ତେହରାନ/ୱାଶିଂଟନ ଡିସି, ୦୧/୦୫ : କୌଣସି ପରିସ୍ଥିତିରେ ପରମାଣୁ କାର୍ଯ୍ୟକ୍ରମରୁ ଓହରିବାର ପ୍ରଶ୍ନ ଉଠୁନାହିଁ । ‘ପରମାଣୁ ଓ ମିସାଇଲ କ୍ଷମତା’ ଆମ ଦେଶର ସମ୍ପତ୍ତି । ପରିସ୍ଥିତି ଯାହା ହେଉ ନା କାହିଁକି ଏହାର ସୁରକ୍ଷା କରିବୁ । ଇରାନର ସୁପ୍ରିମ ଲିଡର ମୋଜତବା ଖାମେନେଇ ଗୁରୁବାର ଆମେରିକାକୁ ଏଭଳି ହୁଙ୍କାର ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ଇରାନକୁ ଧମକ ଦେଉଥିବାରୁ ମୋଜତବା ତାହାର କଡ଼ା ଜବାବ ଦେଇଛନ୍ତି । ତାଙ୍କ ତରଫରୁ ଏକ ଲିଖିତ ବୟାନ ଜାରି ହୋଇଛି, ଯାହାକୁ ଦେଶର ସରକାରୀ ଟିଭି ଚ୍ୟାନେଲ୍‌ରେ ପଢ଼ି ଶୁଣାଯାଇଛି । ମୋଜତବା ଦେଶବାସୀଙ୍କୁ ବି ଧୈର୍ଯ୍ୟ ଓ ସାହସ ରଖି ପରିସ୍ଥିତିର ମୁକାବିଲା ଲାଗି ଆହ୍ୱାନ ଦେଇଛନ୍ତି ।

ମୋଜତବା କହିଛନ୍ତି, ଏବେ ଉପସାଗର ଅଞ୍ଚଳର ସୁରକ୍ଷା ଇରାନ ନିଜେ କରିବ । ଏହି ସାମୁଦ୍ରିକ ରାସ୍ତାରେ ଶତ୍ରୁଙ୍କର କୌଣସି ମନମୁଖି କାର୍ଯ୍ୟ କିମ୍ବା ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ପାରସ୍ୟ ଉପସାଗରରେ କୌଣସି ପ୍ରକାର ହରକତ ଲାଗି ସ୍ଥାନ ନାହିଁ । ଯେ କେହି ବି ଏଠାକୁ ଆସିବାକୁ ଉଦ୍ୟମ କଲେ, ସମୁଦ୍ରର ଅତଳ ଗଭୀରତାରେ ପୋତି ଦିଆଯିବ । ହୋର୍ମୁଜ ପ୍ରଣାଳୀକୁ ନେଇ ମଧ୍ୟ ଇରାନୀ ସୁପ୍ରିମ ଲିଡର ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଏବେ ଏହି ପ୍ରଣାଳୀରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି, ଯାହା ଆଗକୁ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ଆର୍ଥିକ ବିକାଶ ଆଣିବ । ଟ୍ରମ୍ପ୍‌ଙ୍କ ଧମକର ଜବାବ ଦେଇ ମୋଜତବା କହିଛନ୍ତି, ତମାମ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସାମରିକ ଘାଟି ଦୁର୍ବଳ ହୋଇଯାଇଛି । ସେମାନେ ଏବେ ନିଜ ସୁରକ୍ଷା କରିବାକୁ ଅସମର୍ଥ । କିନ୍ତୁ ଏହି ଅଞ୍ଚଳରେ ସେମାନେ ଅନ୍ୟ ଦେଶକୁ ସୁରକ୍ଷା ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ଆମେରିକା ଏଭଳି ପ୍ରତିଶ୍ରୁତି ଦେବାର ଦାବି କିଭଳି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସୁପ୍ରିମ ଲିଡରଙ୍କର ଏହି ବୟାନ ଏଭଳି ସମୟରେ ଆସିଛି, ଯେବେ କି ନାକାବନ୍ଦୀ ହଟାଇବା ପାଇଁ ଇରାନର ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଅଗ୍ରାହ୍ୟ କରିଦେଇଛନ୍ତି ।

ଇରାନ ସର୍ତ୍ତ ରଖିଥିଲା କି ହୋର୍ମୁଜରେ ଯେ ପର୍ଯ୍ୟନ୍ତ ଆମେରିକୀୟ ନୌସେନାର ନାକାବନ୍ଦୀ ଜାରି ରହିଛି, ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇପାରିବ ନାହିଁ । ଏମିତି କି ହୋର୍ମୁଜ ଖୋଲିବାକୁ ପ୍ରସ୍ତାବ ଦେଇଥିଲା ବି ଇରାନ । ଆମେରିକା ଏଥିରେ ବି ରାଜି ହୋଇ ନ ଥିଲା । ଇରାନ ସୁପ୍ରିମ ଲିଡରଙ୍କ ବୟାନ ପୁନର୍ବାର ଟିଭିରେ ପଢ଼ାଯିବାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ରିପୋର୍ଟ ମୁତାବକ, ସୁପ୍ରିମ ଲିଡର ହେବା ପରେ ମୋଜତବାଙ୍କୁ ଅଦ୍ୟାବଧି ସାର୍ବଜନୀନ ଭାବେ ଦେଖିବାକୁ ମିଳିନାହିଁ । ତାଙ୍କର କୌଣସି ଭିଡିଓ କିମ୍ବା ଅଡିଓ ବାର୍ତ୍ତା ବି ଜାରି ହୋଇନାହିଁ । ତାଙ୍କର ବୟାନ ସବୁବେଳେ ଲିଖିତ ଆକାରରେ ରହିଛି, ଯାହାକୁ ସରକାରୀ ଟିଭିରେ ପଢ଼ି ଶୁଣାଯାଉଛି । ଇରାନର ଲୋକମାନେ ଭାବୁଛନ୍ତି ଯେ ସୁରକ୍ଷା ଦୃଷ୍ଟିକୋଣରୁ ମୋଜତବାଙ୍କୁ ସାମ୍ନାକୁ ଅଣାଯାଉ ନାହିଁ ।

ଆମେରିକା ଓ ଇସ୍ରାଏଲ୍‌ ତରଫରୁ ‘ପ୍ରମୁଖ ନେତାଙ୍କୁ ଟାର୍ଗେଟ୍‌ କରାଯିବା ନୀତି’କୁ ବିପଜ୍ଜନକ ମନେ କରାଯାଉଛି । ତେଣୁ ତାଙ୍କର ସୁରକ୍ଷା ବଢ଼ାଯାଇଛି । ତା’ଛଡ଼ା ଯୁଦ୍ଧ ଆରମ୍ଭରୁ ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ସମେତ ଅନେକ ବଡ଼ ନେତାଙ୍କ ମୃତ୍ୟୁ ହୋଇସାରିଲାଣି । ମୋଜତବାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ଏବଂ ସେ କୋମାରେ ଥିବା ନେଇ ଆମେରିକା ଦାବି କରୁଛି । ଏମିତି କି ତାଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ ଅନେକ ରିପୋର୍ଟରେ ଦାବି କରାଯାଇଛି । କିନ୍ତୁ ଇରାନ ଏଭଳି ରିପୋର୍ଟ ସବୁକୁ ଖଣ୍ଡନ କରିଦେଇଛି । ମୋଜତବା ଏକଦମ୍‌ ସୁସ୍ଥ ଓ ଜୀବିତ ଅଛନ୍ତି । ସେ ପ୍ରତିଦିନ ନିଜ ଦାୟିତ୍ୱ ନିର୍ବାହ କରୁଥିବା କୁହାଯାଇଛ।

ଏହି ଖବରଟିକୁ ପଢନ୍ତୁଆମେରିକା କମ୍ପାନିରେ ଭାରତୀୟ ଯୁବକଙ୍କୁ ଯୌନ ନିର୍ଯାତନା, ନିଶା ଦୁଷ୍କର୍ମ କରୁଥିଲେ ମହିଳା ବସ୍