ଜନତା ଲଢ଼ିଲେ, ଜନତା ଜିତିଲେ: ମୋଦି

ନୂଆଦିଲ୍ଲୀ,୨୫ ।୫(ଏଜେନ୍ସି): ଲୋକସଭା ନିର୍ବାଚନରେ ଆମେ ଲଢ଼ି ନଥିଲୁ । ଦେଶର ସାଧାରଣ ଜନତା ଲଢ଼ିଥିଲେ, ଆଉ ଜନତା ମଧ୍ୟ ଜିତିଲେ । ୨୦୧୪ରୁ ଏପର୍ଯ୍ୟନ୍ତ ଗରିବଙ୍କ ପାଇଁ ଆମେ ୫ ବର୍ଷ ସରକାର ଚଳାଇଲୁ । ଏବେ ଗରିବ ଲୋକମାନେ ଆଗାମୀ ୫ ବର୍ଷ ଆମକୁ ଦେଶ ଚଳାଇବା ଲାଗି ବାଛିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ସଂସଦର କେନ୍ଦ୍ରୀୟ ହଲ୍ରେ ଆଜି ଆୟୋଜିତ ଏନ୍ଡିଏ ସଂସଦୀୟ ଦଳ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଚାର୍ଯ୍ୟ ବିନୋବା ଭାବେ କହୁଥିଲେ ଯେ ନିର୍ବାଚନ ଲୋକଙ୍କୁ ଭାଗ ଭାଗ କରେ, ଦୂରତା ସୃଷ୍ଟି କରେ ଓ ପାଚେରି ଠିଆ କରେ । କିନ୍ତୁ ୨୦୧୯ ନିର୍ବାଚନ ପାଚେରିକୁ ଭାଙ୍ଗିବାର କାମ କରିଛି । ହୃଦୟକୁ ଯୋଡିଛି । ଚଳିତ ନିର୍ବାଚନ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଗଣତାନ୍ତ୍ରିକ ଭାରତରେ ଲୋକମାନେ ଏକ ନୂଆ ଜୀବନ ଜିଇଁବା ଆରମ୍ଭ କରିଛନ୍ତି । ଯାହାର ଆମେ ସାକ୍ଷୀ ରହିଛୁ । ସବକା ସାଥ, ସବ୍କା ବିକାଶ ଓ ସବ୍କା ବିଶ୍ୱାସ ହେଉଛି ଆମର ମନ୍ତ୍ର ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପୂର୍ବରୁ ନିର୍ବାଚନ କଣ୍ଟ୍ରାକ୍ଟରେ ପରିଣତ ହୋଇଥିଲା । ଲୋକେ ୫ ବର୍ଷ ପାଇଁ ଜଣକୁ ବାଛୁଥିଲେ । ଯଦି ସେ ଠିକ୍ ଭାବେ କାର୍ଯ୍ୟ କରୁନଥିଲା ତେବେ ତାକୁ ୫ ବର୍ଷ ପରେ ହଟାଉଥିଲେ । କିନ୍ତୁ ୨୦୧୪ରେ ସେଥିରେ ପରିବର୍ତ୍ତନ ହେଲା । ଲୋକେ ସରକାରରେ ଭାଗିଦାରୀ ହେଲେ । ଅଟଳ ବିହାରୀ ବାଜପେୟୀଙ୍କର ଦେଶ ପାଇଁ ସବୁଠାରୁ ବଡ ଅବଦାନ ହେଉଛି ମେଣ୍ଟ ରାଜନୀତି । ମେଣ୍ଟ ରାଜନୀତିକୁ ସେ ସଫଳତାର ସହ ଆଗକୁ ବଢ଼ାଇଥିଲେ । ଯେଉଁଥି ପାଇଁ ଏନ୍ଡିଏ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଆମେ ଏହାକୁ ଆହୁରି ଆଗକୁ ନେବାକୁ ପଡିବ । ବର୍ତ୍ତମାନ ଏନ୍ଡିଏ ପାଖରେ ଦୁଇଟି ମହତ୍ୱପୂର୍ଣ୍ଣ ଉପାଦାନ ରହିଛି । ଗୋଟିଏ ହେଉଛି ଏନର୍ଜି (ଶକ୍ତି) ଏବଂ ଅନ୍ୟଟି ସିନର୍ଜି (ସହକ୍ରିୟତା) । ଏନର୍ଜି ଓ ସିନର୍ଜି ଏଭଳି କେମିକାଲ ଯାହା ଆମକୁ ଶକ୍ତିଶାଳୀ କରିଛି ।
ଏହି ଅବସରରେ ଭିଆଇପି ସଂସ୍କୃତିରୁ ଦୂରେଇ ରହିବାକୁ ମୋଦି ନୂଆ ଓ ପୂରୁଣା ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଭିଆଇପି ସଂସ୍କୃତିକୁ ଦେଶ ଘୃଣା କରେ । ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ନିଷ୍ପତ୍ତି ନିଅନ୍ତୁ । ଆପଣ କିଛି ବି କରନ୍ତୁ । କିନ୍ତୁ ନିଜକୁ କଷଠି ପଥରରେ ଘଷନ୍ତୁ । ଭୁଲ୍ କମିଯିବ । ଏଥିସହିତ ସେ ମିଡିଆରେ ଚର୍ଚ୍ଚାରେ ରହିବା ଭଳି ମାନସିକତାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଦୂରେଇ ରହିଲେ ନିଜକୁ ବଞ୍ଚାଇବା ସହ ଅନ୍ୟକୁ ବି ବଞ୍ଚାଇ ପାରିବେ । ସେହିଭଳି ମୋହ ଆମକୁ ସଙ୍କଟରେ ପକାଏ । ତେଣୁ ସାଂସଦମାନେ ଏଥିରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କହିଛନ୍ତି ଏବେ ଦେଶ ଆମକୁ କ୍ଷମା ଦେବ ନାହିଁ । ଆମର ଅନେକ ବଡ ଦାୟିତ୍ୱ ରହିଛି । ତାକୁ ପାଳନ କରିବାକୁ ହେବ । ଆଚାର, ବିଚାର ଓ ବୟାନ ଆଦିରେ ପରିବର୍ତ୍ତନ ଆଣିବାକୁ ପଡିବ ।
ସଂଖ୍ୟାଲଘୁଙ୍କୁ ନେଇ ହେଉଥିବା ଭୋଟବ୍ୟାଙ୍କ ରାଜନୀତିକୁ ମୋଦି ନାପସନ୍ଦ କରିଛନ୍ତି । କହିଛନ୍ତି ଗରିବଙ୍କ ସହିତ ଯେଭଳି ଭେଦଭାବ କରାଯାଉଛି ଠିକ୍ ସେହିଭଳି ଦେଶର ସଂଖ୍ୟାଲଘୁଙ୍କ ପ୍ରତି ହେଉଛି । ଦୁର୍ଭାଗ୍ୟର କଥା ଦେଶର ସଂଖ୍ୟାଲଘୁମାନଙ୍କୁ ଭ୍ରମିତ ଓ ଭୟଭୀତ କରି ରଖାଯାଉଛି । ସେମାନଙ୍କ ପ୍ରତି ରହିଥିବା ଏଭଳି ମାନସିକତାକୁ ଆମେ ହଟାଇବାକୁ ପଡିବ । ସେମାନଙ୍କ ବିଶ୍ୱାସ ଜିତିବାକୁ ହେବ ।
ମୋଦି କହିଛନ୍ତି ଜନତାଙ୍କ ଉପରେ ସେ ବିଶ୍ୱାସ ରଖିଲେ । ତେଣୁ ଜନତା ତାଙ୍କୁ ପୁଣିଥରେ ବାଛିଲେ । ବିଶ୍ୱାସର ଡୋରୀ ଯେତେବେଳେ ମଜଭୁତ ହେବ ସେତେବେଳେ ସରକାରଙ୍କ ବିରୋଧରେ ନୁହେଁ, ବରଂ ସପକ୍ଷରେ ହାୱା ବହିବ । ଏହି ହାୱା ବିଶ୍ୱାସର ଡୋରୀରେ ବନ୍ଧା ହୋଇଥିବ । ଚଳିତ ନିର୍ବାଚନ ସକରାତ୍ମକ ରହିଥିଲା । ଲୋକମାନେ ବହୁସଂଖ୍ୟାରେ ଏହି ବିଶ୍ୱାସ ନେଇ ଭୋଟ ଦେବାକୁ ଗଲେ କି ପୁଣିଥରେ ତାଙ୍କ ସରକାରକୁ କ୍ଷମତାକୁ ଫେରାଇ ଆଣିବା, କାମ ଦେବା ଓ ଦାୟିତ୍ୱ ଦେବା ଲାଗି । ଲୋକମାନଙ୍କ ମଧ୍ୟରେ ରହିଥିବା ଏହି ସକରାତ୍ମକ ଚିନ୍ତାଧାରା ଆଜି ଏତେ ବଡ ଜନାଦେଶ ଆଣିଦେଇଛି ।
ଚଳିତ ନିର୍ବାଚନ ତାଙ୍କ ପାଇଁ ତୀର୍ଥଯାତ୍ରା ସଦୃଶ ଥିଲା ବୋଲି ମୋଦି ପ୍ରକାଶ କରିଛନ୍ତି । ସେ କହିଛନ୍ତି ତାଙ୍କ ଜୀବନରେ ଅନେକ ନିର୍ବାଚନ ଲଢ଼ିଛନ୍ତି । ଜିତିବା-ହାରିବା ଦେଖିଛନ୍ତି । କିନ୍ତୁ ୨୦୧୯ ନିର୍ବାଚନ ଏକପ୍ରକାର ତୀର୍ଥଯାତ୍ରା ଭଳି ଥିଲା । ଏହି ନିର୍ବାଚନ ଆମେ ଲଢ଼ି ନଥିଲୁ, ଦେଶର ଜନତା ଲଢ଼ିଥିଲେ । ଜନତା ଜନାର୍ଦ୍ଦନ ଈଶ୍ୱରଙ୍କ ପ୍ରତିରୂପ । ଏକଥା ସେ ନିଜ ଆଖିରେ ଦେଖିବାକୁ ପାଇଛନ୍ତି । ମୋଦି ଆହୁରି ମଧ୍ୟ କହିଛନ୍ତି ୨୦୧୪ରେ ତାଙ୍କୁ ଯେଉଁ ଭୋଟ ମିଳିଥିଲା ୨୦୧୯ରେ ତାହାଠାରୁ ପ୍ରାୟ ୨୫ ପ୍ରତିଶତ ଅଧିକ ଭୋଟ ମିଳିଛି ।
ମନ୍ତ୍ରିମଣ୍ଡଳ ଗଠନକୁ ନେଇ ପ୍ରକାଶ ପାଉଥିବା ବିଭିନ୍ନ ଖବର ଉପରେ ସେ କଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ ଏହି ଦେଶରେ ବହୁତ ଏଭଳି ନରେନ୍ଦ୍ର ମୋଦି ଜନ୍ମ ହୋଇସାରିଲେଣି ଯେଉଁମାନେ ମନ୍ତ୍ରିମଣ୍ଡଳ ଗଠନ କରିସାରିଲେଣି । ଖବରରେ ମନ୍ତ୍ରିମଣ୍ଡଳ ଗଠନ ହୁଏନି କିମ୍ବା ମନ୍ତ୍ରୀ ପଦ ମିଳେନି । ସରକାର ଆଉ କେହି ବନାଇବେ ନାହିଁ । ଯାହାଙ୍କ ଉପରେ ଦାୟିତ୍ୱ ରହିଛି ସେ ହିଁ ବନାଇବେ । ମିଡିଆକୁ ଟାର୍ଗେଟ କରି ମୋଦି କହିଲେ ଯେ ଏଭଳି ଖବର ପରସ୍ପର ମଧ୍ୟରେ ବିଭେଦ ଓ ଭ୍ରମିତ କରିବା ଲାଗି ପ୍ରସାରଣ କରାଯାଉଛି । ଏହା ଉପରେ ବିଶ୍ୱାସ ନକରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଉଦ୍ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ହଲ୍ରେ ଥିବା ସମ୍ବିଧାନ ପ୍ରତି ମଥାନତ କରିଥିଲେ ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବସମ୍ମତକ୍ରମେ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସଂସଦୀୟ ଦଳର ନେତା ଭାବେ ମୋଦିଙ୍କ ନାମ ପ୍ରସ୍ତାବ ରଖିଥିଲେ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତିନ ଗଡକରୀ ତାକୁ ସମର୍ଥନ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଥିଲେ । ବୈଠକରେ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ମୋଦିଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଯାହାକୁ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ, ଏଲ୍ଜେପି ନେତା ରାମବିଳାସ ପାଶ୍ୱାନ ପ୍ରମୁଖ ସର୍ବସମ୍ମତକ୍ରମେ ସମର୍ଥନ କରିଥିଲେ । ନେତା ନିର୍ବାଚିତ ହେବା ପରେ ବିଜେପି ଓ ଏନ୍ଡିଏ ଦଳର ସାଂସଦମାନେ ମୋଦିଙ୍କୁ ଅଭିନନନ୍ଦନ ଜଣାଇଥିଲେ । ମୋଦି ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ହଲ୍ରେ ଉପସ୍ଥିତ ଥିବା ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ବାଦଲଙ୍କ ପାଦ ଛୁଇଁ ମୋଦି ସେମାନଙ୍କ ଆଶୀର୍ବାଦ ନେଇଥିଲେ ।
ବୈଠକ ପରେ ଶାହଙ୍କ ନେତୃତ୍ୱରେ ଏନ୍ଡିଏର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ଓ ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚନ କରାଯିବା ସଂକ୍ରାନ୍ତ ଚିଠି ପ୍ରଦାନ କରିଥିଲେ । ତା ସହିତ ୩୫୩ ଜଣ ଏନ୍ଡିଏ ସାଂସଦଙ୍କର ତାଲିକା ମଧ୍ୟ ଦେଇଥିଲେ । ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ଏଥିସହ ତାଙ୍କୁ ସମର୍ଥନ ଦେଉଥିବା ସାଂସଦଙ୍କ ତାଲିକା ଦେଇଥିଲେ । ରାଷ୍ଟ୍ରପତି ସମ୍ବିଧାନାର ଧାରା ୭୫ (୧)ରେ ମିଳିଥିବା କ୍ଷମତା ଅନୁସାରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ । ଏଥିସହ ମନ୍ତ୍ରିମଣ୍ଡଳ କେବେ ଶପଥ ଗ୍ରହଣ କରିବ ଓ କେଉଁମାନେ ମନ୍ତ୍ରୀ ହେବେ ତାହାର ତାଲିକା ପ୍ରଦାନ କରିବାକୁ ମୋଦିଙ୍କୁ ରାଷ୍ଟ୍ରପତି କହିଥିଲେ । ତେବେ ଖୁବ୍ଶୀଘ୍ର ଶପଥ ଗ୍ରହଣ ତାରିଖ ଓ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରାଯିବ ବୋଲି ମୋଦି ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ।