ଭୁବନେଶ୍ୱର, ୦୨/୦୬: ଆସନ୍ତା  ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମଯୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୁଧବାର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ମିଟିଂରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ସଭାରେ ଯୋଗଦେଉଥିବା ସାଧାରଣ ଲୋକଙ୍କ ପାଇଁ ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ତେଣୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ଗୁରୁତ୍ୱ ପ୍ରକାଶ କରିଛନ୍ତି ମୋହନ ମାଝୀ । ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଓଡିଶା ପାଇଁ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ଅଧିକ ପଢ଼ନ୍ତୁ- President Visits: ଜୁନ୍ ୧୯ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ