ନୀଳଗିରି୧୨/୬:ର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦୁ ବଜାରରେ ଥିବା ଦୋକାନୀଙ୍କୁ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଥିଲା। ହେଲେ ଦୋକାନୀ ମାନେ ପରିବାର ଗୁଜରାଣ କିପରି କରିବେ ଏନେଇ ଚିନ୍ତିତ ଥିଲେ । ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେ ସମସ୍ତ ଦୋକାନୀଙ୍କୁ ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ତାଙ୍କ ପ୍ରତିଶୃତି ରକ୍ଷା କରି ୧.୫୦ କୋଟି ଟଙ୍କା ଦୋକାନ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଇଛନ୍ତି । ସୂଚନାଯୋଗ୍ୟ ବିଦୁ ବଜାରରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନୀ ମାନେ ଜବର ଦଖଲ କରିବା ବାଧକ ସାଜିଥିବା ବେଳେ ଏହା ଉଚ୍ଛେଦ ହୋଇ ପାରୁନଥିଲା। ଶେଷରେ ମାମଲା ଯାଇ ହାଇକୋର୍ଟରେ ପହଁଚିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ନିର୍ଦେଶ ପାଳନ କରିନଥିଲେ। ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ତହସିଲଦାର ପୋଲିସ ଫୋର୍ସ ନେଇ ଗତ ୬ ତାରିଖରେ ବିଦୁ ବଜାର ଜବରଦଖଲ ଉଚ୍ଛେଦ କରିଥିଲେ। ଅନେକ ଦୋକାନ ଗୃହ ଭାଙ୍ଗି ଦେବାପରେ ପରିବାର ଗୁଜରାଣ କିଭଳି କରିବେ ଏନେଇ ଚିନ୍ତାରେ ପଡ଼ିଥିଲେ ଦୋକାନୀ। ପରେ ସାଂସଦ ଜିଲ୍ଲାପାଳ ତଥା ଆରଏମସି ବିଭାଗ ସହିତ ଆଲୋଚନା କରି ସମସ୍ତ ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଅର୍ଥ ମଞ୍ଜୁର କରାଇଛନ୍ତି । ଏପରିକି ସେ ନିଜେ ବିଦୁ ବଜାର ଗସ୍ତ କରି ରାସ୍ତା ସମ୍ପ୍ରସାରଣ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ମାନଙ୍କୁ ଭେଟିଥିଲେ ।
୧.୫୦ କୋଟି ଟଙ୍କା ବ୍ୟୟରେ ଆରଏମସି ଏହି କମ୍ପ୍ଲେକ୍ସ ତିଆରି କରି କୃଷି ଜନିତ ମାର୍କେଟ, ଶୌଚାଳୟ, ପାନୀୟ ଜଳ ଇତ୍ୟାଦିର ବ୍ୟବସ୍ଥା କିଭଳି ରହିବ ସବିଶେଷ ଆଲୋଚନା କରିବା ସହ ଏହି କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଆରଏମସିର ଅଧିକାରୀ, ସ୍ଥାନୀୟ ସରପଞ୍ଚ ସାଧନା ମଳିକ,ବିଜେପିର ପଞ୍ଚଲିଙ୍ଗେଶ୍ୱର ମଣ୍ଡଳ ସଭାପତି ଅନନ୍ତ ଗିରି,ବଳରାମ ବିଶ୍ୱାଳ, ଟୁଟୁ ପାଣିଗ୍ରାହୀଙ୍କ ସମେତ ଶତାଧିକ ଅଞ୍ଚଳବାସୀ ସାମିଲ ହୋଇଥିଲେ।