛି। ମୁଁ ଏହା କରିଛି।’
ସେ କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ତାଙ୍କୁ ଫୋନ୍ କରି ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ‘ହ୍ବାଇଟ ହାଉସ’ର ‘ଚିଫ୍ ଅପ୍ ଷ୍ଟାଫ୍’ ସୁସି ଓ୍ବିଲ୍ସଙ୍କ ଆଗରେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଟ୍ରମ୍ପ ଏହାପରେ ଦାବି କରିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ କରିକି କହିଥିଲେ, ଆମର କାମ ହୋଇଯାଇଛି। ମୁଁ କହିଲି, ଆପଣଙ୍କ କ’ଣ କାମ ହୋଇଛି ? ଟ୍ରମ୍ପ ଦାବି କରିଛନ୍ତି, ମୋଦି ଜବାବ ଦେଇଥିଲେ, ଆମେ ଯୁଦ୍ଧ କରିବୁନି।’ ଟ୍ରମ୍ପ କହିଛନ୍ତି, ଏହାପରେ ମୁଁ ମୋଦିଙ୍କୁ ଧନ୍ୟବାଦ ଦେଇଥିଲି ଓ କହିଥିଲି ଚାଲନ୍ତୁ ଏକ ଚୁକ୍ତି କରିବା।’ ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ବହୁ ଯୁଦ୍ଧରେ ଲକ୍ଷାଧିକ ଲୋକଙ୍କୁ ବଞ୍ଚାଇଛନ୍ତି।