ନୂଆଦିଲ୍ଲୀ,୦୯/୦୧: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଆଲୋଚନା ଜାରି ରହିଛି । ଦିନ ଗଡୁଛି ଡିଲ୍‌ ହେଉନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ନିକଟତର ସହଯୋଗୀ ଦୁଇ ଦେଶ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି କାହିଁକି ବିଫଳ ହେଲା ସେ ବିଷୟରେ ଏକ ବଡ଼ ଦାବି କରିଛନ୍ତି । ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଛନ୍ତି ଯେ,'' ସେ ଏକ ଚୁକ୍ତି ସ୍ଥିର କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ "ଫୋନ୍" କରିନଥିବାରୁ ଏହା ଚୂଡ଼ାନ୍ତ ହୋଇପାରିଲା ନାହିଁ ।

ଏକ ସାକ୍ଷାତକାରରେ ଲଟନିକ୍ ଦାବି କରିଛନ୍ତି ଯେ, ବାଣିଜ୍ୟ ଚୁକ୍ତିର ସମ୍ପୂର୍ଣ୍ଣ ରୂପରେଖା ପ୍ରସ୍ତୁତ ଥିଲା । କିନ୍ତୁ ଏହାକୁ ଚୂଡ଼ାନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ମାଧ୍ୟମରେ କଥା ହେବାର ଥିଲା । ଭାରତ ସରକାର ଏଥିପାଇଁ ରାଜି ନଥିବାରୁ ଟ୍ରେଡ୍ ଡିଲ୍ ହୋଇପାରିଲା ନାହିଁ । ମୋଦି ଫୋନ୍ ନକରିବାରୁ ଆମେ ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭିଏତନାମ ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲୁ। 'ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ନଥିବାରୁ ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟ ଚୁକ୍ତି ଦୀର୍ଘ ଦିନ ଧରି ଅଟକି ରହିଛି । ବାଣିଜ୍ୟ ଚୁକ୍ତି ଅଟକି ରହିବାର ବଡ଼ କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଟ୍ରମ୍ପଙ୍କୁ ଫୋନ୍ ନକରିବା ।''

ଭାରତ ଉପରେ ଲାଗିବ ୫୦୦% ଟାରିଫ୍ -  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ବିଲ୍‌କୁ ମଞ୍ଜୁରି ଦେଇଛନ୍ତି । ଏଭଳି ବିଲ୍ ଜରିଆରେ ରୁଷଠାରୁ ତେଲ କିଣୁଥିବା ଦେଶ ଗୁଡ଼ିକ ଉପରେ ଲାଗୁ ହେବ ବୃହତ ଟାରିଫ । ବିଶେଷ କରି ଭାରତ, ଚୀନ ଏବଂ ବ୍ରାଜିଲ ଭଳି ଦେଶ ଉପରେ ୫୦୦% ଟାରିଫ୍ ଲଗାଇବା ନେଇ ପ୍ରସ୍ତାବ ରହିଛି । ରୁଷ ତେଲ କିଣାକୁ ନେଇ ଆମେରିକା ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲଗାଇଛି । ଫଳରେ ଭାରତ ଏବେ ୫୦% ଟାରିଫ ଲାଗିଛି । ନୂଆ ବିଲ୍‌କୁ ଆମେରିକା କଂଗ୍ରେସର ସମର୍ଥନ ମିଳିଲେ ଏହା ଭାରତ ଲାଗି ବଡ ସଙ୍କଟ ସୃଷ୍ଟି କରିବ । ଏହାଦ୍ୱାରା ଆମେରିକାରେ ଭାରତୀୟ ସାମଗ୍ରୀ ବିକ୍ରିରେ ବଡ ସମସ୍ୟା ଉପୁଜିବ । ଏହାର ପ୍ରଭାବ ରପ୍ତାନିରେ ମଧ୍ୟ ପଡ଼ିପାରେ । ଟାରିଫ ବିବାଦ ଟାଳିବା ଲାଗି ଏବେ ଉଭୟ ଦେଶ ଆଲୋଚନା କରୁଛନ୍ତି ।