ଏଇ କିଛିଦିନ ତଳେ ମୁଁ ମୋ ଅଜାଙ୍କ ସାଙ୍ଗରେ ବସି ଗପସପ ହେଉଥାଏ । ଏମିତି ଗପୁ ଗପୁ ସେ ନିଜ ଚାକିରି ଜୀବନ ଆରମ୍ଭକୁ ଚାଲିଗଲେ । କହିଲେ କେମିତି କେତେ କମ୍ ଦରମାରେ ନିଜ ପରିବାର, ବନ୍ଧୁବାନ୍ଧବ, ଆଉ ଏମିତିକି ଗାଁ ଲୋକଙ୍କ କଥା ମଧ୍ୟ ତୁଲାଇବାକୁ ପଡୁଥିଲା । ବାରଅଣା, ଚାରଣାରେ କେମିତି କେତେ ଜିନିଷ କିଣାଯାଇ ପାରୁଥିଲା । ଟଙ୍କାଏରେ ଗୋଟେ କିଲୋ ଖାସୀମାଂସ ମଣିଷ ସେତେବେଳେ ଖାଇପାରୁଥିଲା । ଆଉ ଆଜି, ଖାସୀମାଂସ କିଲୋ ୮୦୦ ଟଙ୍କା! ଶହେ- ଦୁଇଶହ ଟଙ୍କା ଦରମାରେ ଘର ଚଳାଇବା, ପିଲାଙ୍କ ପାଠପଢ଼ା, ଭଲ ଖାଇବା, ପର୍ବପର୍ବାଣୀ ପାଳନ ସମେତ କେତେ କ'ଣ କାମ ହୋଇପାରୁଥିଲା । ହେଲେ, ଆଜିକା ସମୟରେ ଦରମା ଯେତେହେଲେ ବି ତାହାର ମୂଲ୍ୟ ଅତି କମ୍! ବ୍ୟାଗ୍ରେ ପଇସା ନେଇ ଗଲେ ପକେଟ୍ରେ ଜିନିଷ ଆସୁଛି । ଆଜିକା ଯୁବପିଢ଼ି ବେଶି ବେଶି ଦରମା ଲୋଭରେ ଆଜି ଏଇ ଚାକିରି, କାଲି ସେଇ ଚାକିରି ବଦଳାଉଛନ୍ତି । ଆଜି ଏ ଜାଗା, ତ କାଲି ସେ ଜାଗା । ପରିବାର, ଘର-ସଂସାରରେ ସ୍ଥାୟିତ୍ୱ ରହୁନାହିଁ ।
ଆଜିକାଲି କିଛି ଯୁବ ଚାକିରିଆମାନେ ଅଳ୍ପ ଦିନରେ ବହୁତ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଅନୈତିକ କାର୍ଯ୍ୟରେ ମଧ୍ୟ ଲିପ୍ତ ହେଉଛନ୍ତି, ଯାହାଙ୍କ ମଧ୍ୟରୁ ଅତି ପ୍ରଚଳିତ ହେଲା ଲାଞ୍ଚ ନେବା ଓ ଚୋରି କରିବା । ନା ତ ଶିକ୍ଷାର ମୂଲ୍ୟ ରଖୁଛନ୍ତି, ନା ତ ବାପା ମା'ଙ୍କ ମାନସମ୍ମାନର ମୂଲ୍ୟ ବୁଝୁଛନ୍ତି, ନା' ତ ପାଇଥିବା ଚାକିରିର ମର୍ଯ୍ୟାଦା ରଖୁଛନ୍ତି । ଏତେ ରୋଜଗାର କରି ଲାଭ କ'ଣ, ଯଦି ସେଥିରେ କିଛି ପ୍ରାପ୍ତ କରିହେବନାହିଁ । ଯଦି ଚୋରି କରି ଧନ ଉପାର୍ଜନ କରିବାର ହିଁ ଥିଲା, ତେବେ ଏତେ ଶିକ୍ଷା କାହିଁକି, ଚାକିରି ଖଣ୍ଡେ ପାଇବାକୁ ଏତେ କଷ୍ଟ କାହିଁକି, ଲୋକଦେଖାଣିଆ ସମ୍ମାନ ପାଇବାକୁ ଏତେ ସଂଘର୍ଷ କାହିଁକି? ଚୋରର କୌଣସି, ଶିକ୍ଷା, ଦୀକ୍ଷା, ମାନସମ୍ମାନ, ମହତ, ଲୋଡ଼ା ନଥାଏ । ତାକୁ ଲୋଡ଼ା ଥାଏ କେବଳ ଧନ, ଦୌଲତ, ଟଙ୍କା, ପଇସା! ସେଦିନ ଅଜାଙ୍କ କଥା ମନକୁ ବହୁତ ପାଇଥିଲା ଓ ପରବର୍ତ୍ତୀ ସମୟରେ ଆନ୍ଦୋଳିତ ମଧ୍ୟ କରିଥିଲା । ସତରେ ଟଙ୍କା ପଇସାର ମୂଲ୍ୟ ଦିନକୁ ଦିନ ବଢୁଛି ନା କମୁଛି? ଯଦି ଏହି ପ୍ରଶ୍ନର ପ୍ରକୃତ ବ୍ୟାଖ୍ୟା କରାଯାଏ, ତେବେ ଅର୍ଥନୀତିର ଏକ ବହି ଲେଖି ହୋଇଯିବ । ସାଧାରଣ ଭାବରେ ଯଦି ଅନୁଧ୍ୟାନ କରାଯାଏ, ତେବେ ପୃଥିବୀର ସବୁଠୁ ଶସ୍ତା ଜିନିଷ ହେଲା ଟଙ୍କା, ପଇସା, ଧନ, ଦୌଲତ, ଯାହା ପାଇଁ ସାରା ଦୁନିଆ ଆଜି ପାଗଳ । ଅର୍ଥନୀତିରେ ଏକ ଚିତ୍ତାକର୍ଷକ ବିଷୟ ଅଛି "ଜଳ-ହୀରା ବୈପରୀତ୍ୟ’ ((The Water-Diamond Paradox) ଯାହା ବ୍ୟାଖ୍ୟା କରେ, ଯେହେତୁ ଜଳ ଅତି ସହଜରେ, ସବୁଠି ଉପଲବ୍ଧ, ସେଥିପାଇଁ ତାହାର ମୂଲ୍ୟ ଅତି ସାମାନ୍ୟ । ବଦଳରେ ହୀରା ଯେହେତୁ ଯଥେଷ୍ଟ ମାତ୍ରାରେ ସହଜରେ ଉପଲବ୍ଧ ହୁଏନାହିଁ, ହୀରାର ମୂଲ୍ୟ ଅତି ବେଶି । ଯଦିଓ ଜୀବନରକ୍ଷା ଲାଗି ଜଳ ଆବଶ୍ୟକ, ହୀରା ନୁହେଁ, ହେଲେ ମଧ୍ୟ ଜଳର ମୂଲ୍ୟ ଅତି କମ୍ ।
ଏଇଠି ପ୍ରଶ୍ନ ଯେ, ଜୀବନ ଲାଗି ଜଳ ବେଶି ଦରକାର ନା ହୀରା? ତାହା ସହିତ ଜଳ ଭଳି ଟଙ୍କା ମଧ୍ୟ ସର୍ବବିଦ୍ୟମାନ, ସହଜରେ ଘରେ ଘରେ ଉପଲବ୍ଧ, ସେ ଧନୀ ହେଉ ବା ଗରିବ । ତେବେ ଆଉ ଏକ ପ୍ରଶ୍ନ ଯେ, ଧନ-ଦୌଲତର ମୂଲ୍ୟ ଜଳ ଭଳି ନା ହୀରା ଭଳି? ଯଦି ଟଙ୍କା-ପଇସା-ଧନ-ଦୌଲତର ମୂଲ୍ୟ ହୀରା ଭଳି, ତେବେ ତାହା ଦର୍ଶାଏ ଯେ ଏହା ଜୀବନରକ୍ଷା ଲାଗି ଏତେ ଜରୁରି ନୁହେଁ । ଏହା ବିନା ଜୀବନ ଅସମ୍ଭବ ନୁହଁ । ଆଉ ଯଦି ଟଙ୍କା- ପଇସା-ଧନ-ଦୌଲତର ମୂଲ୍ୟ ଜଳ ଭଳି, ତେବେ ଏହା ମଧ୍ୟ ପ୍ରମାଣିତ ଯେ ତାହା ଅତି ଶସ୍ତା । ଏବେ ଆପଣମାନେ ବିଚାର କରନ୍ତୁ, ଧନ ଦୌଲତ ଶସ୍ତା ନା ମହଙ୍ଗା? ଯଦି କେହି ଏହି ଦୁନିଆରେ ସବୁଠାରୁ ଶସ୍ତା ଜିନିଷ ଖୋଜିବାକୁ ବାହାରେ, ତେବେ ଏହା ସ୍ୱାଭାବିକ ଯେ, ଜଣେ ନଗଣ୍ୟ ମୂଲ୍ୟର ଜିନିଷ ଆଡ଼କୁ ଚାହିଁବ, ଯେପରିମାଟି, ବାଲି, ପାଣି କିମ୍ବା ବାୟୁ । କିନ୍ତୁ ସେଇ ପରିପ୍ରେକ୍ଷୀରେ ଯଦି ବିଶ୍ୱର ସବୁଠାରୁ ମୂଲ୍ୟବାନ ଜିନିଷ କ'ଣ ବୋଲି ପଚରାଯାଏ, ତେବେ ବହୁ ମାତ୍ରାରେ ଉତ୍ତର ମିଳିବ ଯେ ଟଙ୍କା, ପଇସା ବା ଅର୍ଥ । କିନ୍ତୁ କ'ଣ ଏହା ସତ୍ୟ? ଟଙ୍କା ପଇସା ଜମି କିଣିପାରିବ, କିନ୍ତୁ ଉର୍ବରତା ନୁହେଁ ଔଷଧ କିଣିପାରିବ, କିନ୍ତୁ ସ୍ୱାସ୍ଥ୍ୟ ନୁହେଁ ଶିକ୍ଷାକୁ ପାଣ୍ଠି ଯୋଗାଇପାରିବ, କିନ୍ତୁ ଜ୍ଞାନ ନୁହେଁ । ତେବେ ବି ଆମେ ଟଙ୍କା ପଇସାକୁ ବହୁମୂଲ୍ୟ ଭାବୁଛନ୍ତି । ଜୋର ଭୋକ କରୁଥିବାବେଳେ ଯଦି ସାମ୍ନାରେ ଖାଦ୍ୟ ଓ କିଛି ଟଙ୍କା ରଖିଦିଆଯାଏ, ତେବେ ଭୋକିଲା ମଣିଷ ନିଜ ଭୋକ ଦୂର କରିବାକୁ ଟଙ୍କାକୁ ଚୟନ କରିବ । ଗୋଟେ ଅଶିକ୍ଷିତ ସାମ୍ନାରେ ଶିକ୍ଷା ଓ ଚାକିରି ରଖାଗଲେ ସେ ଚାକିରିକୁ ଚୟନ କରିବ, ଯାହା ତାକୁ ଅର୍ଥ ଯୋଗାଇବ ସତ, ହେଲେ ଅର୍ଥ ଉପାର୍ଜନ କରାଇବାର ପନ୍ଥା ଦେଖାଇ ପାରିବନାହିଁ, କାରଣ ଅର୍ଥ ଉପାର୍ଜନ ଲାଗି ଶିକ୍ଷା ଆବଶ୍ୟକ, ଯାହା ତା'ର ଲୋଡ଼ା ନାହିଁ । ଆମେ ଧନଦୌଲତର ଜାକଜକମରେ ଆଜି ଏତେ ବାୟା ଯେ, ଧନ ମିଳିବା ଓ ଧନ ଉପାର୍ଜନ କରିବା ଭିତରର ପାର୍ଥକ୍ୟକୁ ଭୁଲି ସାରିଲେଣି ।
ଧନ ଲାଳସାରେ ମଣିଷ ଧୀରେ ଧୀରେ ଏତେ ଦରିଦ୍ର ହୋଇଗଲାଣି ଯେ, ଦାରିଦ୍ର୍ୟତା ଏକ ପଞ୍ଜୁରୀ ହୋଇଗଲାଣି ଓ ପଞ୍ଜୁରୀ ଭିତରେ ଆଜି ଦରିଦ୍ର ମଣିଷ । ପଞ୍ଜୁରୀ ବାହାରେ, ହାତପାଆନ୍ତାରେ ପଡିଛି ପଞ୍ଜୁରୀର ଚାବିକାଠି ଓ କିଛି ମାଗଣା ଧନ । ଧନଲୋଭରେ ଅନ୍ଧମଣିଷ ପଞ୍ଜୁରୀର ଚାବିକାଠି ଆଣି ଦାରିଦ୍ର୍ୟତାକୁ ନଫିଟାଇ, ହାତ ଗଳାଇ ମାଗଣା ଧନ ନେଇ ପଞ୍ଜୁରୀ ଭିତରେ ସନ୍ତୁଷ୍ଟ । ମୂଷା ଏଥିପାଇଁ ଯନ୍ତାରେ ପଡ଼ିଯାଏ, କାହିଁକି ନା ସେ ବୁଝିପାରେନାହିଁ ଯେ ମାଗଣାରେ ଦିଆଯାଇଥିବା ଖାଦ୍ୟ ତାକୁ ଫସେଇବା ପାଇଁ ରଖାଯାଇଛି । ଏଠି ମୂଷା କିଏ ଓ ଯନ୍ତା କିଏ ତାହା ସ୍ପଷ୍ଟ । ଟଙ୍କା ପଇସା ଏକ ଲୋଭ, ଯାହାକୁ ମେଣ୍ଟାଇବା କେତେ ସମ୍ଭବ ଆପଣ ବିଚାର କରନ୍ତୁ । ଅର୍ଥ ବା ପଇସାକୁ ଶସ୍ତା କହିବାର ଅର୍ଥ ହେଉଛି ଏହାକୁ ଏହାର ଭବ୍ୟତାର ଭ୍ରମରୁ ମୁକ୍ତ କରାଇବା ଓ ସ୍ୱୀକାର କରିବା ଯେ ଜୀବନର ପ୍ରକୃତ ଧନ ଯେଉଁଠାରେ ଆରମ୍ଭ ହୁଏ, ଅର୍ଥର ଶାସନ ସେଇଠି ଶେଷ ହୋଇଯାଏ । ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଇତିହାସ, ଅର୍ଥର ପ୍ରକୃତ ମୂଲ୍ୟକୁ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରେ । ଏକଦା ବିଜୟ ପାଇଁ ଧନ ଖର୍ଚ୍ଚ କରିଥିବା ପରାକ୍ରମୀ ସମ୍ରାଟ ଅଶୋକ ବହୁତ ବିଳମ୍ବରେ ଜାଣିବାକୁ ପାଇଲେ ଯେ ଧନ ଏବଂ ରକ୍ତପାତ ତାଙ୍କୁ ପ୍ରକୃତ ଶାନ୍ତି ଦେଇପାରିବନାହିଁ, ବରଂ ତ୍ୟାଗ, ସମର୍ପଣ ହିଁ ଚିରସ୍ଥାୟୀ, ଯାହା ତାଙ୍କୁ ଗୌରବର ମୁକୁଟ ପିନ୍ଧାଇଥିଲା । ସେହିପରି, ଭ୍ରମଣରତ ସନ୍ଥ-କବୀର, ନାନକ, ମୀରାବାଈ ଦୁନିଆକୁ ଏହା ପ୍ରମାଣ ଦିଅନ୍ତି ଯେ ଟଙ୍କା-ପଇସାହୀନ ଗରିବମାନେ ରାଜାଙ୍କ ଅପେକ୍ଷା ଆତ୍ମାରେ ଅଧିକ ଧନୀ । ବଜାରରେ ଟଙ୍କା ମୂଲ୍ୟବାନ ହୋଇପାରେ, କିନ୍ତୁ ଧର୍ମ ଏବଂ ମାନବତାର କ୍ଷେତ୍ରରେ ଏହା ଧୂଳି ସମାନ । ଆଧୁନିକ ଭାରତରେ ଏହି ସତ୍ୟ କେବଳ ଦର୍ଶନ ମାଧ୍ୟମରେ ନୁହେଁ ବରଂ ସମାଜର ସ୍ପଷ୍ଟ ବୈପରୀତ୍ୟ ମାଧ୍ୟମରେ ଉଭା । ବେଙ୍ଗାଲୁରୁର ଆଇଟି ପ୍ରଫେସନାଲ୍, ଭୁବନେଶ୍ୱରର ରାସ୍ତାକଡ଼ ବିକ୍ରେତା, ସୁରଟର ପ୍ରବାସୀ ଶ୍ରମିକ ଏବଂ ପଞ୍ଜାବର କୃଷକ, ସମସ୍ତେ ଟଙ୍କା ବା ଅର୍ଥ ପରିଚାଳନା କରନ୍ତି, କିନ୍ତୁ ଭିନ୍ନ ଭିନ୍ନ ଉପାୟରେ । ଆଜି ଟଙ୍କା ରୋଜଗାର କରିବା ପୂର୍ବ ଅପେକ୍ଷା ସହଜ ହୋଇଯାଇଛି ।
ଡିଜିଟାଲ୍ ପ୍ଲାଟଫର୍ମ ଠାରୁ ଆରମ୍ଭ କରି ଗିଗ୍ ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ, ଆତ୍ମନିଯୁକ୍ତି ଠାରୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ, ଅନେକ ସୁଯୋଗ ରହିଛି । ଯୁବକମାନେ ଆଜି ଷ୍ଟାର୍ଟ- ଅପ୍ ସୃଷ୍ଟି କରିପାରୁଛନ୍ତି, ଜଣେ ଗ୍ରାମୀଣ କାରିଗର ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବ୍ୟାପୀ ହସ୍ତଶିଳ୍ପ ବିକ୍ରି କରିପାରୁଛି, ଏପରିକି ଅସ୍ଥାୟୀ ଶ୍ରମିକମାନେ ମଧ୍ୟ ଭାରତର ବ୍ୟାପକ ନିର୍ମାଣ ଏବଂ ସେବା କ୍ଷେତ୍ର ମାଧ୍ୟମରେ ମଜୁରି ସୁଯୋଗ ପାଇପାରୁଛନ୍ତି । କହିବାକୁ ଗଲେ, ଆଜିକାଲି ପଇସା ଉଡୁଛି, କେବଳ ତାକୁ ଧରିବାର ଅଛି ଓ ତାହା ପାଇଁ ଆବଶ୍ୟକ ଧରିବାର କୌଶଳ । ଉଡୁଥିବା ଜିନିଷ କାହାରି ନୁହେଁ, ଯାହା ହାତକୁ ଗଲା ତାହାର ପୋଷା ହୋଇ ରହିବ । ଏବେ କୁହନ୍ତୁ, ଟଙ୍କା-ପଇସା ଶସ୍ତା ନା ବହୁମୂଲ୍ୟ? ଗୁରୁତ୍ୱପୂର୍ଣ୍ଣ, ଟଙ୍କା ରୋଜଗାର କରିବାରେ ନୁହେଁ, ବରଂ ଏହାକୁ କେଉଁ ମାନସିକତା ସହିତ ବ୍ୟବହାର କରାଯାଏ ତାହା ଉପରେ ନିର୍ଭର କରେ । ଟଙ୍କାର ଅଭାବ କେବେ ନଥାଏ । ଯଦି ଅଭାବ ଥାଏ ତେବେ ଜଣଙ୍କର ଇଚ୍ଛାଶକ୍ତି, ସୃଜନଶୀଳତା ଏବଂ ସୁଯୋଗର ଅଭାବ । ଶ୍ରମ, ପ୍ରୟାସ ଏବଂ ଇଚ୍ଛାଶକ୍ତି ଦ୍ୱାରା, ଅର୍ଥ ସର୍ବଦା ହାସଲ କରାଯାଇପାରିବ, କିନ୍ତୁ ଅର୍ଥ ଭଳି ସମ୍ମାନ ସୃଷ୍ଟି କରାଯାଇପାରିବ ନାହିଁ । ଜ୍ଞାନ କ୍ରୟ କରାଯାଇପାରିବ ନାହିଁ, ଅନୁଗ୍ରହର ଅନୁକରଣ କରାଯାଇପାରିବ ନାହିଁ ଏବଂ ଅନୁଭୂତିକୁ ଗଢ଼ାଯାଇପାରିବ ନାହିଁ । ସ୍ଥାୟୀ ନାମ ଅର୍ଜନ କରିବା, ପ୍ରେରଣା ଦେଉଥିବା ଖ୍ୟାତି ଅର୍ଜନ କରିବା, ମାର୍ଗଦର୍ଶନ କରୁଥିବା ଜ୍ଞାନ ଏବଂ ଚରିତ୍ରକୁ ରୂପ ଦେଉଥିବା ଅନୁଭବ ହାସଲ କରିବା ହେଉଛି ଜୀବନଭରିର ଶ୍ରମ । ତେଣୁ, ସମ୍ମାନ, ଅଭିଜ୍ଞତା ଏବଂ ଜ୍ଞାନ ଅର୍ଜନ କରିବାର କଠିନ ଯାତ୍ରା ତୁଳନାରେ, ଅର୍ଥ ଦୁନିଆର ସବୁଠାରୁ ଶସ୍ତା ଜିନିଷ ପରି ଜଣାପଡ଼େ, କାରଣ ଏହା ଜୀବନର ପ୍ରକୃତ ମୂଲ୍ୟକୁ ବ୍ୟାଖ୍ୟା କରୁଥିବା ଅମୂଲ୍ୟ ଗୁଣ ଅପେକ୍ଷା ବହୁତ କମ୍ ସଂଘର୍ଷରେ ଅର୍ଜନ ଏବଂ ବହୁଗୁଣିତ ହୋଇପାରିବ ।
ଟଙ୍କା ଶସ୍ତା, କାରଣ ଏହା ସବୁଠି ଅଛି- ବ୍ୟବସ୍ଥା ଏବଂ ଅର୍ଥନୀତି ମାଧ୍ୟମରେ ପରିବ୍ୟାପ୍ତ, କିନ୍ତୁ ଏହାକୁ ଅର୍ଥପୂର୍ଣ୍ଣ ଭାବରେ ବ୍ୟବହାର କରିବାର ଇଚ୍ଛାଶକ୍ତି ବିରଳ । ଟଙ୍କା କେବେ ବି ମୂଲ୍ୟର ପ୍ରକୃତ ମାପକାଠି ନୁହେଁ । ଟଙ୍କାର ମୂଲ୍ୟ କମ୍, କାରଣ ଏହା ଏକ ଉପକରଣ, ପରିଚୟ ନୁହେଁ, ଏହା ଏକ ଦାସ, ମାଲିକ ନୁହେଁ । ଶ୍ରମ, ପ୍ରୟାସ ଏବଂ ଇଚ୍ଛାଶକ୍ତି ସହିତ ଏହାକୁ ସହଜରେ ରୋଜଗାର କରାଯାଇପାରିବ, କିନ୍ତୁ ଏହା ସମ୍ମାନ, ଜ୍ଞାନ, ଅନୁଗ୍ରହ ଏବଂ ଜୀବିତ ଅଭିଜ୍ଞତା ଭଳି ଅସ୍ତିତ୍ୱର ଅମୂଲ୍ୟ ରତ୍ନ କିଣିପାରିବ ନାହିଁ । ଜୀବନର ସବୁଠାରୁ ଧନୀ ସତ୍ୟ ହେଉଛି ପ୍ରେମ, ଚରିତ୍ର, ମର୍ଯ୍ୟାଦା, ଜ୍ଞାନ, ସମ୍ମାନ, ସମର୍ପଣ ଏବଂ ସ୍ୱାଧୀନତା । ସେଥିପାଇଁ ଇଂରାଜୀରେ ଅଛି “If wealth is lost, nothing is lost. If health is lost, something is lost. But, if character is lost, everything is lost”.