ଭୁବନେଶ୍ୱର, ୧୧/୦୪ : ଖଣ୍ଡଗିରି-ଉଦୟଗିରିରେ ଦିନେ ବିଚରଣ କରୁଥିଲେ ଶତାଧିକ ହନୁ ମାଙ୍କଡ଼। ହେଲେ ଏବେ ସେମାନଙ୍କ ସଂଖ୍ୟା ହାତଗଣତିରେ ପହଞ୍ଚିଛି। ଉଦୟଗିରିରେ ତ ମୋଟ ଉପରେ ନାହାନ୍ତି । ଖଣ୍ଡଗିରିରେ ମାତ୍ର ୨୫-୩୦ଟି ଅଛନ୍ତି । ପର୍ଯ୍ୟଟକ, ଯାତ୍ରୀ ଦେଉଥିବା ଖାଦ୍ୟ ଖାଇ ବଞ୍ଚିଛନ୍ତି । ସେମାନେ ବି ମଝିରେ ମଝିରେ ମୋଟ ଉପରେ ଦେଖା ଯାଉନାହାନ୍ତି ।
ଚଳିତ ଶତାଦ୍ଦୀର ଆରମ୍ଭରେ ଉଭୟ ପାହାଡ଼ ସବୁଜିମାରେ ଥିଲେ ଶତାଧିକ ହନୁମାଙ୍କଡ଼ । ଉଦୟଗିରିରେ ପ୍ରାୟ ୬୦ ହେବ ମାଙ୍କଡ଼ ଦଳ ଏକାଠି ରହୁଥିବା ବେଳେ ଖଣ୍ଡଗିରିରେ ପ୍ରାୟ ୧୧୦ ମାଙ୍କଡ଼ ୨ ଦଳରେ ବିଭକ୍ତ ହୋଇ ରହୁଥିଲେ । ଜଙ୍ଗଲରେ ପ୍ରଚୁର ପରିମାଣରେ ୩ ପ୍ରଜାତିର କୋଳି ଗଛ ଥିଲା । ଜାମୁ, ଆଇଁଷିଣିଆ, ବଣୁଆ ବରକୋଳି ଭର୍ତ୍ତି ଥିଲା । ଏହାବ୍ୟତୀତ ଆମ୍ବ, ପଣସ, ଆତ, ପିଜୁଳି, ବଣ ସପୁରି, କେନ୍ଦୁ, ବଉଳ, କରଞ୍ଜ, ସାହାଡ଼ା, ବର ଗଛ ଜୀବଜନ୍ତୁଙ୍କ ବିଶ୍ରାମ ଓ ଖାଦ୍ୟସ୍ଥଳୀ ଥିଲା । ମାଙ୍କଡ଼ମାନେ ଯାତ୍ରୀଙ୍କ ପ୍ରଦତ୍ତ ଖାଦ୍ୟ ଅପେକ୍ଷା ବଣୁଆ ଖାଦ୍ୟ ଉପରେ ଅଧିକ ନିର୍ଭରଶୀଳ ଥିଲେ । ଉଭୟ ପାହାଡ଼ ଚୂଡ଼ାରେ ସ୍ୱଚ୍ଛ ଜଳ ଭରା ୨ଟି କୁଣ୍ଡରୁ ପାଣି ପିଉଥିଲେ । ଆଖପାଖ ଜଙ୍ଗଲ, ଗାଁ ଗଣ୍ଡାରୁ ଭଲ ଖାଦ୍ୟ ମିଳୁଥିଲା । ଉତ୍ତମ ପରିବେଶ ଥିବାରୁ ମାଙ୍କଡ଼ ମାନଙ୍କର ସ୍ୱାସ୍ଥ୍ୟ ବେଶ୍ ସୁସ୍ଥ ଥିଲା । ବଂଶ ବୃଦ୍ଧି ମଧ୍ୟ ସ୍ୱାଭାବିକ ଥିଲା । ହେଲେ ଇତିମଧ୍ୟରେ ଦୁଇ ପାହାଡ଼ର ପାରିପାର୍ଶ୍ଵିକ ଅବସ୍ଥା ବଦଳି ଯାଇଛି । ରାସ୍ତାଘାଟ, କୋଠାବାଡ଼ି ଆବରଣରେ ପାହାଡ଼ ୨ଟି ଅବରୁଦ୍ଧ ହୋଇଯାଇଛି । ପାହାଡ଼ ଉପରେ ଥିବା ଅନେକ ଆମ୍ବ, ଜାମୁ, ବର, କରଞ୍ଜ, ସାହାଡ଼ା ଓ କୋଳିଗଛ କାଟି ନେଇଯାଇଛନ୍ତି । ତା’ ବଦଳରେ ପାହାଡ଼ରେ ବୃକ୍ଷରୋପଣ ହୋଇଛି ସତ, ହେଲେ ସେ ଗଛଗୁଡ଼ିକ ବନ୍ୟଜୀବଙ୍କ କାମରେ ଆସୁନି । ବଣୁଆ ଖାଦ୍ୟ ଅଭାବରୁ ଉଦୟଗିରି ମାଙ୍କଡ଼ ଦଳ ଛାଡ଼ି ଅନ୍ୟତ୍ର ପଳାଇଛନ୍ତି ।
ଖଣ୍ଡଗିରିରେ ଥିବା ୨୦-୩୦ ମାଙ୍କଡ଼ ମଣିଷ ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ସବୁବେଳେ ପାଉଁରୁଟି, ବିସ୍କୁଟ ଆଦି ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି । ସେଥିରେ ପାହାଡ଼ ଉପରେ ଥିବା କୁଣ୍ଡ କାଳକ୍ରମେ ଘନ ପ୍ରଦୂଷିତ । କୃତ୍ରିମ ଖାଦ୍ୟ ତଥା ପ୍ରଦୂଷିତ ପାଣି ପିଇ ମାଙ୍କଡ଼ମାନେ କୃମି, ପେଟ ରୋଗରେ ଆକ୍ରାନ୍ତ ହୋଇ ମରି ଯାଉଛନ୍ତି । ଯେଉଁମାନେ ବଞ୍ଚି ରହିଛନ୍ତି ସେମାନଙ୍କ ଶରୀରରେ ଯାଦୁ, ଟିଙ୍କ ଆଦି ଭର୍ତ୍ତି । ଅବଶ୍ୟ ସ୍ଥାନୀୟ ଲୋକ ମାଙ୍କଡ଼ଙ୍କ ତୃଷା ନିବାରଣ ପାଇଁ ପାତ୍ରରେ ପାଣି ଭର୍ତ୍ତି କରି ରଖୁଛନ୍ତି । ହେଲେ ପରିବେଶ ନଥିବାରୁ ବଂଶବୃଦ୍ଧି ମଧ୍ୟ ସେମିତି ନାହିଁ । ଏ ସମ୍ପର୍କରେ ସିଟି ଫରେଷ୍ଟ ଡିଏଫ୍ଓ କହିଛନ୍ତି, ଯଦିଓ ନିକଟ ଅତୀତରେ ଓଡ଼ିଶାରେ ମାଙ୍କଡ଼ଙ୍କ ଗଣତି ହୋଇନାହିଁ, କିନ୍ତୁ ସେମାନଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ମାଙ୍କଡ଼ ଦଳ ସବୁବେଳେ ସ୍ଥାନ ପରିବର୍ତ୍ତନ କରନ୍ତି । ଖଣ୍ଡଗିରି-ଉଦୟଗିରି ମାଙ୍କଡ଼ଙ୍କ ମଧ୍ୟରୁ ଅନେକ ଖାଦ୍ୟ ଓ ପରିବେଶ ଅନ୍ୱେଷଣରେ ଅନ୍ୟତ୍ର ପଳାଇ ଯାଇଥିବେ। ବାକି ଯେଉଁମାନେ ରହି ଯାଇଥିବେ ସେମାନେ ଯାତ୍ରୀ ଓ ପର୍ଯ୍ୟଟକ ଦେଉଥିବା ଖାଦ୍ୟ ଖାଇ ଜୀବନ ଧାରଣ କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- ୨୦୨୭ ଜାନୁଆରୀ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି