ମୋଦି-ମମତା ମୁକାବିଲା: ସାରଦା ମାମଲାରେ ପୁଲିସ ଓ ରାଜନେତାଙ୍କ ଲିଙ୍କ୍

source:http://post.jagran.com
ନୂଆଦିଲ୍ଲୀ,୫ ।୨(ଏଜେନ୍ସି): ବହୁକୋଟି ଟଙ୍କା ସାରଦା ଚିଟ୍ଫଣ୍ଡ ମାମଲାରେ ପଶ୍ଚିମବଙ୍ଗର ୨୫ରୁ ଅଧିକ ପୁଲିସ ଅଫିସର ଓ ବହୁ ରାଜନେତାଙ୍କ ନାମ ସାମ୍ନାକୁ ଆସିଛି । ସେଥିରୁ ସିବିଆଇ ଅନେକ ପୁଲିସ ଅଫିସରଙ୍କୁ ଜେରା କରିସାରିଥିବା ବେଳେ ଆଉ କିଛି ପୁଲିସ ଅଫିସର ଏବେ ଅବସର ନେବାକୁ ବସିଲେଣି । ତେଣୁ ସେମାନଙ୍କୁ ସିବିଆଇ ଏବେ ଜେରା କରିବାକୁ ଚାହୁଁଛି । ସେଥିପାଇଁ ସିବିଆଇ ପଶ୍ଚିମବଙ୍ଗ ପୁଲିସକୁ ୨୦ଥର ନୋଟିସ ଦେଇଛି ।
ପ୍ରଥମ ରାଉଣ୍ଡରେ ସିବିଆଇ ୨୦୧୭ ପେପ୍ଟେମ୍ବର ୧୫ରୁ ୧୮ ମଧ୍ୟରେ ତତ୍କାଳୀନ ଇନ୍ସପେକ୍ଟର ର୍ୟାଙ୍କ ଅଫିସର ଶଙ୍କର ଭଟ୍ଟାଚାର୍ଯ୍ୟ ଓ ଦିଲ୍ଲୀପ ହଜରାଙ୍କୁ ଜେରା କରିଥିଲା । ଏହି ଦୁଇଜଣଙ୍କୁ ଜେରା କରିବା ପରେ ସିବିଆଇ ୨୦୧୭ ଅକ୍ଟୋବର ୧୮ରେ ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ଲାଗି ନୋଟିସ ଦେଇଥିଲା ଓ ତାଙ୍କୁ ୧୯ରେ ହାଜର ହେବାକୁ କୁହାଯାଇଥିଲା । କୁମାର ଦର୍ଶାଇଥିଲେ ପାର୍ବଣ ଋତୁ ହେତୁ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବାରୁ ସେ ୧୯ ତାରିଖରେ ହାଜର ହୋଇପାରିବେ ନାହିଁ । ଅକ୍ଟୋବର ୨୩ରେ ସିବିଆଇ ଦ୍ୱିତୀୟ ନୋଟିସ ଦେଇ ତାଙ୍କୁ ୨୭ରେ ହାଜର ହେବାକୁ କହିଥିଲା । ମାତ୍ର ସେ ହଜାର ହୋଇ ନଥିଲେ । ବରଂ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ନିକଟକୁ ଚିଠି ଲେଖି ସିଆରପିସି ଧାରା ୧୬୦ରେ ତାଙ୍କୁ ଏଭଳି ନୋଟିସ ଜାରି କରାଯାଇପାରିବ ନାହିଁ ବୋଲି ଦର୍ଶାଇଥିଲେ । ସେ ଲେଖିଥିଲେ ତାଙ୍କୁ ପ୍ରଶ୍ନୋତ୍ତରୀ ପଠାଗଲେ ସେ ଉତ୍ତର ଲେଖିକି ଦେବେ । ଯଦି ସିବିଆଇ ଏଥିରେ ସନ୍ତୁଷ୍ଟ ନହେବ ତେବେ ସେ ହାଜର ହେବେ ।
ଏହା ପରେ ୮ମାସ ପର୍ଯ୍ୟନ୍ତ ସିବିଆଇ ପଶ୍ଚିମବଙ୍ଗ ପୁଲିସ ମଧ୍ୟରେ ଆଉ କୌଣସି ଯୋଗାଯୋଗ ହୋଇ ନଥିଲା । ୨୦୧୮ ଜୁନ୍ ୨୭ରେ ସିବିଆଇ ଅବସରପ୍ରାପ୍ତ ଇନ୍ସପେକ୍ଟର ଦେବବ୍ରତ ବାନାର୍ଜୀଙ୍କୁ ଅନ୍ୟ ଏକ ଚିଟ୍ଫଣ୍ଡ ମାମଲାରେ ଜୁଲାଇ ୩ରେ ହାଜର ହେବାକୁ ସମନ ଜାରି କରାଯାଇଥିଲା । ମାତ୍ର ସେ ଶାରୀରିକ ଅସୁସ୍ଥ ହେତୁ ହାଜର ହେବେ ନାହିଁ ବୋଲି ଦର୍ଶାଇ ତାଙ୍କ ପାଖକୁ ପ୍ରଶ୍ନୋତ୍ତରୀ ପଠାଇବାକୁ କହିଥିଲେ । ୨୦୧୮ ଜୁଲାଇ ୧୦ରେ ସିବିଆଇ ପଶ୍ଚିମବଙ୍ଗ ପୁଲିସକୁ ଚିଠି ଲେଖି ସାରଦା ମାମଲାରେ କୁମାରଙ୍କ ସମେତ ୧୦ ଜଣ ତଦନ୍ତକାରୀ ପୁଲିସ ଅଫିସରଙ୍କ ହାଜର ଚାହିଁଥିଲା । ଅଗଷ୍ଟ ୨୭ ଓ ୨୮ରେ ସେମାନଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା । ମାତ୍ର ସେମାନେ ହାଜର ହୋଇନଥିଲେ । ବରଂ ତା ପୂର୍ବରୁ ଅଗଷ୍ଟ ୨୩ରେ ସେମାନେ ପ୍ରଶ୍ନୋତ୍ତରୀ ପଠାଇବାକୁ ଚିଠି ଲେଖିଥିଲେ । ସେହିଭଳି ନଭେମ୍ବର ୩୦ରେ ସିବିଆଇ ୩ ଜଣ ପୁଲିସ ଅଫିସରଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା । ମାତ୍ର କେହି ହାଜର ହୋଇ ନଥିଲେ । ବରଂ ରାଜ୍ୟ ସରକାର ଏହା ବିରୋଧରେ କଲିକତା ହାଇକୋର୍ଟରେ ପିଟିସନ ଫାଇଲ କରି ସିବିଆଇ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏଭଳି କରୁଥିବା ଅଭିଯୋଗ କଲେ । ଡିସେମ୍ବର ୮ରେ ସିବିଆଇ କୁମାରଙ୍କୁ ନୋଟିସ ଜାରି କରି ସେହିମାସ ୧୮ରେ ହଜାର ହେବାକୁ କହିଥିଲା । ମାତ୍ର ସେ ହାଜର ହୋଇନ ଥିଲେ । ରାଜ୍ୟ ପୁଲିସ ଡିଜି ସିବିଆଇକୁ ଚିଠି ଲେଖି ପ୍ରଶ୍ନୋତ୍ତରୀ ପଠାଇବାକୁ କହିଥିଲେ । ଲଗାତାର ନୋଟିସ ପରେ କୁମାର ହାଜର ନହେବାରୁ ଗତ ରବିବାର ସିବିଆଇ ଅଧିକାରୀମାନେ ତାଙ୍କୁ ଗିରଫ କରିବା ପାଇଁ କୁମାରଙ୍କ ଘରେ ପହଞ୍ଚିବା ପରେ ବିବାଦର ସୂତ୍ରପାତ ହୋଇଥିଲା ।
ସେହିଭଳି ସାରଦା ଚିଟ୍ଫଣ୍ଡ ମାମଲାରେ ପୂର୍ବରୁ ଅନେକ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତାଙ୍କୁ ଗିରଫ କରାଯାଇଛି । ପ୍ରଥମେ ୨୦୧୩ ନଭେମ୍ବରରେ ୨୦୧୩ ଟିଏମ୍ସି ରାଜ୍ୟସଭା ସାଂସଦ ଗିରଫ ହୋଇଥିଲେ । ସେ ସାରଦା ମିଡିଆ ୟୁନିଟର ମୁଖ୍ୟ ଥିଲେ ଏବଂ ମାସିକ ୧୬ଲକ୍ଷ ଟଙ୍କା ଦରମା ନେଉଥିଲେ । ଏହା ପରେ ଦ୍ୱିତୀୟ ନେତା ଭାବେ ରାଜ୍ୟସଭା ସାଂସଦ ଶ୍ରୀଞ୍ଜୟ ବୋଷ ୨୦୧୪ ନଭେମ୍ବରରେ ଗିରଫ ହେଲେ । ସାରଦା ଗ୍ରୁପର ମୁଖ୍ୟ ସୁଦୀପ୍ତ ସେନଙ୍କ ଠାରୁ ସେ ବିପୁଳ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ୨୦୧୪ ଡିସେମ୍ବରରେ ସିବିଆଇ ମମତା ବାନାର୍ଜୀଙ୍କ ଖାସ୍ ଲୋକ ମଦନ ମିତ୍ରଙ୍କୁ ଗିରଫ କରିଥିଲା । ସେତେବେଳେ ସେ ମମତା ସରକାରଙ୍କ ପରିବହନ ମନ୍ତ୍ରୀ ଥିଲେ । ଏହା ପରେ ପୂର୍ବତନ ଡିଜିପି ରଜତ ମଜୁମଦାରଙ୍କୁ ଗିରଫ କରାଗଲା । ବର୍ତ୍ତମାନ ସେ ଟିଏମ୍ସିର ଉପସଭାପତି ଅଛନ୍ତି । ସେ ସାରଦା ଗ୍ରୁପର ନିରାପତ୍ତା ଅଧିକାରୀ ଭାବେ କାର୍ଯ୍ୟ କରି ମୋଟା ରକମର ଟଙ୍କା ନେଉଥିଲେ । ୨୦୧୬ରେ ମମତାଙ୍କ ଡାହାଣ ହାତ କୁହାଯାଉଥିବା ମୁକୁଲ ରୟଙ୍କୁ ମଧ୍ୟ ସିବିଆଇ ପଚରାଉଚୁରା କରିଥିଲା । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହେଲେ ।
ସଂସଦରେ ହଟ୍ଟଗୋଳ
ବିରୋଧୀ ଦଳଙ୍କ ବିରୋଧରେ ସରକାର ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପ୍ରସଙ୍ଗକୁ ନେଇ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । ଫଳରେ ଲୋକସଭା ଓ ରାଜ୍ୟସଭାରେ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଗୃହ ମୁଲତବୀ କରିବାକୁ ପଡିଛି । ଲୋକସଭାରେ ଗୃହ ଆରମ୍ଭ ହେବା ମାତ୍ରେ ତୃଣମୂଳ କଂଗ୍ରେସ ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ସେମାନଙ୍କ ସହିତ କଂଗ୍ରେସ, ଟିଡିପି, ଆରଜେଡି ଓ ସପା ସଦସ୍ୟମାନେ ସାମିଲ ହୋଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ଚାଲିପାରି ନଥିଲା । ରାଜ୍ୟସଭାରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା ।
ଶିବସେନାର ସମାଲୋଚନା
ସିବିଆଇ ବିବାଦରେ ପଶ୍ଚିମବଙ୍ଗ ସରକାରଙ୍କ ସହ କେନ୍ଦ୍ର ସରକାର ମୁହାଁମୁହିଁ ହେବାକୁ ଏନ୍ଡିଏର ସହଯୋଗୀ ଶିବସେନା କଡା ସମାଲୋଚନା କରିଛନ୍ତି । କହିଛି ଆଗାମୀ ଲୋକସଭା ନିର୍ବାଚନ ପାଇଁ କେବଳ ରାଜନୈତିକ ଫାଇଦା ପାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ମାମଲାରେ ହସ୍ତକ୍ଷେପ କରି ବିବାଦ ବଢ଼ାଇଛନ୍ତି । ଶିବସେନା ମୁଖପତ୍ର ‘ସାମ୍ନା’ରେ କୁହାଯାଇଛି ଯେ କୋଲକାତାରେ ଯାହା ଘଟିଛି ତାହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ଗଣତନ୍ତ୍ର ପ୍ରତି ଏହା ବିପଦ । କେନ୍ଦ୍ର ସରକାର ଯଦି ପୁଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତେବେ ଦୁଇମାସ ତଳୁ କରିପାରିଥାନ୍ତେ । ସେହିଭଳି ବିନା ନୋଟିସରେ ତାଙ୍କୁ ପଚରା ଉଚୁରା କରିବା ଲାଗି ସିବିଆଇ ପୁଲିସ କମିଶନରଙ୍କ ଘରକୁ ଯିବା ଆଦୌ ଠିକ୍ ନୁହେଁ ବୋଲି ଶିବସେନା ଉଲ୍ଲେଖ କରିଛି ।
ପୁଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ
ପୁଲିସ କମିଶନରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛି । ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଓ ସେବା ଆଇନର ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରଣାଳୟ ଦର୍ଶାଇଛି । ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ନିକଟକୁ ଚିଠି ଲେଖି ମନ୍ତ୍ରଣାଳୟ ଦର୍ଶାଇଛି ମୁଖ୍ୟମନ୍ତ୍ରୀ ଓ କିଛି ପୁଲିସ ଅଫିସରଙ୍କ ସହ କୋଲକାତାର ମେଟ୍ରୋ ଚାନେଲରେ ପୁଲିସ କମିଶନର ଧାରଣାରେ ବସିଥିବା ଖବର ମିଳିଛି । ଏହା ଏଆଇଏସ୍ (ଆଚରଣ) ଆଇନ ୧୯୬୮ ଓ ଏଆଇଏସ୍ (ଶୃଙ୍ଖଳା ଓ ଆବେଦନ) ଆଇନ ୧୯୬୯ ଆଇନର ଉଲ୍ଲଂଘନ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଅପରପକ୍ଷରେ ପୁଲିସ କମିଶନର ଧାରଣାରେ ବସିଥିବା ଖବରକୁ ମମତା ଖଣ୍ଡନ କରିଛନ୍ତି । କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ । ସେ ଆଦୌ ଧାରଣାସ୍ଥଳରେ ବସିନାହାନ୍ତି । ଏଠାରେ ସମସ୍ତେ ଅଛନ୍ତି । କିନ୍ତୁ କମିଶନର ନାହାନ୍ତି । ଯଦିଓ କମିଶନର ଏଠାକୁ ଆସିଥିବେ ତେବେ ଧାରଣା ପାଇଁ ନୁହେଁ, ରାଜନେତାଙ୍କ ସୁରକ୍ଷା ପାଇଁ ଆସିଥିବେ । ରାଜନେତାଙ୍କୁ ସୁରକ୍ଷା ଦେବା ଅଫିସରଙ୍କ କର୍ତ୍ତବ୍ୟ । ସେ ତାଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି ।
ତୃଣମୂଳ ଓ ବିଜେପି ଉଭୟେ କହିଲେ ଆମର ବିଜୟ
ସୁପ୍ରିମକୋର୍ଟଙ୍କ ରାୟ ପରେ ମମତା ଓ ବିଜେପି ଉଭୟେ ନିଜ ନିଜର ବିଜୟ ବୋଲି ଦାବି କରିଛନ୍ତି । ମମତା କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ । ଏହା ଆମର ନୈତିକ ବିଜୟ । ନ୍ୟାୟପାଳିକ ଓ ଅନ୍ୟ ସାମ୍ବିଧାନିକ ସଂସ୍ଥା ଉଭରେ ଆମର ଭରଷା ରହିଛି । ନ୍ୟାୟପାଳିକାକୁ ଆମେ କୃତଜ୍ଞତା ଜଣାଉଛୁ । ପୁଲିସ କମିଶନର ସିବିଆଇକୁ ତଦନ୍ତରେ ଅସହଯୋଗ କରିବା କଥା କହିନାହାନ୍ତି । ବରଂ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଛି । ବିନା ନୋଟିସରେ ରବିବାର ସିବିଆଇ ଗୋପନ ଅପରେସନରେ ତାଙ୍କ ଘରକୁ ଯାଇଥିଲା । କିନ୍ତ ତାଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ଏହି ରାୟ କାର୍ଯ୍ୟ କରିବା କ୍ଷେତ୍ରରେ ଅଫିସରଙ୍କ ମନୋବଳ ବୃଦ୍ଧି ପାଇବ । ଅପରପକ୍ଷରେ ବିଜେପି ନେତା ତଥା କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କୋର୍ଟଙ୍କ ରାୟ ସିବିଆଇର ସବୁଠାରୁ ବଡ ବିଜୟ । ଦୁର୍ନୀତି ବିରୋଧରେ ଚାଲିଥିବା ସଂଗ୍ରାମର ଏହା ବିଜୟ । ସିବିଆଇ ବର୍ତ୍ତମାନ ଅପରାଧର ମୂଳକୁ ଧରିବାରେ ସକ୍ଷମ ହୋଇପାରିବ । ପୁଲିସ କମିଶନର ସିବିଆଇକୁ ତଦନ୍ତରେ ସହଯୋଗ କରିବେ । ସିବିଆଇ ନିକଟରେ ହାଜର ହୋଇ ନିଜର ବୟାନ ଦେବେ । ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ।