ଭୁବନେଶ୍ଵର, ୧୧/୦୪ : ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୪ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା।
ସୂଚନା ଥାଉକି, ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନର ବିବାଦ ଲାଗି ରହିଛି। ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଟ୍ରିବ୍ୟୁନାଲ ଏପର୍ଯ୍ୟନ୍ତ ୪୯ଟି ଶୁଣାଣି କରିସାରିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ପଟେ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ସମ୍ଭବ ବୋଲି ଉଭୟ ରାଜ୍ୟ ଆଶା ପୋଷଣ କରିଛନ୍ତି। ଅନ୍ୟପଟେ ଟ୍ରିବ୍ୟୁନାଲର ସଦସ୍ୟ ଓଡ଼ିଶା ଏବଂ ଛତିଶଗଡ଼ରେ ମହାନଦୀ ଅବବାହିକା ପରିଦର୍ଶନ କରି ଯାଇଛନ୍ତି। ଏପ୍ରିଲ ୧୪ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ସରୁଥିଲା। ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚି ପାରୁନଥିବାରୁ ମହାନଦୀ ଟ୍ରିବ୍ୟୁନାଲ ଅବଧି ଆହୁରି ୯ ମାସ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିଠି ଲେଖିଥିଲେ। ୨୦୨୭ ଜାନୁଆରୀ ୧୩ ଯାଏଁ କେନ୍ଦ୍ର ସରକାର ଅବଧି ବୃଦ୍ଧି କରିଛନ୍ତି।
ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ନେଇ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଏହାକୁ ଆସନ୍ତା ଜାନୁୟାରୀ ଯାଏଁ ବୃଦ୍ଧି କରାଯାଇଛି ଯାହାକି ସ୍ବାଗତଯୋଗ୍ୟ। ଜଳବିବାଦ ନେଇ ବର୍ତ୍ତମାନ ଟ୍ରିବ୍ୟୁନାଲ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରୁଛନ୍ତି। ସେଥିପାଇଁ ଆଉ କିଛି ସମୟ ଆବଶ୍ୟକତା ଥିଲା। ତେଣୁ ଅବଧିକୁ ବୃଦ୍ଧି କରାଯାଇଛି। ମହାନଦୀ ଜଳ ବିବାଦ ନେଇ ଯେଉଁ ସମସ୍ୟା ଥିଲା ଏହାର ସମାଧାନ ହୋଇପାରିବ ବୋଲି ପୂର୍ଣ୍ଣ ବିଶ୍ବାସ ଅଛି।
ସେପଟେ ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ଯେ, ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହେଲା। ବର୍ତ୍ତମାନ ୨୦୨୬, ହେଲେ ଫଳ ଶୂନ। ପୁଣି ଅବଧି ବଢିଲା, AG କହିଲେ ଆପୋଷ ବୁଝାମଣା ହେବ। AG ହେଉଛନ୍ତି ସରକାରଙ୍କ ପ୍ରତିନିଧି। ଯଦି ଆପୋଷ ବୁଝାମଣା ହେବ ତେବେ ଟ୍ରିବ୍ୟୁନାଲର ଆବଶ୍ୟକତା କ'ଣ? ଏପଟେ ଟ୍ରିବ୍ୟୁନାଲ ଅବଧି ବଢୁଛି। ଅର୍ଥାତ ଆପୋଷ ବୁଝାମଣା ହୋଇପାରୁନି। ଯାହାକି ଚିନ୍ତାଜନକ। ମହାନଦୀ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଇଚ୍ଛା ଶକ୍ତି ନାହିଁ। ବିଜେଡି ଏହାକୁ ପ୍ରସଙ୍ଗ କରିଛି ଏବଂ କରିବ।
ଏହି ଖବରଟିକୁ ପଢନ୍ତୁ- ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି