ନ୍ୟାସନାଲ ଓ୍ବାର ମେମୋରିଆଲରେ ମୋଦି, କହିଲେ ଆପଣମାନେ ଭୂତପୂର୍ବ ନୁହେଁ ଅଦ୍ଭୁତପୂର୍ବ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶହୀଦଙ୍କ ସମ୍ମାନରେ ତିଆରି କରାଯାଇଥିବା ନ୍ୟାସନାଲ ଓ୍ବାର ମେମୋରିଆଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ଉଦେଶ୍ୟରେ ସମର୍ପଣ କରିଛନ୍ତି। ଏହି ସ୍ମାରକୀ ଦେଶ ସ୍ବାଧୀନ ପରେ ଦେଶ ପାଇଁ ଜୀବନ ଦେଇଥିବା ବୀର ସୈନିକଙ୍କ ସମ୍ମାନରେ ତିଆରି କରାଯାଇଛି। ଏହି ଅବସରରେ ମୋଦି ପୂର୍ବତନ ସୈନିକଙ୍କ ଉଦେଶ୍ୟରେ କହିଛନ୍ତି ‘ଆପଣମାନେ ଭୂତପୂର୍ବ ନୁହଁନ୍ତି, ଅଦ୍ଭୁତପୂର୍ବ’। କାରଣ ଆଜି ଲକ୍ଷ ଲକ୍ଷ ସୈନିକଙ୍କ ଶକ୍ତି ଓ ସମର୍ପଣ କାରଣରୁ ଆମର ସେନା ସବୁଠାରୁ ବଡ ସେନା ମଧ୍ୟରୁ ଅନ୍ୟତମ। ଆପଣମାନେ ନିଜର ଶକ୍ତିର ଯେଉଁ ପରମ୍ପରା ତିଆରି କରିଛନ୍ତି ତାହାର କିଛି ତୁଳନା ନାହିଁ। ଦେଶରେ ଯେବେ କିଛି ସଙ୍କଟ ଆସେ ସେତେବେଳେ ଆମର ସୈନିକମାନେ ପ୍ରଥମେ ନିଜ ଉପରକୁ ସବୁ କଷ୍ଟ ନେଇଯାଇଥାନ୍ତି। ଚ୍ୟାଲେଞ୍ଜକୁ ସବୁଠାରୁ ପ୍ରଥମେ ସେମାନେ ଗ୍ରହଣ କରିନେଇଥାନ୍ତି ଓ ଏହାର ଜବାବ୍ ମଧ୍ୟ ଦେଇଥାନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ, ଲତା ଦିଦି ଯେତେବେଳେ ’ଏ ବତନ କେ ଲୋଗୋ’ ଗୀତ ଗାଇଥିଲେ ସେତେବେଳେ କୋଟି କୋଟି ଲୋକଙ୍କ ଆଖି ଲୁହରେ ଓଦା ହୋଇଯାଇଥିଲା। ମୁଁ ପୁଲଓ୍ବାମରେ ଶହୀଦ ହୋଇଥିବା ବୀରଙ୍କ ବଳିଦାନକୁ ପ୍ରଣାମ ଜଣାଉଛି। ଏହାସହ ରାଷ୍ଟ୍ରର ସମସ୍ତର ବୀରଙ୍କୁ ପ୍ରଣାମ କରୁଛି। ନବ ଭାରତ ଆଜି ନୂଆ ନୀତି ଓ ରୀତିରେ ଆଗକୁ ବଢିଚାଲିଛି। ଏହି ମେମୋରିଆଲର ଦାବି ବହୁ ଦଶକ ପୂର୍ବରୁ ହୋଇ ଆସୁଛି। କିନ୍ତୁ ହୋଇପାରିନଥିଲା। ୨୦୧୪ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ମେମୋରିଆଲ ଆଜି ଦେଶ ଉଦେଶ୍ୟରେ ସମର୍ପିତ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।