ନୂଆଦିଲ୍ଲୀ, ୨୫।୪: ବିଶ୍ୱ ରାଜନୀତିରେ ବଢ଼ିବ ଭାରତର ଦବଦବା । ଜୁନ୍ରେ ମୋଦୀ-ଟ୍ରମ୍ପ ଭେଟଘାଟ । ବିଶ୍ୱ ରାଜନୀତିର ଦୁଇ ପ୍ରଭାବଶାଳୀ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆସନ୍ତା ଜୁନ୍ ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା G7 ସମ୍ମିଳନୀ ଅବସରରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ହେବାର ସମ୍ଭାବନା ରହିଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହି ବୈଠକ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ଆଶା କରାଯାଉଛି ।
ମାର୍କୋ ରୁବିଓଙ୍କ ଭାରତ ଗସ୍ତ ପରେ ହେବ ବୈଠକ:
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଏହି ମହତ୍ତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ମେ’ ମାସରେ ଭାରତ ଗସ୍ତରେ ଆସିବେ । ନୂଆଦିଲ୍ଲୀରେ ସେ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଜୁନ୍ରେ ବୈଠକ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ । ଉଭୟ ଦେଶର କୂଟନୈତିଜ୍ଞମାନେ ବର୍ତ୍ତମାନ ଏହି ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଗତ କିଛି ସମୟ ଧରି ଭାରତ ଏବଂ ଆମେରିକା ମଧ୍ୟରେ କେତେକ ବିଷୟକୁ ନେଇ ସାମାନ୍ୟ ତିକ୍ତତା ଦେଖାଦେଇଛି । ବିଶେଷ କରି ଟ୍ରମ୍ପଙ୍କ କିଛି ନକାରାତ୍ମକ ଟିପ୍ପଣୀ ଯୋଗୁଁ ସୃଷ୍ଟି ହୋଇଥିବା ଦୂରତାକୁ ଦୂର କରିବାକୁ ଆମେରିକା ଚାହୁଁଛି । ଟ୍ରମ୍ପଙ୍କ ପାକିସ୍ତାନ ପ୍ରତି କୋମଳ ମନୋଭାବକୁ ନେଇ ଭାରତରେ ସାମାନ୍ୟ ଅସନ୍ତୋଷ ରହିଛି । ଆମେରିକା ପ୍ରଶାସନ ଉପରେ ବର୍ତ୍ତମାନ ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ବଡ଼ ଧରଣର ଚାପ ରହିଛି ।
ମୋଦୀଙ୍କୁ ‘ମୋର ଭଲ ବନ୍ଧୁ’ କହିଲେ ଟ୍ରମ୍ପ:
ଏହି ପ୍ରସ୍ତାବିତ ବୈଠକ ପୂର୍ବରୁ ଏପ୍ରିଲ ୧୭ ତାରିଖରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ "ମୋର ବନ୍ଧୁ" ବୋଲ କହିଛନ୍ତି । ସେ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ଅତ୍ୟନ୍ତ ଭଲ ବାର୍ତ୍ତାଳାପ ହୋଇଛି । ସେ ଭାରତ ପାଇଁ ବହୁତ ଭଲ କାମ କରୁଛନ୍ତି ଏବଂ ଆମ ମଧ୍ୟରେ ରହିଥିବା ବନ୍ଧୁତା ସୁଦୃଢ଼ ରହିଛି ।"ଫ୍ରାନ୍ସରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ:
ପଶ୍ଚିମ ଏସିଆର ସ୍ଥିତି: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଏବଂ ଆଞ୍ଚଳିକ ସୁରକ୍ଷା ।
ସାମୁଦ୍ରିକ ସୁରକ୍ଷା: ସମୁଦ୍ର ପଥରେ ବାଣିଜ୍ୟ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ରଣନୈତିକ ସହଯୋଗ ।
ରଣନୈତିକ ସହଭାଗିତା: ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ଯୋଗେ ହୋଇଥିବା ବାର୍ତ୍ତାଳାପ ପରେ ବିଶ୍ୱ ସମୁଦାୟର ନଜର ଏବେ ଜୁନ୍ରେ ହେବାକୁ ଥିବା G7 ସମ୍ମିଳନୀ ଉପରେ ରହିଛି । ଫ୍ରାନ୍ସ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରି ସାରିଥିବା ବେଳେ, ଟ୍ରମ୍ପଙ୍କ ଯୋଗଦାନ ନେଇ ଆନୁଷ୍ଠାନିକ ଘୋଷଣା ବାକି ଅଛି । ତେବେ ଉଭୟ ନେତାଙ୍କ ଏହି ସାକ୍ଷାତକାର ଭାରତ-ଆମେରିକା ସମ୍ପର୍କର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ... ଆମେରିକାକୁ ଇରାନ୍ କେଉଁ ଅଫର୍ ଦେଉଛି ? ଇସଲାମାବାଦରେ ଶାନ୍ତି ବୈଠକ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଦାବି