ନୂଆଦିଲ୍ଲୀ,୦୫/୧୦: ପ୍ରତୀକ୍ଷାର ଅନ୍ତ ଘଟିଛି । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା କରାଯାଇଛି । ୧୫ଜଣିଆ ଦିନିକିଆ ଦଳ କିଛି ମାତ୍ରାରେ କ୍ରିକେଟ୍‌ ପ୍ରେମୀଙ୍କୁ ଖୁସି କରିଥିବାବେଳେ ଆଉ କିଛି ଘଟଣା ମର୍ମାହତ କରିଛି । ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ଦଳରେ ସ୍ଥାନ ପାଇବା ଫଳରେ ସମଗ୍ର ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ି ଯାଇଛି । ମାତ୍ର ରୋହିତଙ୍କ ଠାରୁ ନେତୃତ୍ୱ ଛଡ଼ାଇ ନିଆଯିବା ଖବର ନିରାଶ କରିଛି । ଶୁଭମନ ଗିଲ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟତମ ଅଭିଜ୍ଞ ତଥା ସଫଳ ବ୍ୟାଟର ଶ୍ରେୟାସ ଆୟରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ରୋହିତଙ୍କଟୁ କ୍ୟାପ୍ଟେନ୍ସି ଛଡାଇ ଶୁଭମନଙ୍କୁ ଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ କୈଫ ।

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପୂର୍ବ କ୍ରିକେଟର ମହମ୍ମଦ କୈଫ କହିଛନ୍ତି,'' ରୋହିତ ଶର୍ମା ଭାରତକୁ ୧୬ ବର୍ଷ ଦେଇଛନ୍ତି । କ୍ୟାପ୍ଟେନ ହିସାବରେ ତାଙ୍କୁ ଆମେ ଗୋଟିଏ ବି ବର୍ଷ ଦେଇପାରିଲୁ ନାହିଁ । ଅଧିନାୟକ ଭାବରେ, ସେ ୧୬ ଆଇସିସି ଇଭେଣ୍ଟ ମଧ୍ୟରୁ ୧୫ଟି ଜିତିଛନ୍ତି। ସେ କେବଳ ଗୋଟିଏ ମ୍ୟାଚ୍ ହାରିଥିଲେ, ଯାହା ୨୦୨୩ ଦିନିକିଆ ବିଶ୍ୱକପ୍ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ଥିଲା । ସେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଥିଲେ । ଟ୍ରଫି ଜିତିଥିଲେ । ଭାରତ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ଏହାପରେ ସେ ବଡ଼ପଣ ଦେଖାଇ ନୂଆ ପ୍ଲେୟାରଙ୍କୁ ସୁଯୋଗ ଦେବାକୁ ଅବସର ନେଇଥିଲେ ।''

ମହମ୍ମଦ କୈଫ ଆହୁରି କହିଛନ୍ତି, ''ହିନ୍ଦୁସ୍ଥାନରେ ଏକ ଉଦାହରଣ ଅଛି ଯେ ପର୍ଯ୍ୟନ୍ତ ତୁମର ସମୟ ଚାଲିଛି ଦବଦବା ଦେଖାଅ ହେଲେ ରୋହିତ ସେପରି କଲେ ନାହିଁ । ସେ ପ୍ଲେୟାର ତିଆରି କରିଛନ୍ତି, ସେମାନଙ୍କୁ ଶିଖାଇଛନ୍ତି । ଅଣ୍ଡର ପ୍ରେସରରେ କିପରି ଖେଳିବ ଶିଖାଇଛନ୍ତି ହେଲେ ଆମେ ତାଙ୍କୁ ଗୋଟିଏ ବର୍ଷ ୨୦୨୭ ବିଶ୍ୱକପରେ ଅଧିନାୟତ୍ୱ କରିବାକୁ ଦେଲୁନାହିଁ । ଯେଉଁ ଅଧିନାୟକ ଆମକୁ ୮ମାସରେ ୨ଟି ଆଇସିସି ଟ୍ରଫି ଦେଇଛନ୍ତି ତାଙ୍କ ସ୍ଥାନରେ ଶୁମନ ଗିଲ ନେତୃତ୍ୱ ନେବେ । ଗିଲ୍ ୟଙ୍ଗ, ନୂଆ, ଭଲ ନେତୃତ୍ୱ ନେଇପାରିବେ ହେଲେ ସବୁ ଜିନିଷରେ ତରବରିଆ କାହିଁକି ? ଛପର ଫାଡିକି ଦେବାର ଆବଶ୍ୟକତା କାହିଁକି ? ତାଙ୍କ ସମୟ ଆସିବ ହେଲେ ବର୍ତ୍ତମାନ ରୋହିତଙ୍କ ସମୟ ଥିଲା ।