ନୂଆଦିଲ୍ଲୀ: ଉତ୍ତର ପାକିସ୍ତାନରେ ବର୍ଷା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାମିଲଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପଖତୁନଖଓ୍ବା ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଉଦ୍ଧୃତ କରି ଏଏଫପି ଏହି ସୂଚନା ଦେଇଛି।
ପଖତୁନଖଓ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର କହିଛନ୍ତି ଯେ, ମହମ୍ମଦ ଜିଲ୍ଲାର ପଣ୍ଡିୟାଲି ଅଞ୍ଚଳରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ବାଜୌରରେ ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା MI-୧୭ ହେଲିକପ୍ଟରଟି ଖରାପ ପାଗ ଯୋଗୁଁ ମହମ୍ମଦ ଜିଲ୍ଲାର ପାଣ୍ଡାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୨ ପାଇଲଟଙ୍କ ସମେତ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି।
ଏଏଫପି ଅନୁଯାୟୀ, ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ଉତ୍ତର ପାକିସ୍ତାନରେ ଭୂସ୍ଖଳନ ଏବଂ ବନ୍ୟା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଅତି କମରେ ୧୬୪ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଅଧିକାଂଶ ମୃତ୍ୟୁ ପର୍ବତମୟ ଅଂଚଳ ଖାଇବର ପଖତୁନଖଓ୍ବା ପ୍ରଦେଶରେ ରେକର୍ଡ କରାଯାଇଛି, ଯେଉଁଠାରେ ଏହି ସଂଖ୍ୟା ୧୫୦।