ନୂଆଦିଲ୍ଲୀ,୧୦/୦୭: ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁଛି । ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁସାରେ ଅବଶିଷ୍ଟ ଉତ୍ତର ଆରବ ସାଗର, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାକୁ ଗତକାଲି ମୌସୁମୀ ଅଗ୍ରସର ହୋଇଥିଲା । ଫଳରେ ଗୋଟିଏ ଦିନ ବିଳମ୍ବରେ ଆଜି (ଜୁଲାଇ  ୯) ତାହା ସମଗ୍ର ଦେଶକୁ ସ୍ପର୍ଶ କରିଛି ।  ସାଧାରଣତଃ ମୌସୁମୀ ଜୁଲାଇ ୮ ତାରିଖ  ସୁଦ୍ଧା ସମଗ୍ର ଦେଶକୁ ସ୍ପର୍ଶ କରିଥାଏ ।

ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ମଥୁର,  ମିରଟ, ବୁଲନ୍ଦସହର ଓ ଗାଜିଆବାଦରେ ପ୍ରବଳ  ବର୍ଷା ହୋଇଛି । ଆଜି ହରିୟାଣା, ଦିଲ୍ଲୀ,  ଚଣ୍ଡିଗଡ ଓ ପଶ୍ଚିମ ଉତ୍ତରପ୍ରଦେଶର କେତେକ  ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ସେପଟେ  କେରଳ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରାଖଣ୍ଡ ଓ  ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ  ସ୍ଥାନରେ ଭୂସ୍ଖଳନ ଘଟିବା ସହ ମାଟି ଅତଡା  ଧସିଛି । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି  ସୃଷ୍ଟି ହୋଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି  କେରଳ, ମହାରାଷ୍ଟ୍ର, ଗୁଜରାଟ ଓ ଜମ୍ମୁ-କାଶ୍ମୀର  ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍‌ ଯୋଗେ କଥା  ହୋଇଛନ୍ତି । ସେ ସମ୍ପୃକ୍ତ ରାଜ୍ୟରେ ବର୍ଷା ଓ  ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ  ପଚାରି ବୁଝିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ  ତ୍ୱରାନ୍ୱିତ କରିବା ଲାଗି ପରାମର୍ଶ ଦେଇଛନ୍ତି ।  ଏଥିସହ କେନ୍ଦ୍ର ସରକାର ସେମାନଙ୍କୁ ସବୁ  ପ୍ରକାର ସହାୟତା ଯେଗାଇଦେବାକୁ ମଧ୍ୟ ଶାହ  ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  ଦେଶକୁ ପୁଣି ଘାରିଲା କରୋନା ଭୟ: ଆନ୍ଧ୍ରରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ, ୨ ଜିଲ୍ଲାରେ ୪ ସକ୍ରିୟ ମାମଲା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନାଲୁପାନୀ  ଓ ଯମୁନୋତ୍ରୀ ଜାତୀୟ ରାଜପଥରେ ଭୂସ୍ଖଳନ  ଘଟିଛି । ରାସ୍ତାରେ ବଡବଡ ପଥର ଖସିଛି ।  ଫଳରେ ୧ ହଜାରରୁ ଅଧିକ ତୀର୍ଥଯାତ୍ରୀ  ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ଟିହରି  ଅଞ୍ଚଳ ଜାତୀୟ ରାଜପଥ ୭୦୭ରେ ଭୂସ୍ଫଳନ  ହେବାରୁ କେତେକ ଘର ଭୁଶୁଡି ପଡିଛି ।  ହରିଦ୍ୱାରରେ ପ୍ରବଳ ବର୍ଷା ଯୋଗୁ ଅନେକ  ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି ।  ଡେରାଡୁନରେ ଲଗାଣ ବର୍ଷା ଫଳରେ  ବାଲ୍‌ଦି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।  ରାଜ୍ୟରେ ୭୧ଟି ସଡକ ବନ୍ଦ ରହିଛି । ପ୍ରବଳ  ବର୍ଷା ଲାଗି ୫ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ  ଅଙ୍ଗନବାଡି କେନ୍ଦ୍ରକୁ ଛୁଟି କରାଯାଇଛି ।  ଗାଜିଆବାଦରେ ସଡକ ଧସିବାରୁ କାର୍‌ ଓ  ସ୍କୁଟି ତା ଭିତରେ ଦବି ଯାଇଛି । କେରଳର  କୋଝିକୋଡ୍‌ ରେଳ ଷ୍ଟେସନରେ ଥିବା ୧୦୦  ବର୍ଷର ପୁରୁଣା ଘଣ୍ଟାଘରର କିଛି ଅଂଶ ଭୁଶୁଡି  ପଡିଛି । ମହାରାଷ୍ଟ୍ରର ରାୟଗଡରେ ପ୍ରବଳ  ବର୍ଷା ପରେ ୩ ହଜାର ଏଲ୍‌ପିଜି ସିଲିଣ୍ଡର  ପାତାଳଗଙ୍ଗା ନଦୀରେ ଭାସିଯାଇଛି ।